ଜଗନ ମୋହନଙ୍କ ‘ସ୍ଥାୟୀ ସଭାପତି’ ରିପୋର୍ଟକୁ ନେଇ ବିବାଦ, ଜବାବ ମାଗିଲେ ଇସି

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତାଙ୍କ ଦଳ ୱାଇଏସ୍‌ଆର କଂଗ୍ରେସର ସ୍ଥାୟୀ ସଭାପତି ଭାବେ ନିଯୁକ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି। ଏହି ମିଡିଆ ରିପୋର୍ଟକୁ ଆଧାର କରି ନିର୍ବାଚନ କମିଶନ ୱାଇଏସ୍‌ଆର କଂଗ୍ରେସକୁ ଗୋଟିଏ ନୋଟିସ କରିଛନ୍ତି।

ଏଥିରେ ପୂରା ଘଟଣା ଉପରେ ଜବାବ ରଖିବାକୁ ଦଳକୁ କୁହାଯାଇଛି। କମିଶନ କହିଛନ୍ତି ଯେ କୌଣସି ସାଂଗଠନିକ ପଦବୀକୁ ସ୍ଥାୟୀ କରିବା କିମ୍ବା ସେହି ଦିଗରେ ଯେ କୌଣସି କାର୍ଯ୍ୟକୁ ଅଗ୍ରାହ୍ୟ କରାଯାଉଛି। ଏପରି ପଦକ୍ଷେପକୁ କମିଶନ ଗଣତନ୍ତ୍ର ବିରୋଧୀ ବୋଲି କହିଛନ୍ତି। ପର୍ଯ୍ୟାୟକ୍ରମେ ହେଉଥିବା ନିର୍ବାଚନ ଉପରେ ରାଜନୀତିକ ଦଳ ରୋକ ଲଗାଇବା କମିଶନ ଦେଇଥିବା ନିର୍ଦ୍ଦେଶର ଖୋଲା ଉଲ୍ଲଙ୍ଘନ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି।

ୱାଇଏସ୍‌ଆର କଂଗ୍ରେସ ଦଳୀୟ ସମ୍ବିଧାନକୁ ସଂଶୋଧନ କରି ଜଗନ ମୋହନ ରେଡ୍ଡୀଙ୍କୁ ସ୍ଥାୟୀ ସଭାପତି ଭାବେ ନିର୍ବାଚିତ କରିବାକୁ ଯୋଜନା କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ନିର୍ବାଚନ କମିଶନ ଏହା ଉପରେ ପକ୍ଷ ରଖିବାକୁ ୱାଇଏସ୍‌ଆର କଂଗ୍ରେସକୁ କହିଛନ୍ତି। ଯଦି ଦଳ ଏହି ରିପୋର୍ଟକୁ ଖଣ୍ଡନ ନ କରେ, ତା’ହେଲେ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିବ।

କମିଶନର ଗାଇଡଲାଇନ ଅନୁଯାୟୀ ରାଜନୀତିକ ଦଳଗୁଡ଼ିକ ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ପରେ ନିଜର ସଭାପତି ବାଛିବା ପାଇଁ ନିର୍ବାଚନ କରିବେ। ଯଦି ପର୍ଯ୍ୟାୟକ୍ରମେ ନିର୍ବାଚନ ନ କରାଯାଏ, ତା’ହେଲେ କମିଶନ ଉକ୍ତ ରାଜନୀତିକ ଦଳଠାରୁ ମାନ୍ୟତା ପ୍ରତ୍ୟାହାର କରିବାର ପ୍ରାବଧାନ ରହିଛି।

ଇସି କହିଛନ୍ତି, ୨୦୨୨ ଜୁଲାଇ ୧୯ ପରଠାରୁ ୱାଇଏସ୍‌ଆର କଂଗ୍ରେସକୁ ‘ସ୍ଥାୟୀ ସଭାପତି’ ପ୍ରସଙ୍ଗରେ ୫ଥର ନୋଟିସ କରାଗଲାଣି। ଦଳ ଏହାର ଜବାବ ଦେବାରେ ବିଳମ୍ବ କରିବାରୁ ଅଭିଯୋଗର ସତ୍ୟତା ଥିବା ଭଳି ଅନୁଭବ ହେଉଛି। ଅଗଷ୍ଟ ୨୩ରେ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ ଦଳର ସଭାପତି ନିର୍ବାଚିତ ହୋଇଥିବା କୁହାଯାଇଥିଲା। ହେଲେ ସେ ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହୋଇଥିବା ଅଭିଯୋଗ ଉପରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନଥିଲା।

ସେହିପରି ସେପ୍ଟେମ୍ବର ୧୧ରେ ପାର୍ଟି ସ୍ୱୀକାର କରିଥିଲା ଯେ ଜଗନ ମୋହନ ରେଡ୍ଡୀଙ୍କୁ ସ୍ଥାୟୀ ସଭାପତି ଭାବେ ଚୟନ କରାଯାଇଥିବା ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା। ଦଳ କହିଥିଲା ଯେ ଏହାର ଦଳୀୟ ତଦନ୍ତ କରାଯିବ। କମିଶନ ଏବେ ନିର୍ଦ୍ଦେଶ ଦେଇଛନ୍ତି ଯେ ୱାଇଏସଆର କଂଗ୍ରେସ ଆଭ୍ୟନ୍ତରୀଣ ତଦନ୍ତ ତୁରନ୍ତ ଶେଷ କରୁ ଓ ପୂରା ବିବାଦ ସମ୍ପର୍କରେ ନିଜର ପକ୍ଷ ସାର୍ବଜନୀନ କରୁ। ଏପରି କି ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ କରୁ ବୋଲି କମିଶନ କହିଛନ୍ତି।

ଅନ୍ୟପକ୍ଷରେ ୱାଇଏସ୍‌ଆର କଂଗ୍ରେସ କହିଛି ଯେ ଜଗନ ମୋହନ ରେଡ୍ଡୀଙ୍କୁ ୫ ବର୍ଷ ପାଇଁ ସଭାପତି ଭାବେ ଚୟନ କରାଯାଇଛି। ସେ ୨୦୨୨ ଜୁଲାଇରୁ ୨୦୨୭ ଜୁଲାଇ ଯାଏ କାର୍ଯ୍ୟ କରିବେ। ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। ତାଙ୍କୁ ସ୍ଥାୟୀ ସଭାପତି ଭାବେ ନିଯୁକ୍ତ କରିବାକୁ ଦଳୀୟ ସମ୍ବିଧାନରେ କୌଣସି ସଂଶୋଧନ କରାଯାଇ ନଥିବା ଦଳ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।