ରାଜଧାନୀରେ କରୋନା ବିସ୍ଫୋରଣ, ପଜିଟିଭିଟି ରେଟ ୨୫% ଡେଇଁଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ବିସ୍ଫୋରଣ କ୍ରମାଗତ ଭାବେ ଜାରି ରହିଛି। ଗତ ୨୪ ଘଣ୍ଟାରେ ୨୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଜିଟିଭିଟି ରେଟ୍‌ ୨୫% ପାର କରିଯାଇଛି। ଏହା ଦେଶରେ ସବୁଠାରୁ ଅଧିକ। ଚଳିତ ସପ୍ତାହରେ ହିଁ ଦିଲ୍ଲୀରେ କରୋନା ତା’ର ସର୍ବୋଚ୍ଚ ଗତି ଦେଖାଇବ ବୋଲି ଆଜି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। ଏହାର ଅର୍ଥ ପିକ୍‌ ସମୟରେ ଦୈନିକ ପ୍ରାୟ ୩୦ରୁ ୩୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି।

ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଦିନକରେ ୨୧,୨୫୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଗତକାଲି ତୁଳନାରେ ୧୦% ଅଧିକ। ସୋମବାର ୧୯,୧୬୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେହିପରି ଦିଲ୍ଲୀରେ ପଜିଟିଭିଟି ରେଟ ୨୫.୬୫% ରହିଛି। ଏହା ମେ’ ୫ ତାରିଖ ପରେ ସବୁଠାରୁ ଅଧିକ।

୨୪ ଘଣ୍ଟାରେ ୨୩ ଜଣଙ୍କ ମୁଣ୍ଡ ନେଇଛି ଏହି ପ୍ରାଣଘାତୀ ଭାଇରସ। ଏହାକୁ ମିଶାଇ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୫,୨୦୦ରେ ପହଞ୍ଚିଛି। ଏଯାଏ ଦିଲ୍ଲୀରେ ୧୫,୯୦,୧୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪,୯୦,୦୭୪ ଜଣ ସୁସ୍ଥ ହୋଇଛନ୍ତି। ଦିନକରେ ୧୨୧୬୧ ଜଣ କରୋନାକୁ ମାତ ଦେଇ ଘରକୁ ଫେରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୮୨,୮୮୪ଟି ନମୁନା ପରୀକ୍ଷା କରାଯାଇଥିଲା ଓ ଏହା ମଧ୍ୟରୁ ୨୧,୨୫୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।


ହସ୍ପିଟାଲରେ ଏବେ ୨୧୬୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆଇସିୟୁରେ ୫୨୩ ଜଣ ଥିବା ବେଳେ ଅମ୍ଳଜାନ ସହାୟତାରେ ୫୬୮ ଜଣଙ୍କୁ ରଖାଯାଇଛି। ହୋମ ଆଇସୋଲେସନରେ ମୋଟ ୫୦,୭୯୬ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ସିସିସିରେ ୬୨୭ ଜଣ ଓ ସିଏଚସିରେ ୩୮ ଜଣଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।