ମୂକ ଓ ବଧିର ନାବାଳିକାଙ୍କୁ ଗଣଦୁଷ୍କର୍ମ, ଫଟୋ ଦେଖି ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

ଭୋପାଲ: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଜଣେ ମୂକ ଓ ବଧିର ନାବାଳିକାଙ୍କୁ ୬ ଜଣ ମିଳିତ ଭାବେ ଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ମଧ୍ୟ ରହିଛନ୍ତି। ସେମାନେ ଉକ୍ତ ନାବାଳିକାଙ୍କ ଫଟୋକୁ ଉଠାଇ ସୋଶାଲ ମିଡିଆରେ ଭାଇରାଲ ବି କରିଛନ୍ତି। ମଧ୍ୟପ୍ରଦେଶର ଶାହଡୋଲରେ ଏପରି ହୃଦୟବିଦାରକ ଘଟଣା ଘଟିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୂକ ଓ ବଧିର ନାବାଳିକାଙ୍କୁ ଶନିବାର ତାଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ଯୁବକ ପ୍ରଲୋଭିତ କରି ଘରୁ ଡାକି ଆଣିଥିଲେ। ଏହାପରେ ସେ ତାଙ୍କୁ ନିକଟରେ ଥିବା ଗୋଟିଏ ନିଛାଟିଆ ବୁଦା ନିକଟକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ୫ ଅଭିଯୁକ୍ତ ନାବାଳିକାଙ୍କ ଅପେକ୍ଷାରେ ରହିଥିଲେ।

ଏହାପରେ ୪ ନାବଳକଙ୍କ ସମେତ ୨ ଜଣ ଯୁବକ ଝିଅଟିକୁ ଦୁଷ୍କର୍ମ କରିବା ଆରମ୍ଭ କରିଥିଲେ। ସେ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଦୁଷ୍କର୍ମ ବେଳର କିଛି ଫଟୋ ମଧ୍ୟ ଅଭିଯୁକ୍ତ ମାନେ ଉଠାଇଥିଲେ। ଘଟଣା ପରେ ନାବାଳିକା ଜଣଙ୍କ ଘରକୁ ଆସିଥିଲେ ମଧ୍ୟ କାହାକୁ ଏ ବିଷୟରେ କିଛି ବି କହି ନଥିଲେ।

ତେବେ ଅଭିଯୁକ୍ତମାନେ ଘଟଣା ବେଳର ଫଟୋକୁ ଭାଇରାଲ କରିଥିବାରୁ ଏହା ତାଙ୍କ ବାପାଙ୍କ ନଜରକୁ ଆସିଥିଲା। ଜଣେ ଯୁବକ ଏହି ଫଟୋକୁ ଦେଖି ପୀଡ଼ିତାଙ୍କ ବାପାଙ୍କୁ ସେକଥା ଅବଗତ କରାଇଥିଲେ। ପରିବାର ଲୋକ ନାବାଳିକାଙ୍କୁ ଘଟଣା ବିଷୟରେ ପଚାରିବାରୁ ସେ କେବଳ କାନ୍ଦିବାକୁ ଲାଗିଥିଲେ। ଏହାପରେ ସେ ପୂରା ଘଟଣା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ସ୍ଥାନୀୟ ଏସପି କହିଛନ୍ତି, ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗକ୍ରମେ ଗୁରୁବାର ମାମଲା ରୁଜୁ ହୋଇଛି। ସାମାଜିକ ନ୍ୟାୟ ବିଭାଗର ବିଶେଷଜ୍ଞ ଟିମ୍ ନାବାଳିକାଙ୍କ ବୟାନ ରେକର୍ଡ କରିବାକୁ ପ୍ରୟାସ କରୁଛନ୍ତି। ପୀଡ଼ିତା ଜଣଙ୍କ କଥା କହି ପାରନ୍ତି ନାହିଁ। ସେ ବିଭିନ୍ନ ସାଙ୍କେତିକ ଭାଷା ଦ୍ୱାରା ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି।

ପୁଲିସ୍‌ କିଛି ଫଟୋ ତାଙ୍କୁ ଦେଖାଇବା ପରେ ସେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛନ୍ତି। କୋଟୱାଲି ପୁଲିସ୍‌ ଷ୍ଟେସନରେ ରୁଜୁ ମାମଲା ଆଧାରରେ ୪ ନାବାଳକଙ୍କ ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।