ଲିଙ୍ଗ ବଦଳାଇବେ, ମା’ ବାପା ଉଭୟ ହେବା ପାଇଁ ସାଇତି ରଖିଲେ ବୀର୍ଯ୍ୟ

ସୁରତ: ପୁଅଟିଏ ହୋଇ ଜନ୍ମ ହୋଇଥିଲେ। କିନ୍ତୁ ମନରେ ସବୁବେଳେ ଝିଅଙ୍କ ଭଳି ସଜେଇ ହେବାର ଇଚ୍ଛାଥିଲା। ଏହି ଇଚ୍ଛା ହିଁ ତାଙ୍କୁ ଆଜି ସାରା ବିଶ୍ୱରେ ଜଣେ ଚର୍ଚ୍ଚିତ ଚେହେରା କରିଦେଇଛି। ସେ ଏବେ ନିଜର ଲିଙ୍ଗ ବଦଳାଇ ସବୁଦିନ ପାଇଁ ଝିଅଟିଏ ହୋଇ ସମାଜରେ ବଞ୍ଚିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଅସ୍ତ୍ରୋପଚାର ପୂର୍ବରୁ ସେ ପୁରୁଷ ଭାବେ ନିଜର ସିମେନକୁ ସାଇତି ରଖିଛନ୍ତି। ଝିଅ ହେବା ପରେ ସେ ଏହି ସିମେନକୁ ବ୍ୟବହାର କରି ଭବିଷ୍ୟତରେ ମା’ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଗୁଜରାଟରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ଏଠାରେ ରହୁଥିବା ଜେସନୁର ଦୟାର ପେଶାରେ ଜଣେ ଡାକ୍ତର। ସେ ଲିଙ୍ଗ ପରିବର୍ତ୍ତନ କରିବା ପୂର୍ବରୁ ସୋମବାର ୪ ଭିଆଲ୍ସ ସିମେନକୁ ବାହାର କରି ଆନନ୍ଦ ଠାରେ ଥିବା ଗୋଟିଏ ହସ୍ପିଟାଲରେ ସଂରକ୍ଷିତ କରି ରଖିଛନ୍ତି। ସେ ତାଙ୍କ ସନ୍ତାନର ମା’ ଓ ବାପା ଉଭୟ ହେବା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

୨୫ ବର୍ଷୀୟ ଡା ଜେସନୁର ନିକଟରେ ରୁଷିଆର ଏମବିବିଏସ ଡିଗ୍ରୀ ହାସଲ କରିଛନ୍ତି। ଗୁଜରାଟର ପଞ୍ଚମହଲ ସ୍ଥିତ ଗୋଧ୍ରାର ଗୋଟିଏ ଛୋଟିଆ ସହରରେ ତାଙ୍କର ଜନ୍ମ ହୋଇଥିଲା। ସେ ପୁରୁଷ ଭାବେ ଜନ୍ମ ହୋଇଥିଲେ ହେଁ ଯୁବାବସ୍ଥାରୁ ତାଙ୍କ ଭିତରେ ଝିଅଙ୍କର ସବୁ ଗୁଣ ରହିଛି ବୋଲି ଅନୁଭବ କରିଥିଲେ।

ସେ ସବୁବେଳେ କେମିତି ତାଙ୍କ ମା’ ଓ ଭଉଣୀଙ୍କ ଭଳି ଶାଢ଼ି ପିନ୍ଧିବେ ଓ ଲିପଷ୍ଟିକ ଲଗାଇବେ, ସେ ଚିନ୍ତା କରୁଥିଲେ। କିନ୍ତୁ ପୁରୁଷର ଚେହେରା ଭିତରେ ନିଜର ମହିଳା ସ୍ୱାଭାବକୁ ସେ ଚାପି ରଖିଥିଲେ। ପରିବାର ଲୋକଙ୍କୁ ଚିନ୍ତା କିମ୍ବା ଦ୍ୱନ୍ଦ୍ୱରେ ନ ପକାଇବା ପାଇଁ ସେ ଚୁପ ରହିଥିଲେ। ଏକଥା ଜାଣିବା ପରେ ସମାଜ ତାଙ୍କୁ କେଉଁ ଆଖିରେ ଦେଖିବ, ସେ ଚିନ୍ତା ମଧ୍ୟ ତାଙ୍କୁ ଘାରିଥିଲା। ବେଶ କିଛି ବର୍ଷ ଧରି ଜେସନୁର ପୁରୁଷ ରୂପ ଓ ଭିତରେ ଗୋଟିଏ ଝିଅର ସ୍ୱାଭାବ ନେଇ ଆଗକୁ ବଢ଼ିଥିଲେ।

ତେବେ ମେଡିକାଲ ପାଠ୍ୟକ୍ରମ ପାଇଁ ସେ ବିଦେଶ ଯିବା ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲେ। ସେ ରୁଷରେ ମେଡିକାଲ ପାଠ ପଢ଼ୁଥିବା ବେଳେ ନିଜ ଇଚ୍ଛାରେ ବଞ୍ଚିବା ଆରମ୍ଭ କରିଥିଲେ। ତାଙ୍କ ଭିତରେ ଥିବା ଝିଅର ଗୁଣକୁ ସେ ଧୀରେଧୀରେ ସର୍ବସମ୍ମୁଖକୁ ଆଣିବାକୁ ଚେଷ୍ଟା କରିଥିଲେ।

ଝିଅଙ୍କ ଭଳି ପୋଷାକ ପିନ୍ଧିବା ଭଳି ଜେସନୁର ଲିପଷ୍ଟିକ ଓ ଚୁଟି ମଧ୍ୟ ରଖିଥିଲେ। ନିଜ ଶରୀରକୁ ମଧ୍ୟ ସେ ଝିଅଙ୍କ ଭଳି ଗଢ଼ିଥିଲେ। ତାଙ୍କୁ ଏବେ ଝିଅ ଦେଖିବ, ସେ ଯିଏ ନା ପୁଅ ସେକଥା ଆଦୌ ଜାଣିପାରିବ ନାହିଁ।

ସେ କହିଛନ୍ତି, ବିଦେଶ ଯିବା ପରେ ମୋ ଜୀବନର ଗତିପଥ ବଦଳି ଯାଇଥିଲା। ମୁଁ ମୋର ବାସ୍ତବତାକୁ ଅନୁଭବ କରିଥିଲି ଓ ମହିଳାଙ୍କ ଭଳି ଜୀବନ ବଞ୍ଚିବା ଆରମ୍ଭ କରିଥିଲି। ମୋତେ ସବୁ ସ୍ୱାଧୀନତା ମିଳିଥିଲା। ଧୀରେଧୀରେ ମୋ ପରିବାର ଓ ସମାଜ ମଧ୍ୟ ମୋତେ ଗ୍ରହଣ କରିବା ଆରମ୍ଭ କରିଥିଲା ବୋଲି ସେ କହିଛନ୍ତି।

ରୁଷିଆର ଏମବିବିଏସ ଡିଗ୍ରୀ ହାସଲ କରିଥିବା ଡା ଜେସନୁର ଏବେ ଭାରତରେ ଡାକ୍ତରୀ ସେବା କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସିମେନ ଦେଇ ସାରିଥିବା ଡା ଜେସନୁର ଚଳିତ ବର୍ଷ ଶେଷ ଭାଗରେ ନିଜର ଲିଙ୍ଗ ପରିବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

ସେ ଆହୁରି କହିଛନ୍ତି, “ମା’ କାଳୀ ମୋତେ ଗୋଟିଏ ମହିଳା ହେବା ପାଇଁ  ଶକ୍ତି ଦେଇଛନ୍ତି। ଜଣେ ମହିଳା ବାପା, ମା’ ଓ ବନ୍ଧୁ ହୋଇ ପାରିବ। ତେଣୁ ଭବିଷ୍ୟତରେ ମୁଁ ମୋର ଛୁଆର ମା’ ଓ ବାପା ଉଭୟ ହେବାକୁ ଚାହୁଁଛି।”

ଡା ଜେସନୁର ନିଜର ସିମେନକୁ ଆନନ୍ଦ ଠାରେ ଥିବା ଗୋଟିଏ ଆଇଭିଏଫ ହସ୍ପିଟାଲରେ ସଂରକ୍ଷିତ କରି ରଖିଛନ୍ତି। ଭବିଷ୍ୟତରେ ସେ ଏହାକୁ ବ୍ୟବହାର କରି ନିଜ ଛୁଆର ବାପା ଓ ମା’ ଉଭୟ ହୋଇ ପାରିବେ। ମେଡିକାଲ ବିଦ୍ୟାରେ ଏହା ସମ୍ଭବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।