କାମ ପାଇଁ ଟଙ୍କା ମାଗିବାରୁ ଦଳିତ ବ୍ୟକ୍ତିଙ୍କୁ ପିଟିଲେ, ପରିସ୍ରା ପିଇବାକୁ ବାଧ୍ୟ କଲେ

ଜୟପୁର: ରାଜସ୍ଥାନରୁ ସିରୋହି ଜିଲ୍ଲାରୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦଳିତ ଇଲେକ୍ଟ୍ରିସିଆନଙ୍କୁ କିଛି ଲୋକ ମାଡ଼ ମାରିବା ସହ ପରିସ୍ରା ପିଇବାକୁ ବାଧ୍ୟ କରିଛନ୍ତି। ଏଥିସହ ତାଙ୍କ ବେକରେ ଚପଲ ମାଳ ପକାଇ ସର୍ବସମ୍ମୁଖରେ ଅପମାନିତ କରିଛନ୍ତି।

ଏହି ଦଳିତ ବ୍ୟକ୍ତିଙ୍କ ଭୁଲ ହେଲା ଯେ ସେ ନିଜର କାମ ପାଇଁ ପାରିଶ୍ରମିକ ମାଗିଥିଲେ। ମାଡ଼ ମାରୁଥିବା ଜଣେ ବ୍ୟକ୍ତି ଘଟଣାର ଭିଡିଓ ମଧ୍ୟ ରେକର୍ଡ କରିଛନ୍ତି। ଦଳିତ ବ୍ୟକ୍ତି ଜଣଙ୍କ ଅତ୍ୟାଚାର ବନ୍ଦ କରିବାକୁ ନିବେଦନ କରିଥିଲେ ମଧ୍ୟ କେହି ବି ତାଙ୍କ କଥା ଶୁଣୁ ନଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆକ୍ରମଣକାରୀମାନେ ସୋଶାଲ ମିଡିଆରେ ଭାଇରାଲ କରିଛନ୍ତି।

ସିରୋହିର ଡିଏସ୍‌ପି ଦୀନେଶ କୁମାର କହିଛନ୍ତି, “୩୮ ବର୍ଷୀୟ ଭରତ କୁମାର ୩ ଜଣ ଲୋକଙ୍କ ବିରୋଧରେ ନଭେମ୍ବର ୨୩ରେ ଅଭିଯୋଗ କରିଛନ୍ତି। କୁମାର ଅଭିଯୁକ୍ତମାନଙ୍କ କଥା ଅନୁସାରେ ବିଜୁଳି କାମ କରିଥିଲେ। ଏଥିପାଇଁ ସେ ୨୧,୧୦୦ ଟଙ୍କାର ବିଲ୍‌ ଦେଇଥିଲେ। ତାଙ୍କୁ ମାତ୍ର ୫ ହଜାର ଟଙ୍କା ମିଳିଥିଲା। ନଭେମ୍ବର ୧୯ରେ ସେ ବାକି ଟଙ୍କା ମାଗିବାକୁ ଗୋଟିଏ ଢାବାକୁ ଯାଇଥିଲେ।

କିନ୍ତୁ ତାଙ୍କୁ ରାତି ୯ଟା ବେଳେ ଆସିବାକୁ ଅଭିଯୁକ୍ତମାନେ କହିଥିଲେ। ଭରତ କୁମାର ସେମାନଙ୍କ କଥା ଅନୁସାରେ ରାତି ୯.୧୦ରେ ଟଙ୍କା ପାଇଁ ଯାଇଥିଲେ। ହେଲେ ତାଙ୍କୁ ସେମାନେ ପୁଣି ବସାଇ ରଖିଥିଲେ। ଅସ୍ତବ୍ୟସ୍ତ ହୋଇ କୁମାର ପୁଲିସ୍‌ରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ।

ଏଥିରେ ରାଗି ଯାଇ ୩ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିବା ସହ ପରିସ୍ରା ପିଆଇବାକୁ ଚେଷ୍ଟା କରିଛନ୍ତି। ମାଡ଼ ମାରିବା ବେଳେ ସେମାନେ କୁମାରଙ୍କ ବେକରେ ଚପଲ ମାଳ ମଧ୍ୟ ପକାଇଥିଲେ। ପ୍ରାୟ ୫ ଘଣ୍ଟା ଧରି ସେମାନେ କୁମାରଙ୍କୁ ମାଡ଼ ମାରିବା ସହ ଭିଡିଓ ଶୁଟିଂ କରିଥିଲେ। ଏହାପରେ ଏହି ଭିଡିଓକୁ ସୋଶାଲ ମିଡିଆରେ ଭାଇରାଲ କରିଥିଲେ।” ପୁଲିସ୍‌ ଏବେ ଅଭିଯୋଗକୁ ଭିତ୍ତି କରି ଘଟଣାର ଅଧିକ ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।