ଦିଲ୍ଲୀରେ କରୋନାର ୫ମ ଲହର, ଆଜି ସଂକ୍ରମଣ ୧୦ ହଜାର ଡେଇଁବ!

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ଓମିକ୍ରନ ଯୋଗୁ କରୋନାର ତୃତୀୟ ୱେଭ ଆସିଥିବା ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅଲଗା କଥା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀ କରୋନାର ୫ମ ଲହରର ସମ୍ମୁଖୀନ ହେଉଛି। ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ଆଜି ୧୦ ହଜାର ପାର କରିଯାଇ ପାରେ।

ସେ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଦିଲ୍ଲୀର ସ୍ଥିତି ଏପରି ହୋଇଛି ଯେ ବୁଧବାର ଦୈନିକ ସଂକ୍ରମଣ ୧୦ ହଜାର ପାର କରିଯାଇ ପାରେ। ପଜିଟିଭିଟି ରେଟ୍‌ ମଧ୍ୟ ୧୦% ଟପି ଯିବ। କିନ୍ତୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ବେଡ୍‌ ଖାଲି ପଡ଼ିଛି। ଏବେ ବି ମାତ୍ର ୫% କମ ବେଡ୍‌ରେ କରୋନା ରୋଗୀ ରହିଛନ୍ତି।”

ସେ ଦିଲ୍ଲୀବାସୀଙ୍କୁ କୋଭିଡ୍‌ ପ୍ରୋଟକଲ ପାଳନ କରିବା ସହ ନିଜ ମାସ୍କକୁ ସୁରକ୍ଷାର ଢାଲ ଭାବେ ବ୍ୟବହାର କରିବାକୁ ନିବେଦନ କରିଛନ୍ତି। ଜୈନ କହିଛନ୍ତି, “ସମଗ୍ର ଦେଶରେ କରୋନା ସଂକ୍ରମଣ ବେଶ ଦ୍ରୁତଗତିରେ ବ୍ୟାପୁଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ବହୁତ କମଙ୍କ କ୍ଷେତ୍ରରେ ଲକ୍ଷଣ ଦେଖାଯାଉଛି। ଅନେକ ଆକ୍ରାନ୍ତଙ୍କ ପାଖରେ କୌଣସି ଲକ୍ଷଣ ହିଁ ନାହିଁ। ଆମକୁ ସତର୍କ ରହିବାକୁ ପଡ଼ିବ। ଦେଶରେ ଏବେ ତୃତୀୟ ୱେଭ ଆରମ୍ଭ ହୋଇଛି।

କିନ୍ତୁ ଦିଲ୍ଲୀ କରୋନାର ୫ମ ଲହରର ସମ୍ମୁଖୀନ ହେଉଛି। ଓମିକ୍ରନ ଏବେ ସାରା ଦେଶରେ ବ୍ୟାପୁଛି। କେବଳ ୩୦୦ରୁ ୪୦୦ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଉଛି। ସବୁ ନମୁନାର ସିକ୍ୱେନ୍ସିଂ କରିବା ସମ୍ଭବ ନୁହେଁ। ତେଣୁ ଅନେକ ଲୋକଙ୍କ ଶରୀରରେ ଓମିକ୍ରନ ଭାରିଏଣ୍ଟ ରହିଥିବା ଆଶଙ୍କା କରାଯାଉଛି।

ଆଜି ଦିଲ୍ଲୀରେ ମୋଟ ୯୦ ହଜାର ଲୋକଙ୍କ କରୋନା ଟେଷ୍ଟ କରାଯାଇଛି। ତେଣୁ ଦୈନିକ ସଂକ୍ରମଣ ୧୦ ହଜାର ପାର କରିପାରେ। ଆମେ ଏଠାରେ ଥିବା ସମସ୍ତ ଘରୋଇ ହସ୍ପିଟାଲକୁ ସେମାନଙ୍କ କରୋନା ବେଡ୍‌ ସଂଖ୍ୟା ୧୦%ରୁ ୪୦% ବୃଦ୍ଧି କରିବାକୁ କହିଛୁ। ବର୍ତ୍ତମାନ ସରକାରୀ ହସ୍ପିଟାଲର ଗୁଡ଼ିକରେ ପ୍ରାୟ ୫% ବେଡ୍‌ରେ ଆକ୍ରାନ୍ତ ରହିଛନ୍ତି। ”

ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ଶ୍ରୀ ଜୈନ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ସୁସ୍ଥ। କିନ୍ତୁ ସେ ଆଇସୋଲେସନରେ ରହିଛନ୍ତି।”

ସୂଚନାଯୋଗ୍ୟ, ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ମଙ୍ଗଳବାର ଦିଲ୍ଲୀର ପଜିଟିଭିଟି ରେଟ୍‌ ୮.୩% ରହିଥିଲା। ଦିନକ ପୂର୍ବରୁ ଏହା ୬.୪୬% ରେକର୍ଡ କରାଯାଇଥିଲା। ଏହାର ଅର୍ଥ ସଂକ୍ରମଣ ସାଙ୍ଗକୁ ପଜିଟିଭିଟି ରେଟ୍‌ ମଧ୍ୟ ବଢ଼ୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।