ବାହା ହେବାକୁ ମନା କରିବାରୁ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୬ ଗିରଫ

ଲଖିମପୁର ଖେରି: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ଭୟଙ୍କର ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଦୁଇ ଜଣ ଦଳିତ ନାବାଳିକା ଭଉଣୀ ବାହା ହେବାକୁ ମନା କରିବାରୁ ସେମାନଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିଲା। ଏହି ଘଟଣାରେ ୬ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହି ୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବା ବେଳେ ଏନକାଉଣ୍ଟର ମଧ୍ୟ ଘଟିଛି। ଗିରଫ ୬ ଜଣଙ୍କ ମଧ୍ୟରୁ ୩ ଜଣ ଦୁଇ ନାବାଳିକା ଭଉଣୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଏହି ଲୋମହର୍ଷଣକାରୀ ଘଟଣାରେ ସୋହେଲ, ଜୁନେଦ, ହଫିଜୁଲ ରେହମନ, କରିମୁଦ୍ଦିନ ଓ ଆରିଫକୁ ଗିରଫ କରାଯାଇଛି। ସେହିପରି ଦୁଇ ପୀଡ଼ିତାଙ୍କ ଘର ପାଖରେ ରହୁଥିବା ଛୋଟକୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଛୋଟୁ ହିଁ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୁଇ ନାବାଳିକାଙ୍କର ପରିଚୟ କରାଇଥିଲା। ଗିରଫ ଅଭିଯୁକ୍ତମାନଙ୍କ ନାଁରେ ଦୁଷ୍କର୍ମ ଓ ହତ୍ୟା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ଛୋଟକୁ ଛାଡ଼ି ସମସ୍ତ ଅଭିଯୁକ୍ତ ଲଖିମପୁର ଖେରିର ଲାଲପୁର ଗାଁରେ ରୁହନ୍ତି। ଛୋଟୁ ଦ୍ୱାରା ଅଭିଯୁକ୍ତମାନେ ଦୁଇ ପୀଡ଼ିତା ଭଉଣୀଙ୍କ ସହ ବନ୍ଧୁତା କରିଥିଲେ। ବନ୍ଧୁତାର ଫାଇଦା ଉଠାଇ ସେମାନେ ପୀଡ଼ିତାଙ୍କୁ ପ୍ରଥମେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ ରାଜି ନ ହେବାରୁ ସେମାନେ ଦୁଇ ଭଉଣୀଙ୍କ ଦୁର୍ଷ୍କମ ଓ ପରେ ହତ୍ୟା କରିଥିଲେ ବୋଲି ପୁଲିସ୍‌ କହିଛି।

ଏସ୍‌ପି ସଞ୍ଜୀବ ସୁମନ କହିଛନ୍ତି, ଅଭିଯୁକ୍ତମାନେ ଦୁଇ ଉଭଣୀଙ୍କୁ ପ୍ରଥମେ ନିକଟସ୍ଥ ଗୋଟିଏ ଆଖୁ କ୍ଷେତକୁ ନେଇଥିଲେ। ସେଠାରେ ଜୁନେଦ ଓ ସୋହେଲ ସେମାନଙ୍କୁ ଦୁଷ୍କର୍ମ କରିଥିଲେ। ଯେତେବେଳେ ଦୁଇ ଭଉଣୀ ବାହାଘର ପାଇଁ ମନା କରିଥିଲେ ସେତେବେଳେ ଜୁନେଦ, ସୋହେଲେ ଓ ରେହମାନ ଉଭୟଙ୍କୁ ଦୁପଟା ଦ୍ୱାରା ତଣ୍ଟି ଚିପି ହତ୍ୟା କରିଥିଲେ। ଘଟଣା ପରେ କରିମୁଦ୍ଦିନ ଓ ଆରିଫ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ପୂରା ଘଟଣାକୁ ରଫାଦଫା କରିବାରେ ସହଯୋଗ କରିଥିଲେ। ସମସ୍ତ ୫ ଅଭିଯୁକ୍ତ ଦୁଇ ନାବାଳିକାଙ୍କ ମୃତଦେହକୁ ଗଛରେ ଝୁଲାଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁଇ ନାବାଳିକାଙ୍କୁ ଅପହରଣ କରାଯାଇ ନଥିଲା। ସେମାନେ ଜୁନେଦ ଓ ସୋହେଲକୁ ଜାଣିଥିବାରୁ ସେମାନଙ୍କ ଗାଡ଼ିରେ ନିଜ ଇଚ୍ଛାରେ ବୁଲିବାକୁ ଯାଇଥିଲେ। ଘଟଣାରେ ସାମିଲ ଥିବା ୫ ଜଣଙ୍କୁ ଗତକାଲି ଗିରଫ କରାଯାଇଥିଲା। ଆଜି ସକାଳୁ ଜୁନେଦକୁ ଏନକାଉଣ୍ଟର ପରେ ଗିରଫ କରାଯାଇଛି। ତା’ ଗୋଡ଼ରେ ଗୁଳି ବାଜିଛି। ଏହି ଅପରାଧର ସମସ୍ତ ଅଭିଯୁକ୍ତ ଏବେ ପୁଲିସ୍‌ ପଞ୍ଝାରେ ରହିଥିବା ସେ ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।