ନିର୍ବାଚନ ପୂର୍ବରୁ ରାଜ୍ୟରୁ ମିଳୁଛି ବିଡ଼ାବିଡ଼ା ଟଙ୍କା, ପରିମାଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଜୋରସୋରରେ ଚାଲିଛି ପ୍ରଚାର। ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଆସନ୍ତା ୨୭ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ।

ଏହାପୂର୍ବରୁ ନିର୍ବାଚନ କମିଶନ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୩୧.୪୭ କୋଟିର ନଗଦ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଜବତ କରିଛନ୍ତି। ଏହି ନଗଦ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୀତିକ ଦଳର ନେତା ଓ କର୍ମୀ ନିଜ ପାଖରେ ରଖିଥିଲେ ବୋଲି ଜଣାପଡ଼ିଛି।

୨୦୧୬ରେ ଏହି ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ଯେତିକି ଟଙ୍କା ମିଳିଥିଲା, ଏଥର ଭୋଟିଂ ପୂର୍ବରୁ ତା’ଠାରୁ ଅଧିକ ଟଙ୍କା ଇସି ଜବତ କରିସାରିଲେଣି। ୨୦୧୬ରେ ନିର୍ବାଚନ କମିଶନ ଏହି ୫ଟି ସ୍ଥାନରୁ ମୋଟ ୨୨୫.୭୭ କୋଟି ଟଙ୍କାର ସାମଗ୍ରୀ ଜବତ କରିଥିଲେ।

ସବୁଠୁ ଅଧିକ ମିଳିଛି ତାମିଲନାଡୁରୁ

କମିଶନଙ୍କ ସୂଚନା ଅନୁଯାୟୀ, ତାମିଲନାଡୁରୁ ସବୁଠାରୁ ଅଧିକ ଟଙ୍କା ଜବତ କରାଯାଇଛି। ଏଠାକାର ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇ ମୋଟ ୧୨୭ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି। ଏହା ପଛକୁ ପଶ୍ଚିମବଙ୍ଗରୁ ୧୧୨.୫୯ କୋଟି, ଆସାମରୁ ୬୩ କୋଟି, କେରଳରୁ ୨୧.୭୭ କୋଟି ଓ ପୁଡୁଚେରୀରୁ ୫.୨୭ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି।

ନିର୍ବାଚନରେ ହେଉଥିବା ଟଙ୍କା କାରବାର ଉପରେ ନଜର ରଖିବା ପାଇଁ କମିଶନ ପକ୍ଷରୁ ୫ ଜଣ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଓ ୨୯୫ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଭାରତୀୟ ଆଇନ ଅନୁଯାୟୀ, ନିର୍ବାଚନ ବେଳେ ଭୋଟରଙ୍କୁ ଟଙ୍କା, ଗିଫ୍ଟ କିମ୍ବା ସୁନା ପ୍ରଦାନ କରିବା ନିଷେଧ। ମଦ ମଧ୍ୟ କୌଣସି ପ୍ରାର୍ଥୀ କିମ୍ବା ଦଳ ଲୋକଙ୍କୁ ବାଣ୍ଟି ପାରିବେ ନାହିଁ।

କମିଶନ କହିଛନ୍ତି, ତାମିଲନାଡୁରୁ ସର୍ବାଧିକ ୫୦.୮୬ କୋଟିର ନଗଦ ଟଙ୍କା ଓ ୬୧.୦୪ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଜବତ କରାଯାଇଛି। ଏହାବାଦ ୧.୭୩ କୋଟି ଟଙ୍କାର ମଦ, ୦.୩୫ କୋଟିର ନିଶା ସାମଗ୍ରୀ ଓ ୧୪.୦୬ କୋଟି ଟଙ୍କାର ମାଗଣାରେ ବାଣ୍ଟିବା ପାଇଁ ବିଭିନ୍ନ ସାମଗ୍ରୀ ରହିଛି। ସେହିପରି ଆସାମରରୁ ୧୧.୭୩ କୋଟିର ନଗଦ ଟଙ୍କା, ୧୭.୨୫ କୋଟିର ମଦ, ୨୭.୦୯ କୋଟିର ନିଶା ଦ୍ରବ୍ୟ, ମାଗଣାରେ ବାଣ୍ଟିବା ପାଇଁ ୪.୮୭ କୋଟିର ବିଭିନ୍ନ ସାମଗ୍ରୀ ଓ ୨.୮୨ କୋଟିର ମୂଲ୍ୟବାନ ଧାତୁ ଜବତ କରାଯାଇଛି।

ପଶ୍ଚିମବଙ୍ଗରୁ ୧୯.୧୧ କୋଟିର ନଗଦ ଟଙ୍କା, ୯.୭୨ କୋଟିର ମଦ, ୪୭.୪୦ କୋଟିର ନିଶା ଦ୍ରବ୍ୟ, ମାଗଣାରେ ବାଣ୍ଟିବା ପାଇଁ ୨୯.୪୨ କୋଟିର ବିଭିନ୍ନ ସାମଗ୍ରୀ ଓ ୬.୯୩ କୋଟିର ମୂଲ୍ୟବାନ ଧାତୁ ଜବତ କରାଯାଇଛି। କେରଳରୁ ୫.୪୬ କୋଟିର ନଗଦ ଟଙ୍କା, ୦.୩୮ କୋଟିର ମଦ, ୦.୬୮ କୋଟିର ନିଶା ଦ୍ରବ୍ୟ, ମାଗଣାରେ ବାଣ୍ଟିବା ପାଇଁ ୦.୦୪ କୋଟିର ବିଭିନ୍ନ ସାମଗ୍ରୀ ଓ ୧୫.୨୩ କୋଟିର ମୂଲ୍ୟବାନ ଧାତୁ ଜବତ କରାଯାଇଛି।

ଶେଷରେ ପୁଡୁଚେରୀରୁ ୨.୩୨ କୋଟିର ନଗଦ ଟଙ୍କା, ୦.୨୬ କୋଟିର ମଦ, ୦.୧୫ କୋଟିର ନିଶା ଦ୍ରବ୍ୟ, ମାଗଣାରେ ବାଣ୍ଟିବା ପାଇଁ ୦.୧୪ କୋଟିର ବିଭିନ୍ନ ସାମଗ୍ରୀ ଓ ୨.୮୫ କୋଟିର ମୂଲ୍ୟବାନ ଧାତୁ ଜବତ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।