ଅବକାରୀ ନୀତି ମାମଲା: ପୁଣି ୨୫ଟି ସ୍ଥାନରେ ଇଡିର ରେଡ୍‌

ନୂଆଦିଲ୍ଲୀ: ଲାଗୁ ହେବା ପରେ ପ୍ରତ୍ୟାହାର ହୋଇ ସାରିଥିବା ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପୁଣିଥରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡିର ଏକାଧିକ ଟିମ୍‌ ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ରେଡ୍‌ କରିଛନ୍ତି। ଏହାପୂର୍ବରୁ ଇଡିର ଅଧିକାରୀମାନେ ଦିଲ୍ଲୀ-ଏନସିଆର, ପଞ୍ଜାବ ଓ ଅନ୍ୟ କିଛି ସ୍ଥାନର ୩୫ଟି ଠିକଣାରେ ରେଡ କରିଥିଲେ। ରେଡ୍‌ରୁ କ’ଣ ମିଳିଲା, ସେକଥା ଇଡି କହିନି। ହେଲେ ଆଜି ପୁଣି ଥରେ ଚଢ଼ଉ ଆରମ୍ଭ ହୋଇଛି।

ଏହାକୁ ମିଶାଇ ଏଯାଏ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ୧୨୦ରୁ ଅଧିକ ସ୍ଥାନରେ ରେଡ କରି ସାରିଲାଣି। ସେହିପରି ଏହି ଦୁର୍ନୀତି ଘଟଣାରେ ଇଡି ମଦ ବ୍ୟବସାୟୀ ତଥା ଇଣ୍ଡୋସ୍ପିରିଟ୍‌ କମ୍ପାନୀର ଏମଡି ସମୀର ମହାନ୍ଦ୍ରୁ ଗିରଫ କରିଛି।

ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ଗତବର୍ଷ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଶଙ୍କା କରି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତର ସୁପାରିସ କରିଥିଲା। ଏହି ଘଟଣାରେ ୧୧ ଜଣ ଅବକାରୀ ଅଧିକାରୀଙ୍କୁ ମଧ୍ୟ ସେ ନିଲମ୍ବିତ କରିଥିଲେ।

ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୋଲି ସିବିଆଇ ଓ ଇଡି ସେମାନଙ୍କ ଏଫଆଇଆରରେ କହିଛନ୍ତି। କିନ୍ତୁ ଏଯାଏ ତାଙ୍କ ବିରୋଧରେ କୌଣସି ପ୍ରକାରର ପ୍ରମାଣ ମିଳିନାହିଁ।

ଗତବର୍ଷ ନଭେମ୍ବର ୧୭ରେ ଆପ୍‌ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ହେଲେ ବିବାଦ ଯୋଗୁ ଚଳିତ ବର୍ଷ ଜୁଲାଇ ମାସ ଶେଷ ଭାଗରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।