ନିର୍ବାଚନ ଲଢ଼ିବେନି ବେଙ୍ଗଲ ବିଜେପି ମୁଖ୍ୟ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କ୍ଷମତାସୀନ ଟିଏମସି ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି। ବିଜେପି କ୍ଷମତାସୀନ ଟିଏମସିକୁ ଗାଦିଚ୍ୟୁତ କରିବା ପାଇଁ ଉଦ୍ୟମ ଜାରି ରଖିଛି। ତେବେ ବିଜେପିର ବେଙ୍ଗଲ ମୁଖ୍ୟ ଦିଲ୍ଲୀପ ଘୋଷ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ କେବଳ ରାଜ୍ୟରେ ବିଜେପିର ନିର୍ବାଚନୀ ପ୍ରଚାର ଉପରେ ଫୋକସ କରିବେ।

ସେ କହିଛନ୍ତି, “ନିର୍ବାଚନ ଲଢ଼ିବାକୁ ଜାରି ହୋଇଥିବା ପ୍ରାର୍ଥୀଙ୍କ ତାଲିକାରେ ମୋ ନାଁ ନାହିଁ। ରାଜ୍ୟର ବିଜେପି ମୁଖ୍ୟ ହିସାବରେ ଦଳର ପ୍ରଚାର ଶୈଳୀ ମୋ ତତ୍ତ୍ୱାବଧାନରେ ହେବ। ଦଳର ନେତୃବୃନ୍ଦ ମଧ୍ୟ ମୁଁ ପୂରା ରାଜ୍ୟର ପ୍ରଚାର ଉପରେ ଫୋକସ କରେ ବୋଲି ଚାହୁଁଛନ୍ତି। ତେଣୁ ମୁଁ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଲଢ଼ିବି ନାହିଁ।”


ରବିବାର ବିଜେପି ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ୬୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଓ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ରାଜୀବ ବାନାର୍ଜୀଙ୍କ ନାଁ ରହିଥିଲା। ଏହାପୂର୍ବରୁ ବିଜେପି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୫୮ ଜଣଙ୍କ ନାଁ ଘୋଷଣା କରିଥିଲା।

ବେଙ୍ଗଲର ୨୯୪ଟି ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୨୭ରେ ଆରମ୍ଭ ହେବ। ୨୯୪ଟି ଆସନ ମଧ୍ୟରୁ ୬୮ଟି ଆସନ ଏସସି ବର୍ଗ ପାଇଁ ସଂରକ୍ଷିତ ହୋଇ ରହିଥିବା ବେଳେ ୧୬ଟି ଆସନ ଏସ୍‌ଟି ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। ମେ’ ୩୦ରେ ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।