ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ମାସ୍କ ପରିଧାନ ନିୟମ କୋହଳ କରିବା ଆରମ୍ଭ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ ବୋଲି କହିଛି। ଏହି ନିୟମ ଶନିବାର ଠାରୁ ଲାଗୁ ହେବ।
ଏବେ ଦିଲ୍ଲୀ ସରକାର ମଧ୍ୟ ମାସ୍କ ନିୟମରେ କୋହଳ କରିଛନ୍ତି। ଅବଶ୍ୟ ଦିଲ୍ଲୀ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କହିନାହାନ୍ତି। କିନ୍ତୁ ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ବି କାହା ଠାରୁ ଜୋରିମାନା ଆଦାୟ କରାଯିବ ନାହିଁ। ପୂର୍ବରୁ ମାସ୍କ ନିୟମ ଉଲ୍ଲଙ୍ଘନ ପାଇଁ ଲାଗୁ ଜୋରିମାନା ଅର୍ଥକୁ ହ୍ରାସ କରାଯାଇଥିଲା।
ଗୁରୁବାର ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଖୁବଶୀଘ୍ର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏବେ ଦିଲ୍ଲୀର ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କାର ଜୋରିମାନା ଆଦାୟ କରାଯାଉଛି। ପୂର୍ବରୁ ଏହା ୧ ହଜାର ଟଙ୍କା ରହିଥିଲା। ବର୍ତ୍ତମାନ ସରକାର ଜୋରିମାନା ନିୟମ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।
ହେଲେ ଲୋକଙ୍କୁ ଯଥା ସମ୍ଭବ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା ନେଇ ଗୋଟିଏ ନିର୍ଦ୍ଦେଶନାମା ମଧ୍ୟ ସରକାର ଜାରି କରିବେ। ଆଜି ଉପ ରାଜ୍ୟପାଳ ଅନୀଲ ବୈଜଲଙ୍କ ଅଧ୍ୟତାରେ ବସିଥିବା ଡିଡିଏମଏ ବୈଠକରେ ଦିଲ୍ଲୀର କରୋନା ସ୍ଥିତି ଉପରେ ଆଲୋଚନା ହୋଇଥିଲା। ରାଜଧାନୀରେ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଉଥିବାରୁ ଏଠାରୁ ସବୁ ପ୍ରକାରର କଟକଣା ହଟାଇବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।