କରୋନା ଟିକାର ଦ୍ୱିତୀୟ ଡୋଜ୍‌ ସମୟ ବଦଳିଲା

ନୂଆଦିଲ୍ଲୀ: ମହାମାରୀ କରୋନାର ରକ୍ଷା କବଚ କୁହାଯାଉଥିବା ଟିକାର ଦ୍ୱିତୀୟ ଡୋଜ୍‌ ଅବଧି ବଦଳାଇଛନ୍ତି କେନ୍ଦ୍ର ସରକାର। ଏଣିକି ଟିକାର ପ୍ରଥମ ଡୋଜ୍‌ ନେବାର ୬ରୁ ୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବାକୁ ପଡ଼ିବ। ପୂର୍ବରୁ ଏହା ୪ରୁ ୬ ସପ୍ତାହ ରହିଥିଲା। କରୋନା ବିରୋଧରେ ଭଲ ଫଳାଫଳ ପାଇବା ପାଇଁ ସରକାର ଟିକାର ଦ୍ୱିତୀୟ ଡୋଜ ଅବଧିରେ ଏପରି ପରିବର୍ତ୍ତନ କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି ଅବଗତ ମଧ୍ୟ କରାଇଛନ୍ତି।

ସରକାର କହିଛନ୍ତି, କେବଳ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କୋଭିସିଲ୍ଡ କରୋନା ଟିକା ପାଇଁ ଏହି ନିୟମ ଲାଗୁ ହେବ। ଭାରତ ବାୟୋଟେକ୍‌ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନ ପାଇଁ ଏହି ନିୟମ ଲାଗୁ ହେବନାହିଁ। କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ୍‌ ପୂର୍ବ ଭଳି ୪ରୁ ୬ ସପ୍ତାହ ମଧ୍ୟରେ ନେବାକୁ ପଡ଼ିବ। ସେହିପରି କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍‌ର ୮ ସପ୍ତାହ ମଧ୍ୟରେ ହିଁ ଦ୍ୱିତୀୟ ଡୋଜ୍‌ ନେବାକୁ ପଡ଼ିବ। ୮ ସପ୍ତାହ ପରେ କାହାକୁ ବି ଦ୍ୱିତୀୟ ଡୋଜ୍‌ ଦିଆଯିବ ନାହିଁ।

ସରକାର ଚିଠିରେ କହିଛନ୍ତି, “ବୈଜ୍ଞାନିକ ପଦ୍ଧତି ଓ ନୂଆ ଟ୍ରାଏଲକୁ ଆଧାର କରି ଏନଟିଜିଆଇ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ଟିକାକରଣର ସମୟ ବଦଳାଇଛି। ବୈଠକ ବେଳେ ୪ରୁ ୮ ସପ୍ତାହ ବ୍ୟବଧାନରେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ଲୋକଙ୍କୁ ଦେବା ପାଇଁ ପ୍ରସ୍ତାବ ଆସିଥିଲା। ଶେଷରେ ଟିକାର ଦ୍ୱିତୀୟ ଡୋଜ୍‌ର ସମୟରୁ ୬ରୁ ୮ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଏହା ୪ରୁ ୬ ସପ୍ତାହ ରହିଥିଲା।”

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ ସହ ଜଡ଼ିତ ଅଧିକାରୀଙ୍କୁ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଚିଠିରେ କହିଛନ୍ତି।

ବର୍ତ୍ତମାନ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି। ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ନାମକ ଦୁଇଟି ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।