କେବେ ହେବ ୟୁପି ସମେତ ୫ ରାଜ୍ୟରେ ନିର୍ବାଚନ, ଆଜି ତାରିଖ ଘୋଷଣା

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ବିସ୍ଫୋରଣ ହେଉଥିବା ବେଳେ ଅନ୍ୟପଟେ ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ନିର୍ବାଚନ କମିଶନ। ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ ଘୁଞ୍ଚାଇବାକୁ ବିଶେଷଜ୍ଞମାନେ ମତ ମଧ୍ୟ ଦେଇଛନ୍ତି। ହେଲେ ଏସବୁ ଭିତରେ ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ୫ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଉତ୍ତର ପ୍ରଦେଶ ସମେତ ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ […]

EC

EC

Hemant Lenka
  • Published: Saturday, 08 January 2022
  • Updated: 08 January 2022, 12:11 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ବିସ୍ଫୋରଣ ହେଉଥିବା ବେଳେ ଅନ୍ୟପଟେ ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ନିର୍ବାଚନ କମିଶନ। ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ ଘୁଞ୍ଚାଇବାକୁ ବିଶେଷଜ୍ଞମାନେ ମତ ମଧ୍ୟ ଦେଇଛନ୍ତି। ହେଲେ ଏସବୁ ଭିତରେ ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ୫ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ।

ଉତ୍ତର ପ୍ରଦେଶ ସମେତ ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ କେବେ ନିର୍ବାଚନ ହେବ ସେକଥା କମିଶନର କହିବେ। ଏଥିପାଇଁ ଆଜି ଦିନ ସାଢ଼େ ୩ଟାରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସମୟରେ ନିର୍ବାଚନ ତାରିଖ ଘୋଷଣା ସହ କଟକଣା ମଧ୍ୟରେ ରାଜନୀତିକ ଦଳଗୁଡ଼ିକ କେମିତି ପ୍ରଚାର କରିବେ, ସେନେଇ ମଧ୍ୟ ଗାଇଡଲାଇନ ଜାରି କରାଯିବ।

ଉତ୍ତର ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ମେ’ ମାସରେ ସରୁଥିବା ବେଳେ ବାକି ୪ ରାଜ୍ୟର କାର୍ଯ୍ୟକାଳ ମାର୍ଚ୍ଚ ମାସର ବିଭିନ୍ନ ତାରିଖରେ ଶେଷ ହେବ। ତେଣୁ ନିର୍ବାଚନ କମିଶନ ଏହା ପୂର୍ବରୁ ‌ଭୋଟିଂ କାମ ଶେଷ କରିବାକୁ ଚାହୁଁଛନ୍ତି। ତେଣୁ ଆଜି ଏଥିପାଇଁ ତାରିଖ ଘୋଷଣା ହେବ।

ନିକଟରେ ନିର୍ବାଚନ କମିଶନର କରିଥିବା ସାମ୍ବାଦିକ ସମ୍ମିଳନୀରେ ବଡ଼ ବୟାନ ଦେଇଥିଲେ। କମିଶନର କହିଥିଲେ ଯେ ସବୁ ରାଜନୀତିକ ଦଳର ନେତାମାନେ ଧାର୍ଯ୍ୟ ସମୟରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ କରିବାକୁ ଚାହୁଁଛନ୍ତି। ସେହିପରି କିଛି ରାଜନୀତିକ ଦଳ କଟକଣା ମଧ୍ୟରେ ପ୍ରଚାର କରିବା ସପକ୍ଷରେ ମତ ଦେଇଛନ୍ତି। ଏହାକୁ ଆଧାର କରି ଆଜି କମିଶନର ପ୍ରଚାର ସମ୍ପର୍କରେ କିଛି କଟକଣା ଲାଗୁ କରିପାରନ୍ତି।

ନିର୍ବାଚନୀ ରାଲି ଓ ରୋଡ ଶୋ’ ଭଳି ବିଶାଳ ଜନସମାଙ୍ଗନ ହେଉଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ ନିକଟରେ ନୀତି ଆୟୋଗ ସଦସ୍ୟ ତଥା କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ଭିକେ ପଲ୍ କହିଥିଲେ। ସେ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଅବଗତ କରାଇଥିଲେ। ବର୍ତ୍ତମାନ ସ୍ଥିତିରେ ରାଲି ଓ ରୋଡ ଶୋ’ ପାଇଁ ଅନୁମତି ଦେବା ଠିକ ହେବନି ବୋଲି ଶ୍ରୀ ପଲ ଇସିଙ୍କୁ ପରାମର୍ଶ ଦେଇଥିଲେ।

ନିର୍ବାଚନ କମିଶନର ନିଜର ଶେଷ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ୫ ରାଜ୍ୟରେ କରୋନା ବିରୋଧୀ ଟିକାକରଣ ଜୋରଦାର କରିବାକୁ କହିଥିଲେ। ନିର୍ବାଚନ ହେବାକୁ ଥିବା ଉତ୍ତର ପ୍ରଦେଶ, ପଞ୍ଜାବ ଓ ମଣିପୁରରେ ଟିକାକରଣ ହାର ଯଥେଷ୍ଟ କମ ରହିଛି। ତେବେ ଗୋଆ ଓ ଉତ୍ତରାଖଣ୍ଡରେ ଶତପ୍ରତିଶତ ଟିକାକରଣ ହୋଇଥିବା ଦାବି କରାଯାଉଛି। ନିର୍ବାଚନ କମିଶନ ସଂକ୍ରମଣକୁ କମ କରିବା ପାଇଁ ନିର୍ବାଚନ କାମରେ ନିୟୋଜିତ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେମାନଙ୍କର ଟିକାକରଣ ଶେଷ କରିବା ସହ ବୁଥ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ହୋଇଛି।

ନିର୍ବାଚନ କମିଶନ ଆଜି ତାରିଖ ଘୋଷଣା କରିବା ପୂର୍ବରୁ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣଙ୍କ ଆଲୋଚନା କରିଥିଲେ।

ଗତବର୍ଷ ଏପ୍ରିଲ ମାସରେ କରୋନାର ଦ୍ୱିତୀୟ ୱେଭରେ ଦେଶବାସୀ ଛଟପଟ ହେଉଥିଲେ। ଏହି ସମୟରେ ବେଙ୍ଗଲ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରାଯାଇଥିଲା। ତେବେ ଗୋଟିଏ ରାଲି ସର୍ବାଧିକ ୫୦୦ ଲୋକ ଯୋଗ ଦେଇପାରିବେ ବୋଲି କମିଶନ ସର୍ତ୍ତ ରଖିଥିଲେ। ହେଲେ ରାଜନୀତିକ ଦଳର ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos