ବାଟଲା ହାଉସ ଏନକାଉଣ୍ଟର: ଦୋଷୀ ଆରିଜ ଖାନକୁ ମିଳିଲା ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୮ ମସିହା ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆାରିଜ ଖାନକୁ ଆଜି ଦିଲ୍ଲୀର ଏକ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ମାର୍ଚ୍ଚ ୮ରେ ଦିଲ୍ଲୀର ସାକେତ କୋର୍ଟ ଦୀର୍ଘ ୧୩ ବର୍ଷ ପରେ ଇଣ୍ଡିଆନ ମୁଜାହିଦ୍ଦିନର ସଦସ୍ୟ ଆରିଜକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦିଲ୍ଲୀର ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଇନସପେକ୍ଟର ଏମସି ଶର୍ମାଙ୍କ ହତ୍ୟା ପାଇଁ ଆରଜିକୁ ଏହି ଦଣ୍ଡ ମିଳିଛି। ଏଥିସହ କୋର୍ଟ ତା’ ଉପରେ ୧୧ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏହା ମଧ୍ୟରୁ ୧୦ ଲକ୍ଷ ଟଙ୍କା ମୃତ ଇନସପେକ୍ଟର ଏମସି ଶର୍ମାଙ୍କ ପରିବାର ଲୋକଙ୍କୁ ଦେବାକୁ କୁହାଯାଇଛି।

୨୦୦୮ ସେପ୍ଟେମ୍ବର ୧୩ରେ ଦିଲ୍ଲୀରେ ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୩ ଜଣ ଆହତ ହୋଇଥିଲେ। ଏହି ବିସ୍ଫୋରର ଗୋଟିଏ ସପ୍ତାହ ପରେ ଅର୍ଥାତ ସେପ୍ଟେମ୍ବର ୧୯ରେ ସନ୍ଦିଗ୍ଧ ଆତଙ୍କବାଦୀ ଓ ପୁଲିସ୍‌ ମଧ୍ୟରେ ବାଟଲାହାଉସରେ ଏନକାଉଣ୍ଟର ହୋଇଥିଲା। ଇଣ୍ଡିଆନ ମୁଜାହିଦ୍ଦିନର ଆତଙ୍କବାଦୀ ଆରିଜ ମଧ୍ୟ ବାଟଲା ହାଉସରେ ହୋଇଥିବା ଏନକାଉଣ୍ଟର ବେଳେ ଉପସ୍ଥିତ ଥିଲା।

ଏନକାଉଣ୍ଟର ବେଳେ ୨ ସନ୍ଦିଗ୍ଧ ଆତଙ୍କୀ ଅତିଫ ଅମୀନ ଓ ମହମ୍ମଦ ସାଜିଦ ନିହତ ହୋଇଥିଲେ। ସେହିପରି ଆତଙ୍କୀ ସଂଗଠନ ସହ ସମ୍ପର୍କ ରଖିଥିବା ଆରିଜ ଖାନ, ଶାହାଜାଦ ଓ ଜୁନେଦ ଫେରାର ହୋଇଯାଇଥିଲେ। ଇଣ୍ଡିଆନ ମୁଜାହିଦ୍ଦିନର ସଦସ୍ୟ ମହମ୍ମଦ ସୈଫି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲା।

ଏନକାଉଣ୍ଟର ବେଳେ ଦିଲ୍ଲୀ ପୁଲିସ୍‌ ଇନସପେକ୍ଟର ଏମସି ଶର୍ମାଙ୍କ ଦେହରେ ଗୁଳିମାଡ଼ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ଘଟଣା ପରେ ଫେରାର ଆତଙ୍କୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ୨୦୧୦ରେ ଶାହାଜାଦ ଉତ୍ତର ପ୍ରଦେଶର ଆଜମଗଡ଼ରୁ ଗିରଫ ହୋଇଥିଲା। ୨୦୧୦ ଏପ୍ରିଲରେ ପୁଲିସ୍‌ ଚାର୍ଜଶିଟ୍ ଦାଖଲ କରି ସିରିଜ୍‌ ବୋମା ବିସ୍ଫୋରଣ ଘଟଣାରେ ସଂପୃକ୍ତି ଥିବା ଆତଙ୍କୀଙ୍କ ସହ ବାଟଲା ହାଉସରେ ଏନକାଉଣ୍ଟର ହୋଇଥିଲା ବୋଲି କହିଥିଲା।

ଘଟଣାର ଦୀର୍ଘ ୧୦ ବର୍ଷ ପରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଆରଜିକୁ ଭାରତ-ନେପାଳ ସୀମା ବାନବସାଠାରୁ ଗିରଫ କରିବାରେ ସଫଳ ହୋଇଥିଲା। ବାଟଲା ହାଉସ ଘଟଣା ପରେ ଆରିଜ ନେପାଳରେ ସଲିମ ନାମରେ ପାସପୋର୍ଟ ତିଆରି କରି ରହୁଥିଲା। ତୃତୀୟ ଅଭିଯୁକ୍ତ ଜୁନେଦର ପତ୍ତା ଏଯାଏ ମିଳିନାହିଁ।

ଆରିଜ ନାଁରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିଥିବା ଅଭିଯୋଗ ରହିଛି। ବୋମା ବିସ୍ଫୋରଣ କରି ସେ ୧୬୫ ଜଣଙ୍କର ଜୀବନ ନେଇଥିବା ଜଣାପଡ଼ିଛି। ସେ ବୋମା ତିଆରି କରି ଏହାକୁ ବିଦେଶକୁ ମଧ୍ୟ ପଠାଇ ଥାଏ। ୨୦୦୭ରେ ୟୁପି, ୨୦୦୮ରେ ଅହମଦାବାଦ ଓ ଜୟପୁରରେ ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ତା’ର ସଂପୃକ୍ତି ଥିବା ପୁଲିସ୍‌ ଜାଣିବାକୁ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।