କୋଭିଡ୍ ଟିକାର ନୂଆ ଦର ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ସରକାର କୋଭିଡ ଟିକାର ନୂଆ ଦାମ ଘୋଷଣା କରିଛନ୍ତି। ଏବେର ଦର ଡୋଜ ପିଛା ୨୫୦ ଟଙ୍କା ରହିଛି। ହେଲେ ନୂଆ ଦର ଆହୁରି କମ୍ କରିଛନ୍ତି ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରେସ କନଫରେନସ କରି କହିଛନ୍ତି, କେନ୍ଦ୍ର ସରକାର କୋଭିଡ ଟିକାର ଦର ସଂଶୋଧନ କରିଛନ୍ତି। ପୂର୍ବରୁ ଏହି ଟିକାର ଦାମ ୨୫୦ ଟଙ୍କା ରହିଥିଲା। ଏବେ କିନ୍ତୁ ସରକାର ଦର କମାଇ ୨୦୦ ଟଙ୍କା କରିଛନ୍ତି। ତେବେ ଘରୋଇ ହସ୍ପିଟାଲ ବା ଟିକା କେନ୍ଦ୍ର ଡୋଜ ପିଛା ୨୫୦ ଟଙ୍କା ନେଇ ପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଟିକା କୋଭିଶିଲ୍ଡ ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଏକମାତ୍ର ଟିକା ଭାବରେ କୋଭିଶିଳ୍ଡ ଏହି ଅନୁମତି ପାଇଛି।

ସୂଚନା ଅନୁଯାୟୀ କୋଭିଶିଲ୍ଡ ଡୋଜ ପିଛା ୧୫୦ ଟଙ୍କା ଲେଖାଏଁ ସରକାର ସେରମ ପାଖରୁ ଆଣୁଛନ୍ତି। ପରେ ଅନ୍ୟାନ୍ୟ ଟ୍ୟାକ୍ସ ମିଶାଇଲେ ଟିକା ଦର ୨୦୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ସେରମ୍ ଡୋଜ ପିଛା ୨୧୦ ଟଙ୍କାରେ ବିକ୍ରି କରୁଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ ଚାଲିଛି। ବହୁବିଧ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି ପର୍ଯ୍ୟାୟରେ ଟିକା ନେଉଛନ୍ତି। ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଏହି ଟିକାକାରଣ ଚାଲିଛି। ଘରୋଇ ହସ୍ପିଟାଲରେ ଟିକା ନେଲେ ନିର୍ଦ୍ଧାରିତ ଦର ଅନୁଯାୟୀ ଦେୟ ଦେବାକୁ ହେବ। ଏହା ପୂର୍ବରୁ କୋଭିଡ୍ ଯୋଦ୍ଧାଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯାଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ନିର୍ବାଚନ କମିଶନର ସୁନୀଲ ଆରୋରା, ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରମଖ ବ୍ୟକ୍ତି ଟିକା ନେଇଛନ୍ତି। ଏଥିସହ ସମସ୍ତଙ୍କୁ ଏହି ଟିକା ପ୍ରକ୍ରିୟାରେ ସାମିଲ୍ ହେବାକୁ ଆହ୍ୱାନ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।