ମମତାଙ୍କ ଟିଏମସି ଉପରେ ବର୍ଷିଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଚାର ବେଳେ ଆହତ ହୋଇଥିଲେ। ଏହାର ୨୪ ଘଣ୍ଟା ପୂର୍ବରୁ ନିର୍ବାଚନ କମିଶନର ପଶ୍ଚିମବଙ୍ଗ ଡିଜିପିଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଇଥିଲେ। ମମତା ପ୍ରଚାର ବେଳେ ଆହତ ହେବା ପରେ ଟିଏମସି କହିଥିଲା ଏହା ଏକ ଷଡ଼ଯନ୍ତ୍ର। ଏମିତିକି ନିର୍ବାଚନ ଅଧିକାରୀ ମମତାଙ୍କୁ ସୁରକ୍ଷା ଦେବାରେ ବିଫଳ। ଏବେ ଏହାକୁ ନେଇ ବର୍ଷିଛନ୍ତି ନିର୍ବାଚନ କମିଶନ।
Election Commission of India responds to TMC's letter over the Nandigram incident in which West Bengal CM Mamata Banerjee was injured yesterday. ECI says, "It's unfortunate that it is full of insinuations & averments".
— ANI (@ANI) March 11, 2021
ମମତା ବାନାର୍ଜୀ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ମମତା ଆହତ ହୋଇଥିଲେ। ସେ ଅଭିଯୋଗ କରିଥିଲେ କାରରେ ଡୋର ପାଖରେ ଛିଡ଼ା ହୋଇ ସେ ପ୍ରଚାର କରୁଥିଲେ। କାରଟି ଧିରେ ଧିରେ ଯାଉଥିଲା। ହେଲେ କାରର ଡୋରକୁ ୪-୫ ଜଣ ଠେଲି ଦେବାରୁ ତାଙ୍କ ଗୋଡ ମକଚି ଯାଇଥିବା ବେଳେ ବେକର ଆଘାତ ଲାଗିଛି।
ହେଲେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ମମତା କାରରେ ଛିଡ଼ା ହୋଇ ପ୍ରଚାର କରୁଥିଲେ। ଏହି ସମୟରେ ଡୋରଟି ରାସ୍ତାରେ ଥିବା ଏକ ଖୁଣ୍ଟି ଉପରେ ବାଡ଼େଇ ହୋଇଯାଇଥିଲା। ଡୋରଟି ବାଡେଇ ହୋଇଯିବାରୁ ମମତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଆଜି ନନ୍ଦିଗ୍ରାମରେ ସେହି ସ୍ଥାନରେ ବିଜେପି-ଟିଏମସି ମୁହାଁମୁହିଁ ହୋଇଥିଲେ।
ଏହାପରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲା ଟିଏମସି। ନିର୍ବାଚନ ନାଁରେ ରାଜ୍ୟର ଆଇନ ଶୃଙ୍ଖଳାକୁ ନିର୍ବାଚନ କମିଶନର ନେଇଛନ୍ତି ବୋଲି ଟିଏମସି ଅଭିଯୋଗ କରିଥିଲା। ଏମିତିକି ବିଜେପି ଇସାରାରେ ନିର୍ବାଚନ କମିଶନର କାମ କରୁଛନ୍ତି ବୋଲି ଅଭିଯୋଗ କରିଥିଲା ଟିଏମସି।
ଏବେ ଏହାର ଜବାବ ରଖିଛନ୍ତି ନିର୍ବାଚନ କମିଶନ। ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ସହ ଯାହା ହୋଇଛି ତାହା ପ୍ରକୃତରେ ଦୁର୍ଭାଗ୍ୟଜନକ ଘଟଣା ଏବଂ ଏହି ମାମଲାରେ ତଦନ୍ତ ହେବାର ଆବଶ୍ୟକତା ରହିଛି।କମିଶନ କହିଛନ୍ତି ଯେ, ଟିଏମସି ଯେଉଁ ଅଭିଯୋଗ ଆଣିଛି ତାହା ଭିତ୍ତିହୀନ ଏବଂ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯାହାକି ନିର୍ବାଚନ କମିଶନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି। ରାଜ୍ୟରେ ଆଚରଣ ବିଧି ଲାଗୁ ହେବାର ଅର୍ଥ ନୁହେଁ ସମସ୍ତ ବିଭାଗ ଉପରେ ନିର୍ବାଚନ କମିଶନର ନିୟନ୍ତ୍ରଣରେ ରଖିଛନ୍ତି।
ଇସି ସ୍ପଷ୍ଟ ଭାବରେ କହିଛନ୍ତି ଯେ “ରାଜ୍ୟରେ ନିର୍ବାଚନ ହେଉଥିବା ବେଳେ ପର୍ଯ୍ୟବେକ୍ଷକଙ୍କ ସୁପାରିଶ କ୍ରମେ ଡିଜିପି ବିରେନ୍ଦରଙ୍କୁ ହଟାଯାଇଛି। ଏହାକୁ ମମତା ବାନାର୍ଜୀଙ୍କ ସହ ହୋଇଥିବା ଘଟଣା ସହ ସଂଯୋଗ କରାଯାଇପାରିବ ନାହିଁ। ସେହିପରି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ସୁପାରିଶକୁ ଆଧାର କରି ଏଡିଜିଙ୍କୁ (ଆଇନ ଏବଂ ଶୃଙ୍ଖଳା) ପରିବର୍ତ୍ତନ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଦଳର ନିର୍ଦ୍ଦେଶରେ ନିର୍ବାଚନ ହେଉଛି ବୋଲି ଅଭିଯୋଗ ଆଣିବା ଅଭିଯୋଗକୁ କମିଶନ ନାପସନ୍ଦ କରିଛନ୍ତି। ଆଚରଣ ବିଧି ଲାଗୁ ବେଳେ କାହାକୁ କେଉଁ ଦାୟିତ୍ୱରେ କିଏ ରହିବେ କିମ୍ୱା ହଟିବେ ସେ ଦାୟିତ୍ୱ ନିର୍ବାଚନ କମିଶନଙ୍କର। ଏଥିପାଇଁ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବା ଜରୁରୀ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଜୀବନ ଏବଂ ସୁରକ୍ଷା ପଶ୍ଚିମବଙ୍ଗ ସରକାରର ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିଛି”।
ସୂଚନାଯୋଗ୍ୟ, ମମତା ଆହତ ହେବାକୁ ଷଡ଼ଯନ୍ତ୍ର ବୋଲି କହିଥିଲା ଟିଏମସି। ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଥିଲା ଟିଏମସି। ଏହାପରେ ନିର୍ବାଚନ କମିଶନର ଏହି ମାମଲାର ରିପୋର୍ଟ ଶୁକ୍ରବାର ସୁଦ୍ଧା ଦାଖଲ କରିବାକୁ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।