କରୋନାକୁ ମାତ୍‌ ଦେବ ଡିଆରଡିଓର ଔଷଧ, ବ୍ୟବହାର ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଥିବା ଭାରତୀୟଙ୍କ ପାଇଁ ଆସିଛି ଆଶ୍ୱସ୍ତ କରିବା ଭଳି ଖବର। ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ(ଡିସିଜିଆଇ) କରୋନାର ଚିକିତ୍ସା ପାଇଁ ଆଉ ଗୋଟିଏ ଔଷଧକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।

ଡିସିଜିଆଇ ମୋହର ମାରିଥିବା କରୋନା ଔଷଧକୁ ଡିଆରଡିଓ ତିଆରି କରିଛି। ଏହି ଔଷଧ ତିଆରି କରିବାରେ ଡିଆରଡିଓର ଆଇଏନଏମଏଏସ୍‌ ଓ ସିସିଏମ୍‌ବିର ବଳିଷ୍ଠ ଭୂମିକା ରହିଛି। ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡୀ ଲ୍ୟାବ ଜରିଆରେ ଏହାର ପରୀକ୍ଷା କରାଯାଇଥିଲା।

ଏହି ଔଷଧର ନାଁ 2-deoxy-D-glucose (2-DG) ରହିଛି। କ୍ଲିନିକାଲ୍ ଟ୍ରାଏଲ ବେଳେ ଜଣାପଡ଼ି ଯେ 2-DGର ବ୍ୟବହାର ଦ୍ୱାରା ଜଣେ କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି। ସେହିପରି ଜଣେ ରୋଗୀଙ୍କୁ ଅକ୍ସିଜେନ ଉପରେ ନିର୍ଭର କରିବାକୁ ପଡ଼ୁନି। ତେଣୁ ଏହା କରୋନା ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଇଛି।

୨୦୨୦ ଏପ୍ରିଲ ମାସରୁ ବୈଜ୍ଞାନିକମାନେ ଏହି ଔଷଧ ଉପରେ ପରୀକ୍ଷା ନୀରିକ୍ଷା କରୁଥିଲେ। ପରୀକ୍ଷା ବେଳେ ଜଣାପଡ଼ିଥିଲା ଯେ 2-deoxy-D-glucose (2-DG) କରୋନାକୁ ରୋକିବାରେ ସହଯୋଗ କରୁଛି। ଏହି ତଥ୍ୟ ମିଳିବା ପରେ ୨୦୨୦ ମେ’ ମାସରେ ଡିସିଜିଆଇ ଏହାର ଫେଜ୍‌-୨ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା।

ଔଷଧର ଫେଜ-୨ ଟ୍ରାଏଲ ଦେଶର ବିଭିନ୍ନ ହସ୍ପିଟାଲରେ କରାଯାଇଥିଲା। ଫେଜ-୨ ଟ୍ରାଏଲ ‘ଏ’କୁ ୬ଟି ଓ ଫେଜ-୨ ଟ୍ରାଏଲ ‘ବି’କୁ ୧୧ଟି ହସ୍ପିଟାଲରେ କରାଯାଇଥିଲା। ଅକ୍ଟୋବର ମାସର ମଧ୍ୟ ଭାଗରେ କରାଯାଇଥିବା ଏହି ଟ୍ରାଏଲ ପ୍ରାୟ ୧୧୦ ଜଣ କରୋନା ରୋଗୀ ସାମିଲ ହୋଇଥିଲେ। ଏହି ଔଷଧ ଦ୍ୱାରା ଚିକିତ୍ସିତ ହେଉଥିବା ରୋଗୀମାନେ ସାଧାରଣ କରୋନା ଆକ୍ରାନ୍ତଙ୍କ ତୁଳନାରେ ୨.୫ ଦିନ ପୂର୍ବରୁ ସୁସ୍ଥ ହେଉଥିବା ଜଣାପଡ଼ିଥିଲା।

୨୦୨୦ ଡିସେମ୍ବର ମାସରୁ ୨୦୨୧ ମାର୍ଚ୍ଚ ମାସ ମଧ୍ୟରେ ଦେଶର ୨୭ଟି ହସ୍ପିଟାଲରେ 2-DGର ଫେଜ ୩ ଟ୍ରାଏଲ କରାଯାଇଥିଲା। ଏଥିରେ ପ୍ରାୟ ୨୨୦ ଜଶ କରୋନା ରୋଗୀ ସାମିଲ ହୋଇଥିଲେ। ମହାରାଷ୍ଟ୍ର, ଦିଲ୍ଲୀ, ୟୁପି, ବେଙ୍ଗଲ, ଆନ୍ଧ୍ର, ତାମିଲନାଡୁ, ଗୁଜରାଟ, ରାଜସ୍ଥାନ ଓ କର୍ଣ୍ଣାଟକା ଭଳି ରାଜ୍ୟର ହସ୍ପିଟାଲରେ ଏହାର ଟ୍ରାଏଲ କରାଯାଇଥିଲା।

ପରୀକ୍ଷା ବେଳେ ଯେଉଁମାନଙ୍କୁ ୨-ଡିଜି ଔଷଧ ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ୪୨% ରୋଗୀଙ୍କୁ ତୃତୀୟ ଦିନରେ ହିଁ ଆଉ ଏକ୍ସିଜେନର ଦେବାକୁ ପଡ଼ି ନଥିଲା। ଏହାର ଅର୍ଥ ଏହି ଔଷଧ ଅକ୍ସିଜେନର ଆବଶ୍ୟକତା ମଧ୍ୟ କମ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ଏହି ଔଷଧ ଦିଆଯାଇଥିଲା। ସେମାନଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଏହି 2-DG ଔଷଧ ପାଉଡର ରୂପରେ ଆସିଥାଏ। ଏହାକୁ ପାଣିରେ ଗୋଳାଇ ରୋଗୀଙ୍କୁ ଦିଆଯାଇ ଥାଏ। ଶରୀରକୁ ଏହା ଯିବା ପରେ ସଂକ୍ରମିତ ସେଲ୍‌ ଉପରେ ଜମାଟ ବାନ୍ଧି ଦେଇଥାଏ। ଫଳରେ ଭାଇରସ ଶରୀରର ଅନ୍ୟ ସେଲଗୁଡ଼ିକ ପ୍ରବେଶ କରିପାରି ନଥାଏ। ସଂକ୍ରମିତ ସେଲଗୁଡ଼ିକୁ ଚିହ୍ନଟ କରିବାର କ୍ଷମତା ଏହି ଔଷଧର ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।