ଦତ୍ତାତ୍ରେୟ ହୋସବାଲେ ହେଲେ ଆରଏସଏସର ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ସାଧାରଣ ସମ୍ପାଦକ ବା ସରକାର୍ଯ୍ୟବାହ ହୋଇଛନ୍ତି ଦତ୍ତାତ୍ରେୟ ହୋସବାଲେ। ଆରଏସଏସର ଅଖିଳ ଭାରତୀୟ ପ୍ରତିନିଧି ସଭା ଦତ୍ତାତ୍ରେୟଙ୍କୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରିଛି। ଭୟାଜୀ ଯୋଶୀ ଆରଏସଏସର ସାଧାରଣ ସମ୍ପାଦକ ଭାବେ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟ କରୁଥିଲେ।

ତେବେ ତାଙ୍କ କାର୍ଯ୍ୟକାଳ ପୂରଣ ହୋଇଯିବାରୁ ବେଙ୍ଗାଲୁରୁରେ ଚାଲିଥିବା ଆରଏସଏସର ପ୍ରତିନିଧି ସଭାର ଦ୍ୱିତୀୟ ଦିନରେ ସର୍ବସମ୍ମତିକ୍ରମେ ଦତ୍ତାତ୍ରେୟଙ୍କୁ ପରବର୍ତ୍ତୀ ସରକାର୍ଯ୍ୟବାହ ଭାବେ ନିଯୁକ୍ତି କରାଯାଇଛି। ଏବେ ଦତ୍ତାତ୍ରେୟ ୩ ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିବେ।

କର୍ଣ୍ଣାଟକାର ଶିବମୋଗା ଜିଲ୍ଲା ହୋସବାଲେ ଗାଁର ମୂଳବାସିନ୍ଦା ହେଉଛନ୍ତି ଦତ୍ତାତ୍ରେୟ। ସେ ୧୯୬୮ରେ ଆରଏସଏସରେ ସାମିଲ ହୋଇଥିଲେ। ଏହାପରେ ସେ ୧୯୭୨ରେ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରେ ଯୋଗଦେଇଥିଲେ। ଜରୁରୀ କାଳୀନ ସ୍ଥିତି ଲାଗୁ ହେବା ବେଳେ ତାଙ୍କୁ ଏମଆଇଏସଏ ବଳରେ ବର୍ଷ ତମାମ ଜେଲରେ ରହିବାକୁ ପଡ଼ିଥିଲା। ଜେଲରୁ ବାହାରିବା ବେଳେ ସେ ଆରଏସଏସ ଓ ଏବିଭିପି ପାଇଁ ପୂର୍ବଭଳି କାମ କରି ଚାଲିଥିଲେ।

ଶୁକ୍ରବାର ଆରଏସଏସ ପକ୍ଷରୁ ଚାଷୀ ଆନ୍ଦୋଳନକୁ ନେଇ ମଧ୍ୟ ବୟାନ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମାଧାନ କରିବା ପାଇଁ ପ୍ରୟାସ ଚାଲିଛି। ହେଲେ କିଛି ଦେଶଦ୍ରୋହୀ ଓ ଅସାମାଜିକ ଫୋର୍ସ ସମାଧାନର ବାଟକୁ ବନ୍ଦ କରିବାକୁ ଚେଷ୍ଟା ଚଳାଇଛନ୍ତି। ରାଜନୀତିକ ଫାଇଦା ପାଇଁ ଦେଶରେ ଅସ୍ଥିରତା ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ପାଇଁ ଏହି ଆନ୍ଦୋଳନ ଜରିଆରେ ପ୍ରୟାସ କରାଯାଉଛି ବୋଲି ଆରଏସଏସ ତା’ର ବାର୍ଷିକ ରିପୋର୍ଟରେ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।