ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ୧୮୦୦ କୋଟି ଟଙ୍କାର ସବ୍‌ସିଡି ଖାଇଗଲେ ଦୁଇ ଭାଇ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲିଙ୍କ୍‌ ରହିଥିବା ଗୋଟିଏ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ କରିଛି ସିବିଆଇ। ଏଥିସହ ଡିଏଚ୍‌ଏଫଏଲର ଦୁଇ ଭାଇ କପିଲ ଓ ଧୀରଜ ୱାଧାୱାନଙ୍କ ବିରୋଧରେ ଏଫଆଇଆଇ ମଧ୍ୟ କରିଛି। କପିଲ ଓ ଧୀରଜ ଡିଏଚ୍‌ଏଫଏଲର ପ୍ରମୋଟର୍ସ ଭାବେ କାର୍ଯ୍ୟ କରୁଥିଲେ।

ସେମାନେ ଏବେ ଠକେଇ ଓ ମନିଲଣ୍ଡରିଂ ମାମଲାରେ ଜେଲରେ ରହିଛନ୍ତି। ସିବିଆଇ କହିଛି, ଡିଏଚ୍‌ଏଫଏଲର ନିର୍ଦ୍ଦେଶକମାନେ ଫେକ୍‌ ହୋମ ଲୋନ୍‌ ଆକାଉଣ୍ଟ ଜରିଆରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ସିବିଆଇ ବୁଧବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ସଂଶ୍ଲିଷ୍ଟ ଦୁର୍ନୀତିର ପର୍ଦ୍ଦାଫାସ କରି କହିଛି, କପିଲ ଓ ଧୀରଜ ନକଲି ଏବଂ ସନ୍ଦିଗ୍ଧ ହୋମ ଲୋନ୍‌ ଆକାଉଣ୍ଟ ଖୋଲିଥିଲେ। ଏହାର ମୂଲ୍ୟ ପ୍ରାୟ ୧୪,୦୦୦ କୋଟି ଟଙ୍କା ଥିଲା। ଏହି ଖାତାଗୁଡ଼ିକ ଜରିଆରେ ଭାରତ ସରକାରଙ୍କ ଠାରୁ ଦୁଇ ଭାଇ ସବସିଡି ଆକାରରେ ୧୮୦୦ କୋଟି ଟଙ୍କା ନେଇ ଯାଇଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୦୧୫ରେ ଆରମ୍ଭ ହୋଇଥିଲା। ସମସ୍ତଙ୍କୁ ଘର ଯୋଗାଇ ଦେବା ପାଇଁ ଭାରତ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଯୋଜନା ଅଧୀନରେ ସରକାର ଆର୍ଥିକ ପଛୁଆ ବର୍ଗ, ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକଙ୍କୁ ଗୃହ ନିର୍ମାଣ ପାଇଁ ଋଣ ଦିଅନ୍ତି। ସେମାନଙ୍କୁ ସୁଧ ଉପରେ ସବସିଡି ମଧ୍ୟ ସିଧାସଳଖ ଆକାଉଣ୍ଟକୁ ପଠାଯାଏ।

ସିବିଆଇର ତଥ୍ୟ ଅନୁସାରେ, ଡିସେମ୍ବର ୨୦୧୮ରେ ଡିଏଚଏଫଏଲ ନିବେଶକମାନଙ୍କୁ କହିଥିଲା ଯେ ସଂସ୍ଥା ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୮୮,୬୫୧ଟି ଋଣକୁ କାର୍ଯ୍ୟକାରୀ କରିଛି ଓ ସବସିଡି ଆକାରରେ ୫୩୯.୪ କୋଟି ଟଙ୍କା ପାଇଛି। ସେହିପରି ଆଉ ୧୩୪୭. ୮ କୋଟି ଟଙ୍କା ପାଇବାକୁ ବାକି ରହିଛି।

କିନ୍ତୁ ଅଡିଟିରୁ ଜଣାପଡ଼ିଥିଲା ଯେ ଡିଏଚ୍‌ଏଫଏଲର ବାନ୍ଦ୍ରା ଶାଖାରେ କପିଲ ଓ ଧୀରଜ ୨.୬ ଲକ୍ଷ ନକଲି ଗୃହ ଋଣ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟଗୁଡ଼ିକୁ ୨୦୦୭ରୁ ୨୦୧୯ ମଧ୍ୟରେ ୧୪,୦୫୬ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ୧୧,୭୫୫ କୋଟି ଟଙ୍କା ସନ୍ଦିଗ୍ଧ କମ୍ପାନୀରେ ଜମା କରାଯାଇଥିଲା।

ସିବିଆଇ ଗତ ବର୍ଷ ଜୁନ୍ ମାସରେ ଦୁଇ ଭାଇ ଓ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା। କପୁର ପରିବାର ଡିଏଚଏଫଏଲରେ ନିବେଶ କରି କିକ୍‌ବ୍ୟାକ୍‌ ପାଇଥିବା ସିବିଆଇ କହିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।