ବିଧାୟକ ସୋମନାଥ ଭାରତୀଙ୍କୁ ଆଶ୍ୱସ୍ତି, ୨ ବର୍ଷ ଜେଲଦଣ୍ଡ ବାତିଲ

ନୂଆଦିଲ୍ଲୀ: ମାରପିଟ୍‌ ଘଟଣାରେ ୨ ବର୍ଷ ଜେଲଦଣ୍ଡ ପାଇଥିବା ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ଆଜି ତାଙ୍କୁ ମିଳିଥିବା ଜେଲଦଣ୍ଡକୁ ବାତିଲ କରିଦେଇଛନ୍ତି।

୨୦୧୬ ମସିହା ଦିଲ୍ଲୀ ଏମ୍ସ ସିକ୍ୟୁରିଟି ଗାର୍ଡମାନଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ନିମ୍ନ ଅଦାଲତ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ବିରୋଧରେ ବିଧାୟକ ସୋମନାଥ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ଦିଲ୍ଲୀ ହାଇକୋର୍ଟର ଗୋଟିଏ ବେଞ୍ଚ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏଥିସହ ଜଷ୍ଟିସ ସୁରେଶ କଇତ ବିଧାୟକ ସୋମନାଥଙ୍କୁ ଜାମିନ ମଧ୍ୟ ପ୍ରଦାନ କରିଛନ୍ତି। ଗତକାଲି ଦିଲ୍ଲୀ ପୁଲିସ୍‌ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ପରେ ସୋମନାଥଙ୍କୁ ଗିରଫ କରିଥିଲା।

ଏହି ଘଟଣାରେ ପ୍ରଥମେ ଆଡିସନାଲ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ପାଣ୍ଡେ ୨୦୨୧ ଜାନୁଆରୀ ମାସରେ ସୋମନାଥଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଦାଖଲ କରିବାକୁ କହିଥିଲେ। ଏହା ବିରୋଧରେ ସେ ଉପରସ୍ଥ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହେଲେ ଗତକାଲି ସେସନ୍ସ କୋର୍ଟ ଏହି ରାୟକୁ କାଏମ ରଖିଥିଲେ। ମେଟ୍ରୋପଲିଟାଣ୍ଟ କୋର୍ଟ ଜାନୁଆରୀରେ ଦଣ୍ଡବିଧାନ କରିଥିଲେ ହେଁ ତାଙ୍କୁ ଉପର କୋର୍ଟରେ ଆବେଦନ କରିବାକୁ ଜାମିନ ଦେଇଥିଲେ।

ସରକାରୀ ଓକିଲ ଦେଇଥିବା ଦସ୍ତାବିଜ ଅନୁଯାୟୀ, ୨୦୧୬ ମସିହା ସେପ୍ଟେମ୍ବର ୯ରେ ସୋମନାଥ ଭାରତୀୟଙ୍କ ସହ ଆଉ ୩୦୦ ଲୋକ ଗୋଟିଏ ଜେସିବି ଦ୍ୱାରା ଏମ୍ସର ପାଚେରୀ ଭାଙ୍ଗି ଦେଇଥିଲେ। ଏହାକୁ ବିରୋଧ କରିବା ବେଳେ ସୋମନାଥ ଭାରତୀ ଏମ୍ସର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଥିଲେ।

ଏଥିପାଇଁ ଏମ୍ସର ମୁଖ୍ୟ ସୁରକ୍ଷା ଅଧିକାରୀ ଆରଏସ୍‌ ରାୱତ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସୋମନାଥଙ୍କ ସହ ଅଭିଯୁକ୍ତ ଥିବା ଜଗତ ସୈନି, ଦିଲ୍ଲୀପ ଝା, ସନ୍ଦୀପ ସୋନୁ ଓ ରାକେଶ ପାଣ୍ଡେଙ୍କୁ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।