ମମତାଙ୍କ ସୁରକ୍ଷାରେ ନିୟୋଜିତ ଆଇପିଏସ ନିଲମ୍ୱିତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ଆହତ ହୋଇଛନ୍ତି। ଏହି ମାମଲାରେ ନିର୍ବାଚନ କମିଶନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମମତା ବାନାର୍ଜୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇପିଏସ ବିବେକ ସହାୟ ଏବଂ ପୂର୍ବ ମେଦିନୀପୁର ଏସପିଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ପୂର୍ବ ମେଦିନୀପୁରର ଜିଲ୍ଲା ମାଜିଷ୍ଟ୍ରେଟ ବିଭୁ ଗୋଏଲଙ୍କୁ ମଧ୍ୟ ବଦଳି କରିଛନ୍ତି ନିର୍ବାଚନ କମିଶନ। ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନିର୍ବାଚନ କମିଶନର କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ନିୟୋଜତି ଥିବା ବିବେକଙ୍କୁ ତତ୍କାଳ ଭାବରେ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜେଡ୍ ପ୍ଲସ୍ ର ସୁରକ୍ଷା ଦିଆଯାଇଥିଲା, କିନ୍ତୁ ତାଙ୍କୁ ସୁରକ୍ଷା ଦେବାରେ ବିଫଳ ହେବା ଏବଂ ତାଙ୍କ କର୍ତ୍ତବ୍ୟ ପାଳନ ନକରିବାରୁ ନିର୍ବାଚନ କମିଶନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି କୁହାଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।

ନିର୍ବାଚନ କମିଶନ ପୂର୍ବ ମେଦିନୀପୁର ଜିଲ୍ଲାପାଳ ଭାବରେ ବିଭୁ ଗୋଏଲଙ୍କୁ ତାଙ୍କ ଦାୟିତ୍ୱରୁ ହଟାଇ ଆଇଏଏସ ସ୍ମିତା ପାଣ୍ଡ୍ୟାଙ୍କୁ ନିୟୋଜିତ କରିଛନ୍ତି। ସେହିପରି ପୂର୍ବ ମେଦିନୀପୁରର ଏସପି ଭାବରେ ସୁନୀଲ କୁମାର ଲେଙ୍ଗେଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ପ୍ରବୀଣ ପ୍ରକାଶ।

ସେହିପରି ମମତାଙ୍କ ସହ ଘଟିଥିବା ଦୁର୍ଘଟଣାକୁ ନେଇ ଏଫଆଇଆର ରୁଜୁ ହୋଇଛି। ଏହି ମାମଲାରେ ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି ନିର୍ବାଚନ କମିଶନର।

ତେବେ ନିର୍ବାଚନ ବେଳେ ସମସ୍ତ ରାଜନୀତିକ ଦଳ କେନ୍ଦ୍ର ଓ ବିଭିନ୍ନ ଫିଲ୍ମ ଷ୍ଟାରଙ୍କୁ ପ୍ରଚାରରେ ଆଣୁଛନ୍ତି। ଯେଉଁମାନେ ଷ୍ଟାର ପ୍ରଚାରକ ଭାବରେ ଆସୁଛନ୍ତି ସେମାନଙ୍କର ସୁରକ୍ଷା ବ୍ୟବସ୍ଥାରେ କୌଣସି ଢ଼ିଲା ନହେବା ଦରକାର। ଏମିତିକି ଭଲ ଭାବରେ ଏସଓପି ପାଳନ କରିବାକୁ ନିର୍ବାଚନ କମିଶନ କହିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ବୁଲେଟ ପ୍ରୁଫ୍ ଗାଡ଼ି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ୁଥିବା ଦେଖି ନିର୍ବାଚନ କମିଶନ ପଞ୍ଜାବର ପୂର୍ବତନ ଡିଜିପି ଇଣ୍ଟେଲିଜେନ୍ସ ଅନୀଲ ଶର୍ମାଙ୍କୁ ସ୍ପେଶାଲ ପୁଲିସ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି ନିର୍ବାଚନ କମିଶନର। ଏମିତିକି ଯେଉଁ ସବୁ ରାଜ୍ୟରେ ନିର୍ବାଚନ ହେଉଛି ସେଠାରେ ମଧ୍ୟ ଷ୍ଟାର ପ୍ରଚାରକ ଏବଂ ଜେଡ୍ ପ୍ଲସ ଶ୍ରେଣୀରେ ଆସୁଥିବା ବ୍ୟକ୍ତିଙ୍କୁ ସୁରକ୍ଷାରେ କୌଣସି ଭୁଲ୍ ନରୁହେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ମାନଙ୍କୁ କହିଛନ୍ତି ନିର୍ବାଚନ କମିଶନ। ସୂଚନାଯାଗ୍ୟ, ପଶ୍ଚିମବଙ୍ଗ ସହିତ ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।