ଫ୍ଲିପକାର୍ଟ ଓ ଏହାର ପ୍ରତିଷ୍ଠାତାଙ୍କୁ ଇଡି ନୋଟିସ

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ଅଦଳବଦଳ ନିୟମର ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଅନଲାଇନ ସେବା ପ୍ରଦାନକାରୀ ସଂସ୍ଥା ଫ୍ଲିପକାର୍ଟ ଓ ଏହାର ପ୍ରତିଷ୍ଠାତାଙ୍କ ସହ ଅନ୍ୟ ୯ ଜଣଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶନାଲ(ଇଡି) ନୋଟିସ ପଠାଇଛି। ଇଡିର ଜଣେ ବରିଷ୍ଠ ଅଧିକାରୀ ନୋଟିସ ପଠାଯାଇଥିବା ଘଟଣାକୁ ସ୍ୱୀକାର କରିଥିଲେ ହେଁ କୌଣସି ବ୍ୟକ୍ତିବିଶେଷଙ୍କ ନାଁ ସାର୍ବଜନୀନ କରିନାହାନ୍ତି।

ଇଡି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଫ୍ଲିପକାର୍ଟ ବିଦେଶୀ ପୁଞ୍ଜି ନିବେଶ ଆଇନକୁ ଉଲ୍ଲଙ୍ଘନ କରିଛି। ତେଣୁ ସେମାନଙ୍କୁ କାହିଁକି ୧.୩୫ ବିଲିୟନ ଡଲାରର ଫାଇନ କାହିଁକି ନ ଦେବେ, ତା’ର କାରଣ ଦର୍ଶାଇବାକୁ ସମସ୍ତଙ୍କୁ ନୋଟିସ କରାଯାଇଛି। ୨୦୦୯ରୁ ୨୦୧୫ ମଧ୍ୟରେ ଫ୍ଲିପକାର୍ଟ ଓ ଏହାର ସହ ଜଡ଼ିତ କମ୍ପାନୀଗୁଡ଼ିକ ବିଦେଶୀ ପୁଞ୍ଜି ନିବେଶ କରିବା ବେଳେ ଫେମାର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

ଆରବିଆଇ ଏ ସମ୍ପର୍କରେ ସ୍ୱର ଉଠାଇବା ପରେ ଇଡି ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ସେହି ଅନୁସାରେ ଇଡି ଫ୍ଲିପକାର୍ଟକୁ ନୋଟିସ କରିଛି।

ଅନ୍ୟପକ୍ଷରେ ଏ ସମ୍ପର୍କରେ କମ୍ପାନୀ କହିଛି ଯେ ଫ୍ଲିପକାର୍ଟ ସବୁବେଳେ ଭାରତୀୟ ଆଇନକୁ ଅନୁପାଳନ କରିବା ସହ ଏଫଡିଆଇ ନିୟମକୁ ମଧ୍ୟ କାର୍ଯ୍ୟକାରୀ କରିଛି। ୨୦୦୯ରୁ ୨୦୧୫ ମଧ୍ୟରେ ଭାରତୀୟ ଅଧିକାରୀ ଉଠାଇଥିବା ପ୍ରସଙ୍ଗ ସମ୍ପର୍କରେ କମ୍ପାନୀ ସବୁ ପ୍ରକାରର ସହଯୋଗ କରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।