ଅଫତାବକୁ ଦିଲ୍ଲୀସ୍ଥିତ ଛତରପୁର ଘରକୁ ନେଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ୱାକର୍ ହତ୍ୟାକାଣ୍ଡକୁ ନେଇ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର । ଶ୍ରଦ୍ଧାଙ୍କ କଟାମୁଣ୍ଡ ମିଳିଛି ବୋଲି ଦିଲ୍ଲୀ ପୁଲିସ ଦାବି କରିବା ପରେ ଆଜି ଅଫତାବକୁ ଦିଲ୍ଲୀ ଛତରପୁର ଘରକୁ ନେଇ ତଦନ୍ତ କରିଛି ପୁଲିସ। ଛତରପୁରର ଏହି ଘରେ ରହୁଥିଲେ ଅଫତାବ୍ ଓ ଶ୍ରଦ୍ଧା । କୁହାଯାଉଛି, ମେ ୧୮ ହତ୍ୟାକାଣ୍ଡର ସମସ୍ତ ଘଟଣାକୁ ଗୋଟି ଗୋଟି କରି ପୁଲିସ ଆଗରେ ଆଜି ପୁଣି କହିଛି ଅଫତାବ। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ନେଇ ବି ତଦନ୍ତ ହୋଇଛି। ହତ୍ୟା ପରେ କଟା ମୁଣ୍ଡ ଓ ଶରୀରର ଅନ୍ୟ ଅଂଶକୁ କିପରି ବ୍ୟାଗରେ ପୂରାଉଥିଲା ? କିପରି ଏହି ବ୍ୟାଗକୁ ନେଇ ମେହରୁଲି ଜଙ୍ଗଲକୁ ଯାଉଥିଲା ସେ ଦିଗରେ ବି ତଦନ୍ତ ହେଉଛି। ଶ୍ରଦ୍ଧାଙ୍କ ବାପାଙ୍କ ଡିଏନ୍ଏ ସହ ମିଳିଥିବା ଖପୁରୀର ମେଳ କରାଯାଉଛି।  ତାସହ ଘରୁ ମିଳିଥିବା ରକ୍ତ ଛିଟା ଓ ଆନୁସଙ୍ଗିକ ସାମଗ୍ରୀର ଫରେନସିକ୍ ଯାଞ୍ଚ ହେଉଛି।

ଅନ୍ୟପଟେ ରାଜଧାନୀ ଅନ୍ୟପଟେ ହତ୍ୟା ମାମଲାରେ ଜହ୍ଲାଦ ପ୍ରେମିକ ଅଫତାବର ଆସନ୍ତାକାଲି ନାର୍କୋ ଟେଷ୍ଟ ହୋଇପାରେ। ଏହି ହତ୍ୟାକାଣ୍ଡର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଅଫତାବର ନାର୍କୋ ଟେଷ୍ଟ ପାଇଁ ଦିଲ୍ଲୀ ପୁଲିସ ଫରେନସିକସ୍‌ ଟିମକୁ ଅନୁରୋଧ କରିଛି।  ଆସନ୍ତାକାଲି ଦିଲ୍ଲୀର ରୋହଣୀଠାରେ ଥିବା ଡକ୍ଟର ବାବା ସାହେବ ଆମ୍ବେଦକର ହସପିଟାଲରେ ଅଫତାବର ନାର୍କୋ ଟେଷ୍ଟ ହୋଇପାରେ।

ନାର୍କୋ ଟେଷ୍ଟ ପାଇଁ ପୂର୍ବରୁ ଦିଲ୍ଲୀର ସାକେତ କୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। କାରଣ ଅଫତାବ ବାରମ୍ବାର ନିଜର ବୟାନ ବଦଳାଉଛନ୍ତି। ନାର୍କୋ ପରୀକ୍ଷା ସମୟରେ ଏକ ଫୋରେନସିକ୍ ଟିମ୍ ଉପସ୍ଥିତ ରହିବା ଏବଂ ପରୀକ୍ଷାର ଭିଡିଓଗ୍ରାଫି କରାଯିବ। ଏବେ ଯାଏ ଶ୍ରଦ୍ଧାଙ୍କ ଶରୀରର ସବୁ ଖଣ୍ଡ ପୁଲିସକୁ ମିଳିନଥିବା ବେଳେ ଅଫତାବ କେତେ ସତ ଏବଂ କେତେ ମିଛ କହୁଛି, ତାହା ଜାଣିପାରୁନାହିଁ ପୁଲିସ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।