ବୈବାହିକ ଦୁଷ୍କର୍ମ ଅପରାଧ କି ନୁହେଁ? ରାୟ ଦେଇପାରିଲେନି ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିବାହ ପରେ ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ କି ନୁହେଁ, ତା’ର ନିଷ୍ପତ୍ତି ନେଇ ପାରି ନାହାନ୍ତି ଦିଲ୍ଲୀ ହାଇକୋର୍ଟ। ଏବେ ବୈବାହିକ ଦୁଷ୍କର୍ମ ଅପରାଧ କି ନୁହେଁ, ତା’ର ବିଚାର ସୁପ୍ରିମକୋର୍ଟ କରିବେ। ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଥିଲେ।

ଖଣ୍ଡପୀଠର ଜଣେ ବିଚାରପତି ବୈବାହିକ ଦୁଷ୍କର୍ମକୁ ଅପରାଧ ବୋଲି କହିଥିବା ବେଳେ ଆଉ ଜଣେ ବିଚାରପତି ଏଥିରେ ଏକମତ ହୋଇ ପାରି ନାହାନ୍ତି। ବିଭାଜିତ ରାୟ ଯୋଗୁ ମାମଲା ଏବେ ସୁପ୍ରିମକୋର୍ଟଙ୍କ ପାଖକୁ ଯିବ। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜୀବ ଶାକଧେର କହିଥିଲେ ଯେ ଆଇପିସିର ଧାରା ୩୭୫(ଦୁଷ୍କର୍ମ) ଅନ୍ତର୍ଗତ ବ୍ୟତିକ୍ରମ ୨ରେ ପତ୍ନୀଙ୍କ ସହ ବଳ ପୂର୍ବ ଶାରୀରିକ ସମ୍ପର୍କ ରଖିଲେ ସ୍ୱାମୀଙ୍କୁ ଅପରାଧ ମୁକ୍ତ କରିବା ପାଇଁ ରହିଥିବା ବ୍ୟବସ୍ଥା ଅସାମ୍ବିଧାନିକ। ଅର୍ଥାତ ସେ ବୈବାହିକ ଦୁଷ୍କର୍ମକୁ ଅପରାଧ ଭାବେ ବିବେଚନା କରିଛନ୍ତି। ତେବେ ଖଣ୍ଡପୀଠରେ ଥିବା ଜଷ୍ଟିସ ହରି ଶଙ୍କର ଏଥିରେ ଏକମତ ହୋଇ ନାହାନ୍ତି। ଆଇପିସିର ଧାରା ୩୭୫ ଅନ୍ତର୍ଗତ ବ୍ୟତିକ୍ରମ ୨ କୌଣସି ପ୍ରକାରର ସାମ୍ବିଧାନିକ ନିୟମକୁ ଉଲ୍ଲଙ୍ଘନ କରୁନାହିଁ ବୋଲି କହିଛନ୍ତି।

ଦୁଇ ବିଚାରପତି ଭିନ୍ନଭିନ୍ନ ରାୟ ଦେଇଥିବାରୁ ଚୂଡ଼ାନ୍ତ ନିଷ୍କର୍ସ ବାହାରି ପାରିନି। ଫଳରେ ଏହି ମାମଲା ସୁପ୍ରିମକୋର୍ଟକୁ ଯିବା ସ୍ପଷ୍ଟ ହୋଇଛି। ଦିଲ୍ଲୀ ହାଇକୋର୍ଟର ଦୁଇ ବିଚାରପତି ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ଯିବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି।

ଧାରା ୩୭୫ରେ ଥିବା ବ୍ୟତିକ୍ରମରେ କୁହାଯାଇଛି ଯେ ଯଦି ବାହାଘର ପରେ ସ୍ୱାମୀ ତାଙ୍କ ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବେ, ତା’ହେଲେ ଏହା ଅପରାଧ ଶ୍ରେଣୀରେ ଆସିବ ନାହିଁ। ଏହାକୁ ନେଇ ଅନେକ ବିବାଦ ଅତୀତରେ ଦେଖିବାକୁ ମିଳିଥିଲା। ଏଥିସହ ମାମଲା ହାଇକୋର୍ଟରେ ପହଞ୍ଚିଥିଲା।

ଆବେଦନକାରୀ କହିଥିଲେ ଯେ ପତ୍ନୀମାନେ ସ୍ୱାମୀଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ତଥାପି ଧାରା ୩୭୫ର ବ୍ୟତିକ୍ରମ ବଳରେ ବିବାହିତ ମହିଳାଙ୍କ ସହ ପାତରଅନ୍ତର କରାଯାଉଛି। ଫେବୃଆରୀ ୨୧ରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ରାଜୀବ ଓ ଜଷ୍ଟିସ ହରି ଶଙ୍କର ଏହାର ଶୁଣାଣି କରି ରାୟ ସଂରକ୍ଷଣ ରଖିଥିଲେ।

ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ଏହି ମାମଲାରେ ସାମ୍ବିଧାନିକ ଚ୍ୟାଲେଞ୍ଜ ସହ ପାରିବାରିକ ଓ ସାମାଜିକ ନୀତି ନିୟମ ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ। ଏଥିସହ ରାଜ୍ୟ ସରକାରଙ୍କ ମତାମତ ଜାଣିବା ମଧ୍ୟ ଜରୁରୀ ବୋଲି ସେ କହିଥିଲେ।

ଜଷ୍ଟିସ ରାଜୀବ କହିଥିଲେ ଯେ “ଯେତେବେଳେ ଗର୍ଲଫ୍ରେଣ୍ଡ କିମ୍ବା ଲିଭ ଇନ ପାର୍ଟନରଙ୍କ ସହ ବଳ ପୂର୍ବକ ଶାରୀରିକ ସମ୍ପର୍କକୁ ଅପରାଧ ବୋଲି କୁହାଯାଉଛି ସେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ଭିନ୍ନ ଭାବେ ଦେଖାଯାଇ ପାରିବ ନାହିଁ। କାରଣ ଜଣେ ମହିଳା ସବୁବେଳେ ମହିଳା ହୋଇ ରହନ୍ତି।”

ତେବେ ଜଷ୍ଟିସ ହରି ଶଙ୍କର ଏଥିରେ ଏକମତ ହୋଇ ନଥିଲେ। ସେ କହିଥିଲେ “ବାହାଘର ଓ ବାହାଘର ପୂର୍ବର ସମ୍ପର୍କ ମଧ୍ୟରେ ଅନେକ ଫରକ ରହିଛି। ବାହାଘର ପରେ ଉଭୟ ପକ୍ଷ ଶାରୀରିକ ସମ୍ପର୍କ ରଖିବାକୁ ଅଧିକାର ପାଇଥାଆନ୍ତି। କିନ୍ତୁ ବାହାଘର ପୂର୍ବରୁ ସେଭଳି କୌଣସି ଅଧିକାର ମିଳି ନଥାଏ।”

ଏହାପରେ ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ ମତ ରଖିବାକୁ କେନ୍ଦ୍ର ସରକାରଙ୍କୁ ୨ ସପ୍ତାହର ସମୟ ଦେଇଥିଲେ। କେନ୍ଦ୍ର ସରକାର ଶୁଣାଣି ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ଏଥିସହ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମତାମତ ଲୋଡ଼ା ଯାଇଥିବା କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।