କରୋନାର ୟୁଟର୍ଣ୍ଣ: ଆବଶ୍ୟକ ପଡ଼ିଲେ କଣ୍ଟେନମେଣ୍ଟ ଜୋନ୍ ହେବ

ନୂଆଦିଲ୍ଲୀ: ଦେଶରେ ୟୁଟର୍ଣ୍ଣ ନେଉଛି କରୋନା। ଅଧିକାଂଶ ସହରରେ କରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି। ତେବେ ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହୋଇଛି।

ଏହି ସମୟରେ ମୋଦି କହିଛନ୍ତି, ଲୋକଙ୍କୁ ଭୟଭୀତ ନକରି ଆମେ ସଚେତନ କରିବା ଦରକାର। ଯେଉଁଠି ଜରୁରୀ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ। କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସ ପାଇଁ ଆବଶ୍ୟକ ଥିଲେ ତାହା ମଧ୍ୟ କରାଯାଉ। ସହରରୁ ଯେମିତି ଗାଁକୁ ନବ୍ୟାପିବ ସେଥିପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ହେଉ। ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍‌କୁ ନେଇ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ।

ଦେଶର ସବୁ ରାଜ୍ୟରେ RTPCR ଟେଷ୍ଟ ବଢ଼ାଇବାକୁ କହିଛନ୍ତି ମୋଦି। ଓଡ଼ିଶା, ବିହାର ଆଦି ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ବେଶୀ ହେଉଛି। ସେସବୁ ବଦଳାଇ RTPCR ଟେଷ୍ଟ କରାଯିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି କହିଛନ୍ତି। RTPCR ଟେଷ୍ଟ ଯେତେ ବଢ଼ିବ, ସଂକ୍ରମଣ ବୃଦ୍ଧି ସେତେ ଶୀଘ୍ର କମିବ। ବିଦେଶାଗତଙ୍କ ପରୀକ୍ଷା ଓ କଣ୍ଟା ଟ୍ରେସିଂ ପ୍ରତି ଗୁରୁତ୍ୱ ଦେବା ଜରୁରୀ।

ଦେଶରେ ଟିକାକରଣ ଗତି ବଢ଼ିଛି। ଆମେ ଦିନକୁ ୩୦ ଲକ୍ଷ ଟିକା ଦେଉଛୁ। ଅନେକ ରାଜ୍ୟରେ ଟିକା ନଷ୍ଟ ହେଉଥିବା ଖବର ସାମ୍ନାକୁ ଆସୁଛି। ତେଲେଙ୍ଗାନାରେ ୧୦% ଟିକା ନଷ୍ଟ ହେଉଥିବା ଜଣାପଡ଼ିଛି। ଟିକା ନଷ୍ଟ ହେବା ଅର୍ଥ, କାହାର ଅଧିକାରକୁ ଆମେ କ୍ଷୂଣ୍ଣ କରୁଛୁ।

କୌଣସି ଲୋକର ଅଧିକାର କ୍ଷୂଣ୍ଣ କରିବାର ଅଧିକାର ଆମର ନାହିଁ। ଟିକାର ଶୂନ ଅପଚୟକୁ ନିଶ୍ଚିତ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦି। ମିଶନ ମୋଡ୍ରେ କାମ କଲେ ଟିକା ଅପଚୟ କମିବ। ସଂକ୍ରମଣ ରୋକିବାକୁ ଦବାଇ ଓ କଡ଼ାଇ ନିଶ୍ଚିତ ମାନିବାକୁ ହେବ। ଏହା ସୁଶାସନ ପରୀକ୍ଷାର ସମୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।