ବେଙ୍ଗଲ ବୋମା ବିସ୍ଫୋରଣରେ ନାବାଳକ ମୃତ, ଇସି ମାଗିଲେ ରିପୋର୍ଟ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଆଜି ବୋମା ବିସ୍ଫୋରଣ ହୋଇଛି। ବେଙ୍ଗଲର ବର୍ଦ୍ଧମାନ ସହରରେ ଆଜି ହାତ ତିଆରି ବୋମା ବିସ୍ଫୋରଣରେ ଜଣେ ୭ ବର୍ଷୀୟ ବାଳକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଆହତ ବାଳକଙ୍କ ବୟସ ୯ ବର୍ଷ।

ମିଳିଥିବା ସୂଚନା ଅନୁଯାୟୀ, ବର୍ଦ୍ଧମାନର ସୁଭାଷପଲ୍ଲୀ ଅଞ୍ଚଳରେ ଆଜି ଦିନ ୧୧ଟାରେ ଏହି ବିସ୍ଫୋରଣ ଘଟିଛି। ଶେଖ ଅଫରୋଜ(୭) ଓ ଶେଖ ଇବ୍ରାହିମ(୯) ସେମାନଙ୍କ ଘର ନିକଟରେ ଖେଳୁଥିଲେ। ହଠାତ୍‌ ସେମାନଙ୍କ ନଜର ଗୋଟିଏ ପ୍ୟାକେଟ୍‌ ଉପରେ ପଡ଼ିଥିଲା। ସେମାନେ ଏହାକୁ ଗୋଇଠା ମାରିବା କ୍ଷଣି ବିରାଟ ବିସ୍ଫୋରଣ ହୋଇଥିଲା।

ଶବ୍ଦ ଶୁଣି ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଅଫରୋଜ ଓ ଇବ୍ରାହିମଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଡାକ୍ତରମାନେ ଅଫରୋଜଙ୍କୁ ମୃତ ଘୋଷଣା କରିଥିଲେ। ଏବେ ବି ଇବ୍ରାହିମ ଜୀବନ ସହ ସଂଗ୍ରାମ କରୁଛନ୍ତି। ବିସ୍ଫୋରଣ ପରେ ବୋମା ନିଷ୍କ୍ରିୟ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପ୍ୟାକେଟ୍‌ ମଧ୍ୟରେ ହାତ ତିଆରି ବୋମା ରହିଥିବାରୁ ଏପରି ବିସ୍ଫୋରଣ ହୋଇଥିବା ସେମାନେ କହିଛନ୍ତି।

ନିର୍ବାଚନ ପୂର୍ବରୁ ବିସ୍ଫୋରଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଅଫରୋଜଙ୍କ ଦାଦା କହିଛନ୍ତି, ସବୁଦିନ ସ୍ଥାନୀୟ ଅଞ୍ଚଳର ଅନେକ ପିଲା ଏହି ସ୍ଥାନରେ ଖେଳିଥାଆନ୍ତି। ହେଲେ ଆଜି କେବଳ ଅଫରୋଜ ଓ ଇବ୍ରାହିମ ଖେଳିବାକୁ ଆସିଥିଲେ।

ଅନ୍ୟପକ୍ଷରେ ବୋମା ବିସ୍ଫୋରଣ ଘଟଣାକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି ନିର୍ବାଚନ କମିଶନ। ସେ ବର୍ଦ୍ଧମାନ ଜିଲ୍ଲା ପ୍ରଶାସନ ଓ ମୁଖ୍ୟ ଶାସନ ସଚିବଙ୍କୁ ୨୪ ଘଣ୍ଟା ମଧ୍ୟରେ ଘଟଣାର ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।