ଦଳିତ ନାବାଳକଙ୍କୁ ନିର୍ଯାତନା ପରେ ପାଦ ଚଟାଇଲେ

ରାଏବରେଲୀ: ସମସ୍ତଙ୍କୁ ବିଚଳିତ କରିବା ବୋଲି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ରାଏବରେଲୀରେ ଜଣେ ଦଳିତ ନାବାଳକଙ୍କୁ କ୍ୟାମେରା ସାମ୍ନାରେ ନିର୍ଯାତନା ଦିଆଯାଇଛି। ଏଥିସହ ତାଙ୍କୁ ଅଭିଯୁକ୍ତର ପାଦ ଚାଟିବାକୁ ବାଧ୍ୟ କରାଯାଇଛି। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଜଣେ ନାବାଳକ କାନ ଧରି ତଳେ ବସିଛନ୍ତି। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଗୋଟିଏ ସ୍କୁଟିରେ ବସିଛି। ସେହିପରି ଅଭିଯୁକ୍ତର ସାଇଡରେ ଛିଡ଼ା ହୋଇଥିବା କିଛି ପିଲା ହସୁଛନ୍ତି। ଭୟରେ ତଳେ ବସିଥିବା ପିଲାଟି ଥରୁଥିଲେ ମଧ୍ୟ ସେମାନେ ତାଙ୍କୁ ନିର୍ଯାତନା ଦେବା ବନ୍ଦ କରିନଥିଲେ। ଜଣେ ଅଭିଯୁକ୍ତ ଦଳିତ ନାବାଳକଙ୍କୁ ‘ଠାକୁର’ ବନାନ ବା ସ୍ପେଲିଂ କ’ଣ? ତୁ ଆଗକୁ କ’ଣ ଏମିତି ଭୁଲ ଆଉ କରିବୁ ବୋଲି ପ୍ରଶ୍ନ କରୁଛି।

ଆଉ ଏକ ଭିଡିଓରେ ଅଭିଯୁକ୍ତମାନେ ଦଳିତ ନାବାଳକ ଜଣଙ୍କ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ସେମାନେ ନାବାଳକଙ୍କ ଗଞ୍ଜେଇ ବିକ୍ରିର ଅଭିଯୋଗ ଆଣିବା ପରେ ସେ ଭୟରେ ଏଥିରେ ହଁ ଭରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଶେଷରେ ଗାଡ଼ିରେ ବସିଥିବା ଅଭିଯୁକ୍ତ ଜଣକ ପୀଡ଼ିତଙ୍କୁ ତାଙ୍କ ଗୋଡ଼ ଚାଟିବାକୁ ବାଧ୍ୟ କରିଥିଲେ। ସେ ମଧ୍ୟ କୌଣସି ଉପାୟ ନ ପାଇ ଅଭିଯୁକ୍ତର ଗୋଡ଼ ଚାଟିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ଘଟଣାଟି ଏପ୍ରିଲ ୧୦ ତାରିଖର। ପୀଡ଼ିତଙ୍କ ଲିଖିତ ଅଭିଯୋଗ ପରେ ହିଁ ସମସ୍ତଙ୍କୁ ଗିରଫ କରାଯାଇଛି। ଘଟଣାର କିଛି ଅଭିଯୁକ୍ତ ତଥାକଥିତ ଉଚ୍ଚ ଜାତିର ବୋଲି ପୁଲିସ ସ୍ପଷ୍ଟ କରିଛି।

ପୀଡ଼ିତ ନାବାଳକ ଜଣଙ୍କ ୧୦ମ ଶ୍ରେଣୀ ଛାତ୍ର। ସେ ତାଙ୍କ ବିଧବା ମା’ଙ୍କ ସହ ରୁହନ୍ତି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ପୀଡ଼ିତଙ୍କ ମା’ କିଛି ଅଭିଯୁକ୍ତଙ୍କ କ୍ଷେତରେ କାମ କରି ପରିବାର ଚଳାନ୍ତି। ତେବେ ଅଭିଯୁକ୍ତମାନେ ଏହି କାମ ପାଇଁ ପୀଡ଼ିତଙ୍କ ମା’ଙ୍କୁ ନିୟମିତ ଟଙ୍କା ମାଗନ୍ତି। ହେଲେ ସେ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ତାଙ୍କ ପୁଅ ଉପରେ ରାଗ ସୁଝାଇଛନ୍ତି ବୋଲି କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।