ଟିକେଟ ନ ପାଇ ବିଜେପି ଛାଡ଼ିଥିଲେ, ଏବେ ପୁଣି ଦଳକୁ ଫେରିଲେ

ଗୌହାଟୀ: ଆସାମର ବିଧାନସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ବିଜେପି ବିଧାୟକ ଶିଲାଦିତ୍ୟ ଦେବ ଦଳରୁ ଇସ୍ତଫା ଦେଇଥିଲେ। ତେବେ ସେ ପୁଣିଥରେ ଆଜି ଦଳକୁ କମବ୍ୟାକ୍‌ କରିଛନ୍ତି। ସେ ସବୁବେଳେ ବିଜେପିର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିବେ ବୋଲି ଦଳ ତାଙ୍କ କମବ୍ୟାକ୍‌ ପରେ କହିଛି।

ଟିକେଟ ନ ପାଇ ଦଳ ଛାଡ଼ିଥିବା ଦେବଙ୍କୁ ବୁଝାଇବା ପାଇଁ ଶୁକ୍ରବାର ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଦିଲ୍ଲୀପ ସୈକିଆ ତାଙ୍କ ଘରକୁ ଯାଇଥିଲେ। ସେ ବିଜେପି ଛାଡ଼ିବା ପରେ ସ୍ୱାଧୀନ ଭାବେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି କହିଥିଲେ। ହେଲେ ଏବେ ସେ ୧୨୬ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ କୌଣସି ପ୍ରକାରର ଭାଗନେବେ ନାହିଁ କହି ପୁଣିଥରେ ବିଜେପିକୁ ମିଶିଛନ୍ତି।

ଶ୍ରୀ ଦେବ କହିଛନ୍ତି, “ମୁଁ କେବେ ହେଲେ କଂଗ୍ରେସ ଏଠାରେ ଜିତୁ ବୋଲି ଚାହୁଁନାହିଁ। କାରଣ କଂଗ୍ରେସ ଜିତିଲେ ରାଜ୍ୟରେ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇୟୁଡିଏଫ)ର ମୁଖ୍ୟ ବଦ୍ରାଦୁଦ୍ଦିନ ଅଜମଲଙ୍କ ଦବଦବା ବଢ଼ିବ। ଏଠାରେ ଉଭୟ କଂଗ୍ରେସ ଓ ଏଆଇୟୁଡିଏଫ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ତେଣୁ ମୁଁ ମୋ ପାର୍ଟିରେ ରହିବାକୁ ନିଷ୍ପତ୍ତି ନେଇଛି।”

ଦେବ ହୋଜାଇ ଆସନରୁ ବିଧାୟକ ହୋଇଥିଲେ। କିନ୍ତୁ ଏଥର ଦଳ ହିନ୍ଦୁ-ବେଙ୍ଗଲୀ ଡୋମିନେଣ୍ଟ ହୋଜାଇରୁ ରାମକୃଷ୍ଣ ଘୋଷଙ୍କୁ ପ୍ରାର୍ଥୀ କରିଛି। ନାଗରିକତା ସଂଶୋଧନ ଆଇନ ପାରିତ ହେବା ପରେ ଏହି ନିର୍ବାଚନ ମଣ୍ଡଳୀ ବିଜେପିର ଗଢ଼ ପାଲଟି ଯାଇଛି। ଏଥର ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରୁ ୧୨ ଜଣ ବିଧାୟକ ବାଦ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଦେବ ଅନ୍ୟତମ।

କେବଳ ଦେବ ନୁହନ୍ତି, ସିଲଚର ଆସନରୁ ପ୍ରାର୍ଥୀ ହୋଇ ନଥିବା ଦଳୀୟ ବିଧାୟକ ଦୀଲିପ ପଲ ମଧ୍ୟ ବିଜେପି ଉପରେ କ୍ଷୁବ୍ଧ ହୋଇଛନ୍ତି। ବିରୋଧକୁ ଦୃଷ୍ଟିରେ ରଖି ବିଜେପି ଏବେ ନୂଆ ପ୍ରାର୍ଥୀ ଦେଇଥିବା ଆସନଗୁଡ଼ିକରେ ପୁରୁଣା ନେତାଙ୍କୁ ବୁଝାଇବା ଆରମ୍ଭ କରିଛି। ବିଜେପିର ନିର୍ବାଚନ କମାଣ ଧରିଥିବା ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଶ୍ରୀ ଦେବ ସବୁବେଳେ ବିଜେପିରେ ରହିବେ। ସେ ଚଳିତ ବିଧାନସଭା ନିର୍ବାଚନରେ ଦଳ ପାଇଁ ହୋଜାଇ ଓ ଲୁମଡିଙ୍ଗ ସମେତ ସବୁ ଆସନରେ ପ୍ରଚାର କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।