ମାଲିକଙ୍କୁ ଧୋକା: ୧୦ କୋଟି ଟଙ୍କା ଚୋରି କରି ନେଇଥିବା ଚାକରକୁ ଧରିଲା ପୁଲିସ୍‌

ନୂଆଦିଲ୍ଲୀ: ମାଲିକଙ୍କ ବିଶ୍ୱାସରେ ବିଷ ଦେଇଛି ଚାକର। ଦୀର୍ଘ ୫ ବର୍ଷ ହେଲା ଯାହାଙ୍କ ଘରେ କାମ କରୁଥିଲା, ତାଙ୍କୁ ୧୦ କୋଟି ଟଙ୍କାର ଚୁନ ଲଗାଇ ଫେରାର ହୋଇ ଯାଇଥିଲା ଜଣେ ଯୁବକ। ହେଲେ ପୁଲିସ୍‌ ତା’କୁ ଗିରଫ କରିଛି। ଏଥିସହ ତା’ର ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ପୁଲିସ ବାନ୍ଧିଛି। ଦିଲ୍ଲୀର ପଞ୍ଜାବୀ ବାଗ ଅଞ୍ଚଳରେ ଏପରି ଏକ ଘଟଣା ଘଟିଥିବା ପୁଲିସ୍‌ କହିଛି।

ଗିରଫ ଅଭିଯୁକ୍ତ ଜଣକ ହେଲା ମୋହନ କୁମାର। ତା’ର ବୟସ ୨୬। ସେ ବିହାର ବାସିନ୍ଦା ହୋଇଥିଲେ ମଧ୍ୟ ଦିଲ୍ଲୀରେ ୫ ବର୍ଷ ହେଲା ଜଣଙ୍କ ଘରେ କାମ କରୁଥିଲା। ମୋହନକୁ ପୁଲିସ୍‌ ଗିରଫ କରିବା ପରେ ଅଧିକ ପଚରାଉଚରା କରୁଛି। ମୋହନର ସମ୍ପର୍କୀୟ ନାବାଳକ ହୋଥିବାରୁ ତାଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି।

ପୁଲିସର ସୂଚନା ଅନୁଯାୟୀ, ମୋହନ ଦୀର୍ଘ ୫ ବର୍ଷ ହେଲା ଜଣଙ୍କ ଘରେ କାମ କରୁଥିଲା। ମୋହନଙ୍କ ଉପରେ ଘର ଲୋକ ଯଥେଷ୍ଟ ବିଶ୍ୱାସ ରଖିଥିଲେ ଓ ସେ ମଧ୍ୟ ସମସ୍ତଙ୍କ ପାଇଁ ସବୁ କାମ କରୁଥିଲା। ଜୁଲାଇ ୪ରେ ମୋହନ କାମ କରୁଥିବା ଘରର ଲୋକମାନେ ଗୋଟିଏ ବାହାଘରରେ ଯୋଗ ଦେବାକୁ ଆମେରିକା ଯାଇଥିଲେ। ଏହି ସମୟରେ ମାଲିକ ଜଣଙ୍କ ମୋହନ କୁମାରକୁ ବିଶ୍ୱାସ କରି ଘରର ଚାବି ରଖିବାକୁ କହିଥିଲେ। ମୋହନ ମଧ୍ୟ ଏଥିରେ ରାଜି ହୋଇ ଚାବି ନିଜ ପାଖରେ ରଖିଥିଲା।

ହେଲେ ମାଲିକଙ୍କ ପରିବାର ଲୋକ ଆମେରିକାରେ ଥିବା ବେଳେ ମୋହନ ଚୋରିର ଯଡ଼ଯନ୍ତ୍ର କରିଥିଲା। ସେ ଘରେ ଥିବା କାର, ନଗଦ ଟଙ୍କା ଓ ସୁନା ଅଳଙ୍କାର ଧରି ଫେରାର ହୋଇ ଯାଇଥିଲା। ଏହାର ମୂଲ୍ୟ ପ୍ରାୟ ୮ରୁ ୧୦ କୋଟି ଟଙ୍କା ହେବ। ଏ ସମ୍ପର୍କରେ ଜୁଲାଇ ୧୮ରେ ଆମେରିକାରେ ଥିବା ଘରର ମାଲିକ ସୂଚନା ପାଇଥିଲେ। ତାଙ୍କର କିଛି ସମ୍ପର୍କୀୟ ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ଫୋନ ଯୋଗେ ମୋହନର କାଣ୍ଡ କାରନାମା ସମ୍ପର୍କରେ ଜଣାଇଥିଲେ।

ତଦନ୍ତ ବେଳେ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲା। ଏହି ସମୟରେ ମୋହନ କୁମାର ଗୋଟିଏ ସୁଟକେଶରେ ନଗଦ ଟଙ୍କା ଓ ସୁନା ଅଳଙ୍କାର ମାଲିକଙ୍କ କାରରେ ହିଁ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ଘରୁ କାରରେ ବାହାରିଥିବା ମୋହନ ପ୍ରଥମେ ରମେଶ ନଗର ମେଟ୍ରୋ ଷ୍ଟେସନ ପାଖରେ ପହଞ୍ଚିଥିଲା। ସେଠାରେ କାରକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଟଙ୍କା ଓ ଅଳଙ୍କାର ନେଇ ଚାଲି ଯାଇଥିଲା।

କାରରେ ଯିବା ବେଳେ ମୋହନ ସହ ତା’ର ଆଉ ଜଣେ ସହଯୋଗୀ ବସିଥିବା ପୁଲିସ୍‌ ସିସିଟିଭିରୁ ଜାଣିବାକୁ ପାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ସେ କାରରେ ବସିଥିବା ପିଲା ଜଣଙ୍କ ମୋହନର ସମ୍ପର୍କୀୟ। ସେ ଘଟଣାର କିଛି ଦିନ ପୂର୍ବରୁ ହିଁ ପଞ୍ଜାବୀ ବାଗକୁ ଆସିଥିଲା।

ପ୍ରଥମେ ପୁଲିସ୍‌ ବିହାର ଯାଇ ସେଓହର ଜିଲ୍ଲାରୁ ମୋହନର ସମ୍ପର୍କୀୟଙ୍କୁ ଧରିଥିଲା। ଏହାର ଦିନକ ପରେ ଅର୍ଥାତ ସୋମବାର ମୋହନକୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଚୋରି ହୋଇଥିବା କିଛି ଅଳଙ୍କାର ଓ ୫,୦୪, ୯୦୦ ଟଙ୍କା ଜବତ କରାଯାଇଛି। ବାକି ସୁନା ଅଳଙ୍କାର ଓ ଟଙ୍କା ଉଦ୍ଧାର କରିବାକୁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।