ବଢ଼ିଲା ସମୀର ୱାଙ୍ଖଡେଙ୍କ ଅଡ଼ୁଆ, ଦଳିତ ସମାଜ ଆଣିଲା ଏମିତି ଅଭିଯୋଗ

ମୁମ୍ବାଇ: ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନକଲି ଜାତିଗତ ପ୍ରମାଣ ଦେଇ ସେ ସରକାରୀ ଚାକିରି ହାତେଇଥିବା ଦୁଇଟି ଦଳିତ ସଂଗଠନ ଆଜି ଅଭିଯୋଗ କରିଛନ୍ତି। ସ୍ୱାଭିମାନ ରିପ୍ଲବିକାନ ପାର୍ଟି ଓ ଭୀମ ଆର୍ମି ଏନେଇ ପୁଲିସ୍‌ରେ ଅଭିଯୋଗ ଦାଖଲ ବି କରିଛନ୍ତି। ସମୀର ୱାଙ୍ଖଡେ ନକଲି ଅନୁସୂଚିତ ଜାତି ପ୍ରମାଣପତ୍ର ଦାଖଲ କରି ସେହି ବର୍ଗରେ ସରକାରୀ ଚାକିରି ପାଇଥିବା ସେମାନେ କହିଛନ୍ତି।

ଏହାର କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ସଂଖ୍ୟାଲଘୁ ମନ୍ତ୍ରୀ ନବାବ ମଲିକ ସାମ୍ବାଦିକ ସମ୍ମିଳନୀର କରି ସମୀର ୱାଙ୍ଖଡେଙ୍କ ଜାତିଗତ ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, “ମୁଁ ଏଠାରେ ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହେଁ ଯେ ସୀମର ୱାଙ୍ଖଡେଙ୍କ ଅସଲ ମୁଖା ଖୋଲିବା ପଛରେ କୌଣସି ପ୍ରକାରର ଧାର୍ମିକ ଉଦ୍ଦେଶ୍ୟ ରଖିନାହିଁ।

ତାଙ୍କ ଧର୍ମ ସହ ମୋର କୌଣସି ଅସୁବିଧା ନାହିଁ। କିନ୍ତୁ ସେ ଆଇଆରସି ଚାକିରି ପାଇବା ପାଇଁ ନକଲି ଜାତିଗତ ପ୍ରମାଣ ପତ୍ର ହାସଲ କରିଥିବା କଥା ମୁଁ କହିବାକୁ ଚାହୁଁଛି। ନକଲି ପ୍ରମାଣପତ୍ର ଦ୍ୱାରା ସେ ଅନୁସୂଚିତ ଜାତି ବର୍ଗରେ ସରକାରୀ ଚାକିରି କରିଛନ୍ତି। ଫଳରେ ଜଣେ ଯୋଗ୍ୟ ହିତାଧିକାରୀ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି।”

ଶ୍ରୀ ମଲିକ ଟ୍ୱିଟ କରି ସମୀର ୱାଙ୍ଖଡେଙ୍କ ଜନ୍ମ ପ୍ରମାଣପତ୍ର ମଧ୍ୟ ସାର୍ବଜନୀନ କରିଥିଲେ। ଏଥିରେ ତାଙ୍କ ନାଁ ସମୀର ଦାଉଦ ୱାଙ୍ଖଡେ ରହିଥିଲା। ଅର୍ଥାତ ସେ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଅନୁସୂଚିତ ଜାତି ବର୍ଗରେ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ନଥିଲେ। ତଥାପି ସେ ୨୦୦୮ରେ ଆଇଆରସି ଚାକିରି ପାଇଥିଲେ।

ସମୀର ୱାଙ୍ଖଡେଙ୍କ ବାପା ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ହେଲେ ସେ ଜଣେ ମୁସଲିମ ମହିଳାଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏହି ସମୟରେ ସେ ଦାଉଦ ନାଁକୁ ନିଜ ପ୍ରକୃତ ନାଁରେ ମଧ୍ୟ ଯୋଡ଼ିଥିଲେ ବୋଲି ମଲିକ ଅଭିଯୋଗ କରିଥିଲେ। ତେବେ ଏହାକୁ ସମୀର ୱାଙ୍ଖଡେ ଖଣ୍ଡନ କରିଛନ୍ତି। ତାଙ୍କ ବାପା ହିନ୍ଦୁ ହୋଇଥିବା ବେଳେ ତାଙ୍କ ମା’ ଜଣେ ମୁସଲିମ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।