ରାଜଧାନୀରେ ପୁଣି କମିଲା ଦୈନିକ ସଂକ୍ରମଣ, ପଜିଟିଭିଟି ରେଟ୍‌ ୧୨.୪୦%

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନାର ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଦୈନିକ ୩୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ଏହା ୧୦ ହଜାର ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୮,୫୦୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଦୀର୍ଘ ମାସକ ମଧ୍ୟରେ ଏହା ସବୁଠାରୁ କମ ଦୈନିକ ସଂକ୍ରମଣ। ଦୈନିକ ସଂକ୍ରମଣ କମୁଥିବାରୁ ପଜିଟିଭିଟି ରେଟ୍‌ ମଧ୍ୟ ହ୍ରାସ ପାଉଛି। ଏବେ ଦିଲ୍ଲୀର ପଜିଟିଭିଟି ରେଟ୍‌ ୧୨.୪୦% ରହିଛି। କିନ୍ତୁ ଦିନକରେ କରୋନା ଆଉ ୨୮୯ ଜଣଙ୍କ ଜୀବନ ନେବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ସେହିପରି ସଂକ୍ରମଣ କମୁଥିଲେ ମଧ୍ୟ ରାଜଧାନୀରେ ଥିବା ସମସ୍ତ ଆଇସିୟୁ ବେଡ୍‌ ଏବେ ବି ଫୁଲ ହୋଇ ରହିଥିବା ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

ସୂଚନା ଅନୁସାରେ, ଏପ୍ରିଲ ୧୧ ପରେ ଆଜି ଦିଲ୍ଲୀର ପଜିଟିଭିଟି ରେଟ୍ ସବୁଠାରୁ କମ ରହିଛି। ଆଜି ଏହା ୧୨.୪୦% ରହିଥିବା ବେଳେ ଏପ୍ରିଲ ୧୧ରେ ପଜିଟିଭିଟି ରେଟ୍ ୯.୪% ରହିଥିଲା। ସେହିପରି ଏପ୍ରିଲ ୧୦ରେ ଶେଷଥର ପାଇଁ ଦିଲ୍ଲୀରେ ସବୁଠାରୁ କମ ଦୈନିକ ସଂକ୍ରମଣ ୭,୮୯୭ ଥିଲା। ସେବାଠାରୁ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଜି ୮,୫୦୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ୨୪ ଘଣ୍ଟାରେ ୧୪,୧୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ଗତ ୧୦ ଦିନ ଭିତରେ ପ୍ରାୟ ୩ ହଜାର ବେଡ୍ ଖାଲି ହୋଇଗଲାଣି। ଏହା ଏକ ଭଲ ସଙ୍କେତ। କିନ୍ତୁ ଏବେ ବି ସମସ୍ତ ଆଇସିୟୁ ବେଡ୍‌ ଫୁଲ୍‌ ହୋଇ ରହିଛି। ଅର୍ଥାତ ଏହି ବେଡ୍‌ରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ଶକ୍ତ ଲକଡାଉନ ଓ ଦିଲ୍ଲୀବାସୀଙ୍କ ସତର୍କତା ଯୋଗୁ ଆଜି ସଂକ୍ରମଣ ହ୍ରାସ ପାଇଛି। ସଂକ୍ରମଣ କମିଥିଲେ ମଧ୍ୟ ଆମକୁ ସତର୍କ ରହିବାକୁ ପଡ଼ିବ।

ମହାମାରୀ ଯୋଗୁ ଯେଉଁ ପିଲାମାନେ ସେମାନଙ୍କ ବାପାମା’ଙ୍କୁ ହରାଇଛନ୍ତି, ସେମାନଙ୍କର ସବୁ ଦାୟିତ୍ୱ ସରକାର ବହନ କରିବେ। ସେହିପରି ଦିଲ୍ଲୀର ଯେଉଁ ବରିଷ୍ଠ ନାଗରିକମାନେ ସେମାନଙ୍କ ଯୁବ ପିଲାଙ୍କୁ ହରାଇଛନ୍ତି, ସେମାନଙ୍କ କଥା ମଧ୍ୟ ଦିଲ୍ଲୀ ସରକାର ବୁଝିବେ। ଦିଲ୍ଲୀରେ ସ୍ଥିତି ସୁଧୁରିବାରେ ଲାଗିଛି। କିନ୍ତୁ କରୋନା ବିରୋଧରେ ଯୁଦ୍ଧ ଜାରି ରହିଛି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।