କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ କି ଦିଗବିଜୟ ସିଂହ? ଦେଲେ ଏମିତି ସଙ୍କେତ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି କିଏ ହେବେ, ତା’କୁ ଛକାପଞ୍ଝା ଜାରି ରହିଛି। ଆସନ୍ତାକାଲି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ବରିଷ୍ଠ ନେତା ଶଶି ଥରୁର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ। ଯଦି ରାହୁଲ ଗାନ୍ଧି ସଭାପତି ଦାୟିତ୍ୱ ନେବାକୁ ପୁଣି ରାଜି ନ ହେବେ, ତା’ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଲଢ଼େଇ କରିବେ।

କିନ୍ତୁ ଏ ସବୁ ଭିତରେ ଦଳର ଅନ୍ୟତମ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ବୟାନ ନୂଆ ଟ୍ୱିଷ୍ଟ ଆଣିଛି। ସେ ମଧ୍ୟ କାହିଁକି ଅଧ୍ୟକ୍ଷ ରେସ୍‌ରେ ସାମିଲ ହେବେ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ସେହିପରି ଅଶୋକ ଗେହଲଟ ଯଦି କଂଗ୍ରେସ ମୁଖିଆ ହୁଅନ୍ତି, ତା’ହେଲେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ ବୋଲି ଶ୍ରୀ ସିଂହ କହିଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଛକାପଞ୍ଝା ଉପରେ ଶ୍ରୀ ସିଂହ ମତ ରଖିଛନ୍ତି। ସେ କହିଛନ୍ତି “କଂଗ୍ରେସ ଜଣେ ବ୍ୟକ୍ତି, ଗୋଟିଏ ପୋଷ୍ଟ ନୀତିକୁ ରାଜସ୍ଥାନର ଉଦୟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇ ସାରିଛି।”

କିନ୍ତୁ ଗେହଲଟ ଆଜି କହିଛନ୍ତି ଯେ ସେ ଗୋଟିଏ ନୁହେଁ ବରଂ ଏକାଥରକେ ୩ଟି ପଦ ସମ୍ଭାଳିବେ। ଏହାର ଅର୍ଥ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ସଚିନ ପାଇଲଟଙ୍କୁ ଦେବା ମୁଡରେ ନାହାନ୍ତି।

କ’ଣ ଗେହଲଟ ଉଭୟ କଂଗ୍ରେସ ମୁଖିଆ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ପାରିବେ ବୋଲି ପ୍ରଶ୍ନ କରାଯିବାରୁ ଦିଗବିଜୟ ସିଂହ ଉଦୟପୁର ସଂକଳ୍ପ କଥା କହିଛନ୍ତି। ତା’ହେଲେ କ’ଣ ଗେହଲଟଙ୍କୁ ଇସ୍ତଫା ଦେବାକୁ ହେବ ବୋଲି ପ୍ରଶ୍ନରେ ଶ୍ରୀ ସିଂହ ହଁରେ ଉତ୍ତର ରଖିଛନ୍ତି।

ସେହିପରି କଂଗ୍ରେସ ଅଧ୍ୟକ୍ଷ କିଏ ହେବେ? ଗେହଲଟ ନା ଥରୁର? ଏହାର ଉତ୍ତରରେ ଦିଗବିଜୟ ସିଂହ କହିଛନ୍ତି, “ଦେଖାଯାଉ କ’ଣ ହେଉଛି। ମୁଁ ମଧ୍ୟ ନିଜକୁ ଏହି ରେସ୍‌କୁ ବାଦ ଦେଇନାହିଁ। କାହିଁକି ଆପଣମାନେ ଅଧ୍ୟକ୍ଷ ରେସ୍‌କୁ ମୋତେ ବାଦ୍‌ ଦେବାକୁ ଚାହୁଁଛନ୍ତି? ପ୍ରତ୍ୟେକ ବ୍ୟକ୍ତିର ନିର୍ବାଚନ ଲଢ଼ିବାର ଅଧିକାର ରହିଛି। ଆପଣ ୩୦ ତାରିଖ ସନ୍ଧ୍ୟା ବେଳକୁ କେଉଁମାନେ ନିର୍ବାଚନ ଲଢ଼ୁଛନ୍ତି, ସେକଥା ଜାଣିପାରିବେ।” ୩୦ ତାରିଖ ହେଉଛନ୍ତି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ।

କ’ଣ ଗାନ୍ଧି ପରିବାରର କେହି ବି ନିର୍ବାଚନ ଲଢ଼ିବେ ନାହିଁ? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହାକୁ ନେଇ କୌଣସି ଚିନ୍ତା ନାହିଁ। ଯାହାର ବି ଇଚ୍ଛା ଅଛି, ସେମାନେ ନିର୍ବାଚନ ଲଢ଼ିପାରିବେ। ଯଦି କେହି ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାନ୍ତି, ତା’ହେଲେ କାହାକୁ ବାଧ୍ୟ ମଧ୍ୟ କରାଯିବ ନାହିଁ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।