୩ ମାସ ଭିତରେ ରାଜଧାନୀରେ ସବୁ ଲୋକଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ଦ୍ୱାରା କ୍ଷତିଗ୍ରସ୍ତ ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଅକ୍ସିଜେନ ସଙ୍କଟ ଦୂର ହୋଇଯାଇଛି। କେନ୍ଦ୍ର ସରକାର ଆବଶ୍ୟକ ଅକ୍ସିଜେନ ଯୋଗାଇ ଦେବାରୁ ଦିଲ୍ଲୀରେ ଆଉ ଏହାର ଅଭାବ ଦେଖାଯାଉନି। ଏବେ ଦିଲ୍ଲୀରେ ଥିବା ସବୁ ଲୋକଙ୍କୁ ଟିକା ଦେବା ଉପରେ ଫୋକସ କରିଛନ୍ତି କେଜ୍ରିୱାଲ ସରକାର।

ଆସନ୍ତା ୩ ମାସ ମଧ୍ୟରେ ରାଜଧାନରେ ଟିକାକରଣ କାର୍ଯ୍ୟକ୍ରମ ଶେଷ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ୩ ମାସ ଭିତରେ ସବୁ ଲୋକଙ୍କୁ ଟିକା ପ୍ରଦାନ କରାଯିବ ଓ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଉଥିବା ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। କରୋନା ସ୍ଥିତିର ସମୀକ୍ଷା କରିବାକୁ ଆଜି କେଜ୍ରିୱାଲ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ।

ଏହି ବୈଠକରେ ସେ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀରେ କୌଣସି ପ୍ରକାରର ଅକ୍ସିଜେନ ସଙ୍କଟ ନାହିଁ। ଆମ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ବେଡ୍‌ ଥିବାରୁ ଆଉ ରୋଗୀଙ୍କୁ ହନ୍ତସନ୍ତ ହେବେନାହିଁ। ଏବେ ଟିକାକରଣ ଉପରେ ଫୋକସ କରିବାକୁ ପଡ଼ିବ। ଏଥିପାଇଁ ସେ ୩ ମାସ ମଧ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାଦ୍ୱାରା କରୋନାର ସାମ୍ଭାବ୍ୟ ତୃତୀୟ ୱେଭକୁ ରୋକା ଯାଇପାରିବ ବୋଲି ସେ କହିଛନ୍ତି। ୩ ମାସ ମଧ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଶେଷ କରିବାକୁ କହିଥିବା କେଜ୍ରିୱାଲ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତି ଜିଲ୍ଲାର ମାଜିଷ୍ଟ୍ରେଟମାନେ ଦୈନିକ ୨ରୁ ୪ଟି ଟିକାକରଣ କେନ୍ଦ୍ରକୁ ଯାଇ ସ୍ଥିତି ସମୀକ୍ଷା କରିବେ।

ସେହିପରି ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ସହ ଆବଶ୍ୟକ ଭିତ୍ତିଭୂମିର ବ୍ୟବସ୍ଥା କରିବେ। ଜିଲ୍ଲା ମାଜିଷ୍ଟ୍ରେଟମାନେ ଅତର୍କିତ ଭାବେ ବିଭିନ୍ନ କୋଭିଡ ରିଲିଫ କେନ୍ଦ୍ର ଓ ବୃଦ୍ଧାଶ୍ରମକୁ ଯାଇ, ସେଠାରେ ସ୍ଥିତି ଯାଞ୍ଚ କରିବାକୁ ମଧ୍ୟ ସେ କହିଛନ୍ତି।

ଦିଲ୍ଲୀର ସମସ୍ତ ମିଡିଆ ହାଉସରେ ବିଶାଳ ଟିକାକରଣ କାର୍ଯ୍ୟକ୍ରମ କରାଯିବ। ଏଥିରେ ଟିଭି, ୱେଭ ଓ ପ୍ରିଣ୍ଟ ମିଡିଆର ସାମ୍ବାଦିକ ସାମିଲ ହେବେ। ସେମାନଙ୍କ ଅଫିସରେ ଟିକାକରଣ ବ୍ୟବସ୍ଥା କରାଯାଇ କର୍ମକର୍ତ୍ତାକୁ ମାଗାଣରେ ଟିକା ଦିଆଯିବ। ଏହାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କେଜ୍ରିୱାଲ କହିଛନ୍ତି। ସେ କହିଛନ୍ତି, ସାମ୍ବାଦିକମାନେ ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତିରେ ରିପୋର୍ଟିଂ କରୁଛନ୍ତି। ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯିବା ଉଚିତ। ଦିଲ୍ଲୀ ସରକାର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ବୋଲି କେଜ୍ରିୱାଲ ଟ୍ୱିଟ କରିଛନ୍ତି।


ସୂଚନାଯୋଗ୍ୟ, ଏପ୍ରିଲ ଆରମ୍ଭରୁ ଦିଲ୍ଲୀର କରୋନା ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଥିଲା। ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ଅକ୍ସିଜେନ ଓ ବେଡର ଘୋର ଅଭାବ ଦେଖାଯାଇଥିଲା। କ୍ରମାଗତ ଭାବେ ଦୈନିକ ସଂକ୍ରମଣ ୩୦ ହଜାର ପାଖରେ ରହିବା ସହ ମୃତ୍ୟୁସଂଖ୍ୟା ବି ବଢ଼ିଥିଲା।

ହେଲେ ଦୁଇ ଦିନ ହେଲା ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଇଛି। ପଜିଟିଭିଟି ରେଟ୍ ଏପ୍ରିଲ ୧୮ ପରେ ପ୍ରଥମଥର ୨୫% ତଳକୁ ଖସିଛି। ଆଗକୁ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ସମସ୍ତେ ଆଶା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।