ରାଜଧାନୀରେ କମୁଛି କରୋନା ସଂକ୍ରମଣ, କିନ୍ତୁ ମୃତ୍ୟୁସଂଖ୍ୟା କମୁନି

ନୂଆଦିଲ୍ଲୀ: ମହମାରୀ କରୋନାର ଅନ୍ୟତମ ହଟସ୍ପଟ ଜାତୀୟ ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଦୈନିକ ସଂକ୍ରମଣ ୩୦ ହଜାରରୁ ଆଜି ୧୦ ହଜାରକୁ ଖସିଛି। ତେବେ ମୃତ୍ୟୁସଂଖ୍ୟାରେ କୌଣସି ପ୍ରକାରର ବିରାମ ଲାଗୁନି। ପୂର୍ବଭଳି ଦିଲ୍ଲୀରେ ଦୈନିକ ୩୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାରେ ଲାଗିଛନ୍ତି।

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୧୦, ୪୮୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୩୦୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏବେ ଦିଲ୍ଲୀରେ ପଜିଟିଭି ରେଟ୍‌ ୧୪.୨୪% ରହିଛି। ୨୦୨୧ ମସିହା ଏପ୍ରିଲ ୧୩ ପରେ ଆଜିର ପଜିଟିଭିଟି ରେଟ୍‌ ସବୁଠାରୁ କମ। ସେତେବେଳେ ଦିଲ୍ଲୀରେ ପଜିଟିଭିଟି ରେଟ୍‌ ୧୩.୧୪% ଥିଲା।

ଶନିବାର ଦିଲ୍ଲୀରେ ପଜିଟିଭିଟି ରେଟ୍‌ ୨୩.୩୪% ରହିଥିବା ବେଳେ ରବିବାର ଏହା ୨୧.୬୭%କୁ ହ୍ରାସ ପାଇଥିଲା। ସୋମବାର ଏହା ୧୯.୧୦%, ମଙ୍ଗଳବାର ୧୭.୮% ଓ ବୁଧବାର ୧୭%କୁ ହ୍ରାସ ପାଇଥିଲା। ଏହାର ଅର୍ଥ ଦିଲ୍ଲୀରେ କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଉଛି। ଏପ୍ରିଲ ୨୨ରେ ଦିଲ୍ଲୀରେ ସର୍ବାଧିକ ପଜିଟିଭିଟି ରେଟ୍‌ ୩୬.୨% ରେକର୍ଡ କରାଯାଇଥିଲା।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୭୨,୪୭୫କୁ ବୃଦ୍ଧି ପାଇଛି। ସେହିପରି ମୋଟ ମୃତକଙ୍କ ସଂଖ୍ୟା ୨୦,୬୧୮ରେ ପହଞ୍ଚି ଯାଇଛି। ୨୪ ଘଣ୍ଟାରେ ୧୫,୧୮୯ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨,୭୪,୧୪୦ ହୋଇଯାଇଛି। ରାଜଧାନୀରେ ଆକ୍ଟିଭ କେସ୍‌ ସଂଖ୍ୟା ୭୭,୭୧୭ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।