ବଢ଼ିଲା ଅନୀଲ ଦେଶମୁଖଙ୍କ ଅଡ଼ୁଆ: ୪ କୋଟିର ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡ଼ୁଆ ବଢ଼ିଛି। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦେଶମୁଖଙ୍କ ସହ ଜଡ଼ିତ ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସମ୍ପତ୍ତିଗୁଡ଼ିକ ଦେଶମୁଖଙ୍କ ପରିବାର ଲୋକଙ୍କ ନାଁରେ ରହିଥିଲା।

ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ବଳରେ ଇଡି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜବତ ସମ୍ପତ୍ତି ମଧ୍ୟରେ ନାଭି ମୁମ୍ବାଇରେ ତିଆରି ହେବାକୁ ଥିବା ବିମାନବନ୍ଦର ନିକଟରେ ଗୋଟିଏ ଫ୍ଲାଟ ଓ ଗୋଟିଏ ବିଶାଳ ଜମି ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଡି ଯେଉଁ ୪ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଛି, ତା’ର ବଜାରମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଜବତ ସମ୍ପତ୍ତି ଦେଶମୁଖଙ୍କ ପତ୍ନୀ ଆରତୀ ଓ Premier Port Links Private Limited କମ୍ପାନୀ ନାଁରେ ପଞ୍ଜୀକରଣ ହୋଇଥିଲା। ଅନୀଲ ଦେଶମୁଖ ଗୃହମନ୍ତ୍ରୀ ଥିବା ବେଳେ ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂହ ତାଙ୍କ ନାଁରେ ୧୦୦ କୋଟି ଟଙ୍କାର ଦାଦା ବଟି ଆଦାୟ ଅଭିଯୋଗ ଆଣିଥିଲେ।

ଏଥିପାଇଁ ଇଡି ମାମଲା ରୁଜୁ କରି ତଦନ୍ତ କରୁଛି। ଦେଶମୁଖଙ୍କୁ ଏହି ଘଟଣାରେ ୩ ଥର ଜେରା ପାଇଁ ନୋଟିସ କରାଯାଇଥିଲେ ହେଁ ସେ ଏହାର ଜବାବ ଦେଇନାହାନ୍ତି। ତାଙ୍କ ପୁଅ ହୃଷିକେଶ ଓ ପତ୍ନୀ ଆରତୀଙ୍କୁ ମଧ୍ୟ ଇଡି ଜେରା ପାଇଁ ନୋଟିସ୍‌ କରିଥିଲା। ହେଲେ ସେମାନେ ମଧ୍ୟ ନୋଟିସରୁ ନିଜକୁ ଦୂରେଇ ରଖିଛନ୍ତି।

ଇଡି କରିଥିବା ନୋଟିସ ବିରୋଧରେ ଅନୀଲ ଦେଶମୁଖ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।