ନଭେମ୍ବର ପରେ ପ୍ରଥମଥର ରାଜଧାନୀରେ ଦୈନିକ ସଂକ୍ରମଣ ୫ ହଜାର ଟପିଲା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ଦେଶରେ ଥମିବାର ନାଁ ଧରୁନି। ମହାରାଷ୍ଟ୍ର ଭଳି ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ଗଲା ୬ ମାସର ରେକର୍ଡ ଭାଙ୍ଗି ଦେଇଛି।

ଗୋଟିଏ ଦିନରେ ଏଠାରେ ୫,୧୦୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଶେଷଥର ପାଇଁ ଗତ ନଭେମ୍ବର ମାସରେ ଦିଲ୍ଲୀରେ ୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ଦିଲ୍ଲୀରେ ବି କରୋନାର ଦ୍ୱିତୀୟ ଲହରୀ ଉଗ୍ର ରୂପ ଧାରଣ କଲାଣି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୫,୧୦୦ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୮୫,୦୬୨କୁ ବୃଦ୍ଧି ପାଇଛି।

ସେହିପରି ମହାମାରୀ କରୋନା ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧,୧୧୩ରେ ପହଞ୍ଚି ଯାଇଛି। ଶେଷଥର ପାଇଁ ନଭେମ୍ବର ୨୭ରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୫ ହଜାର ଅତିକ୍ରମ କରିଥିଲା। ନଭେମ୍ବରରେ ୨୭ରେ ୫,୪୮୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

ଗତ ୨୪ ଘଣ୍ଟାରେ ୨୩୪୦ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ ହୋଇଛି। ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ଟେଷ୍ଟିଂ ହେବାରୁ ପଜିଟିଭ ହାର ୫%କୁ ହ୍ରାସ ପାଇଛି। ଏବେ ଦିଲ୍ଲୀରେ ମୋଟ ୩୨୯୧ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ଦିଲ୍ଲୀ ସରକାର ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜି ଠାରୁ ଏପ୍ରିଲ ୩୦ ଯାଏ ରାତି ୧୦ରୁ ଭୋର ୫ଟା ଯାଏ କର୍ଫ୍ୟୁ ଲାଗୁ ହେବ। କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ ବୋଲି ସରକାର କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।