ଆମୱେର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ସୋମବାର ପ୍ରବର୍ତ୍ତନା ନିର୍ଦ୍ଦଶାଳୟ(ଇଡି) ପକ୍ଷରୁ ଏଫଏମସିଜି ଆମୱେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କମ୍ପାନୀ ବେଆଇନ ଭାବେ ଆୟ କରିଥିବା ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଅଟାଚ କରିଛି ଇଡି। ଉକ୍ତ କମ୍ପାନୀ  ଏକାଧିକ ମାର୍କେଟିଂ ସ୍କାମରେ ସମ୍ପୃକ୍ତ ଥିବା ତଦନ୍ତକାରୀ ସଂସ୍ଥା ଇଡି ପକ୍ଷରୁ ସୂଚନା ଦିଆଯାଇଛି। ଜବତ ସମ୍ପତ୍ତି ମଧ୍ୟରେ ଜମି, ଫ୍ୟାକ୍ଟୋରୀ ବିଲଡିଂ, ପ୍ଲାଣ୍ଟ, ମେସିନାରୀ, ଯାନବାହନ, ବ୍ୟାଙ୍କ ଆକାଉଣ୍ଟସ୍‌ ଏବଂ ଫିକ୍ସଡ୍‌ ଡିପୋଜିଟ୍‌ ଆଦି ରହିଛି।

ପୂର୍ବରୁ ଏହି କମ୍ପାନୀର ପ୍ରାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇ ଇଡି ୪୧୧.୮୩  କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା। ସେଥିରେ  ୩୬ଟି ବିଭିନ୍ନ ଆକଉଣ୍ଟରେ ୩୪୫.୯୪ କୋଟି ଟଙ୍କା କ୍ୟାସ ରହିଛି।  ମଲ୍ଟି ଲିଭେଲ ମାର୍କେଟିଂ ନେଟୱର୍କ ଜରିଆରେ ଆମୱେ ବିଭିନ୍ନ ପ୍ରକାର ଆର୍ଥିକ ହେରଫରେ କାର୍ଯ୍ୟ କରିଛି। କମ୍ପାନୀ ପକ୍ଷରୁ ଖୋଲା ବଜାରରେ ଯେଉଁ ପ୍ରଡକ୍ଟ ବିକ୍ରି କରାଯାଇଛି ତାହା ବଜାର ମୂଲ୍ୟଠାରୁ ବହୁ ଅଧିକ।

ଅଧିକ ଲାଭ ନିଶାରେ ଏହି ନେଟୱର୍କିଂରେ ବହୁ ସଦସ୍ୟ ଫସିଛନ୍ତି।  ଜଣେ ସଦସ୍ୟଙ୍କ ଦ୍ୱାରା ଅନ୍ୟ ଜଣେ ସଦସ୍ୟ କେମିତି ଲାଭ ପାଇବ ତାହା ଉପରେ କମ୍ପାନୀ ଫୋକସ କରିଥିବା ବେଳେ ଏହା ପଛରେ ବ୍ୟାପକ ଅନିୟମିତତା ହୋଇ ଥିବା ଇଡି ପକ୍ଷରୁ କୁହାଯାଇଛି। କମ୍ପାନୀର ଆର୍ଥିକ ହେରଫେର ମାମଲାରେ ତଦନ୍ତ ଜାରି ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।