ଟିଆରପି ସ୍କାମ ମାମଲାରେ ଆସିଲା ଇଡିର ପ୍ରୋଭିଜନାଲ ଅର୍ଡର

ନୂଆଦିଲ୍ଲୀ: ଟିଆରପି ସ୍କାମ ମାମଲାରେ ତିନି ଚ୍ୟାନେଲର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିବା ପରେ ଜାରି କରିଛି ପ୍ରୋଭିଜନାଲ ଅର୍ଡର (ମଧ୍ୟବର୍ତ୍ତୀକାଳୀନ ଅର୍ଡର)। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫକତ ମରାଠୀ, ବକ୍ସ ସିନେମା ଓ ମହା ମୁଭି ନାମକ ୩ଟି ଟିଭି ଚ୍ୟାନେଲର ୩୨ କୋଟି ଟଙ୍କା ଜବତ କରିଛି। ଏବେ ଏହାର ଗୋଟିଏ ଦିନ ପରେ ଇଡି ଜାରି କରିଛି ପ୍ରୋଭିଜନାଲ ଆଟାଚମେଣ୍ଟ ଅର୍ଡର। ଯେଉଁଥିରେ ‘ଇଣ୍ଡିଆ ଟୁଡେ’ର ନାମ ୫୦ ଥର ଉଲ୍ଲେଖ ରହିଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଆଉ କିଛି ଦିନପରେ ଇଡି ଜାରି କରିବ ବୋଲି ଜଣାପଡ଼ିଛି।

ସବୁଠୁ ବଡ଼ କଥା ହେଲା ମୁମ୍ୱାଇ ପୁଲିସର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ପ୍ରେସ କନଫରେନସ କରି ଟିଆରିପି ଘୋଟାଲା ନେଇ ଯେଉଁ ତିନି ଟିଭି ଚ୍ୟାନେଲ ନାଁ ଜାରି କରିଥିଲେ ସେଥିମଧ୍ୟରେ ‘ରିପବ୍ଲିକ ଟିଭି’ ନାଁ ଥିଲା। ହେଲେ ଇଣ୍ଡିଆ ଟୁଡେର ନାଁ ନଥିଲା। କିନ୍ତୁ ଟିଆରପି ମାପୁଥିବା ସଂସ୍ଥା ବାର୍କ ଯେଉଁ ଏଫଆଇଆର ପ୍ରଥମେ ଦେଇଥିଲା ସେଥିରେ ‘ଇଣ୍ଡିଆ ଟୁଡେ’ ନାଁ ଥିଲା। ‘ରିପବ୍ଲିକ ଟିଭି’ ନାଁ ନଥିଲା। ଏବେ ଇଡି ଯେଉଁ ୬୪ ପୃଷ୍ଠାର ପ୍ରୋଭିଜନାଲ ଅର୍ଡର ଜାରି କରିଛି ସେଥିରେ ରିପବ୍ଲିକ ଟିଭି ନାଁ ନାହିଁ ବରଂ ‘ଇଣ୍ଡିଆ ଟୁଡେ’ର ନାଁ ରହିଛି।

ଇଡି ରିପୋର୍ଟରେ ଦର୍ଶାଯାଇଛି ଯେ ହାଂସା ଗ୍ରୁପରେ କାମ କରୁଥିବା ଜଣେ କର୍ମଚାରୀକୁ ‘ଇଣ୍ଡିଆ ଟୁଡେ’ ଚ୍ୟାନେଲ ପଇସା ଦେଇଥିଲା। ସେହି ବ୍ୟକ୍ତି ବାର-ଓ-ମିଟର ଲାଗିଥିବା ଘରକୁ ଫୋନ୍ କରି ପ୍ରତିଦିନ ଦୁଇ ଘଣ୍ଟା ଲେଖାଏଁ ‘ଇଣ୍ଡିଆ ଟୁଡେ’ ଦେଖିବାକୁ କହିଥିଲା।

ଟିଆରପି ଘୋଟାଲା ମାମଲାର ମୁଖ୍ୟ ଅଭିଯୋଗକାରୀ ହେଉଛନ୍ତି ନୀତିନ ଦେଓକର, ଯିଏକି ହାଂସା ରିସର୍ଚ୍ଚ ଗ୍ରୁପର ଡେପୁଟି ଜେନେରାଲ୍ ମ୍ୟାନେଜର। ଦେଓକରଙ୍କ ଉକ୍ତିକୁ ଉଲ୍ଲେଖ କରି ଇଡି କହିଛି ଯେ ବିଶାଲ ଭଣ୍ଡାରୀ ନାମକ ଜଣେ ବ୍ୟକ୍ତି ସ୍ୱୀକାର କରି କହିଛନ୍ତି ଯେ ଇଣ୍ଡିଆ ଟୁଡେ ଦେଖିବା ପାଇଁ ପ୍ରତି ପରିବାରରକୁ ୨୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା। ଏଥିପାଇଁ ବିଶାଲଙ୍କୁ ୫,୦୦୦ ଟଙ୍କା କମିଶନ ମିଳିଥିଲା।

ଇଡିର ପ୍ରୋଭିଜନାଲ ଅର୍ଡରରେ ଆହୁରି କୁହାଯାଇଛି ଯେ ନଭେମ୍ବର ୨୦୧୯ ରୁ ମେ ୨୦୨୦ ମଧ୍ୟରେ ଇଣ୍ଡିଆ ଟୁଡେ ଚ୍ୟାନେଲ ଦେଖିବା ପାଇଁ ଏହି ପଇସା ଦିଆଯାଇଥିଲା। ଆଉ ଇଣ୍ଡିଆ ଟୁଡେର ହଠାତ୍ ଅସ୍ୱାଭାବିକ ଭାବରେ ଦର୍ଶକ ସଂଖ୍ୟା ବଢ଼ିଥିଲା। ଯାହାକି ୨୫.୦୨.୨୦୨୦ରେ ବାର୍କର ଭିଜିଲାନ୍ସ ମୁଖ୍ୟ ଧରମଭୀର ମେହେଟାଙ୍କ ନଜରକୁ ଆସିଥିଲା। ଏହାପରେ ବାର୍କର ମାର୍କେଟ ଆନାଲିଟିକ୍ସ ଟିମ୍ ଅବଗତ ହେବା ପରେ ତଦନ୍ତ କରିଥିଲେ। ପାଖାପାଖି ୧୩ ସପ୍ତାହ ପରେ ଜାଣିବାକୁ ମିଳିଥିଲା କେଉଁସବୁ ଘରେ ଇଣ୍ଡିଆ ଟୁଡେ ଅଧିକ ମାତ୍ରାରେ ଦେଖାଯାଉଛି। ମୋଟ୍ ୨୫ଟି ଘରୁ ପ୍ରତିଦିନ ଇଣ୍ଡିଆ ଟୁଡେ ଦେଖାଯାଉଥିବାର ବାର୍କର ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଥିଲା।ଏହାପରେ ଇଡି ସେହି ଘରକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି। ଆଉ ଏହି ସବୁ ଘରକୁ ଇଣ୍ଡିଆ ଟୁଡେ ଦେଖିବା ପାଇଁ ପଇସା ଦିଆଯାଇଥିଲା ବୋଲି ଇଡି ରିପୋର୍ଟରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଏହି ମାମଲାର ତଦନ୍ତ ମୁମ୍ୱାଇ କ୍ରାଇମବ୍ରାଞ୍ଚ ମଧ୍ୟ କରୁଛି। ରିପବ୍ଲିକ ଟିଭି ନାଁରେ ଟିଆରପି ଜାଲିଆତି ନେଇ ଏକ ଚାର୍ଜଶିଟ୍ ଦାଖଲ କରିଛି। ହେଲେ ରିପବ୍ଲିକ ଟିଭିର ମାଲିକ ତଥା ସମ୍ପାଦକ ଅର୍ଣ୍ଣବ ରଞ୍ଜନ ଗୋସ୍ୱାମୀ କିମ୍ୱା ସଂପୃକ୍ତ ଚ୍ୟାନେଲ ନାଁରେ ଠୋସ୍ ପ୍ରମାଣପତ୍ର ଦାଖଲ କରିନାହିଁ। ଏହି ଚ୍ୟାନେଲର କର୍ମଚାରୀ ସନ୍ଦେହ ଘରେର ବୋଲି ପୁଲିସ ଚାର୍ଜଶିଟରେ କହିଛି।

ସୂଚନାଯୋଗ୍ୟ, ଏହି ମାମଲାର ତଦନ୍ତ ଏପିଆଇ ସଚିନ ବାଜେ କରୁଥିଲେ, ଯିଏକି ଏବେ ଏନଆଇଏ ହେପାଜତରେ ଅଛନ୍ତି। ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବୋମା ଭର୍ତ୍ତି କାର ରଖିବା ମାମଲାରେ ସେ ଏବେ ଗିରଫ ହୋଇଛନ୍ତି। ଏଥିସହ ସେ ନିଲମ୍ୱିତ ହୋଇସାରିଛନ୍ତି। ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହଙ୍କ ନିର୍ଦ୍ଦେଶକ୍ରମେ ସଚିନ ବାଜେ ତଦନ୍ତ କରୁଥିଲେ। ଏବେ ପରମବୀରଙ୍କୁ ମହାରାଷ୍ଟ୍ର ସରକାର ଏହି ପଦବୀରୁ ହଟାଇ ଦେଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।