ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଶାସନ ବ୍ୟବସ୍ଥା, ଯୋଗୀଙ୍କୁ ଚିଠି ଲେଖିଲେ ପୂର୍ବତନ ପ୍ରଶାସନିକ ଅଧିକାରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରକାରୀ ବିଧି ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ରାଜ୍ୟର ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଉଛି। ସରକାରୀ ବିରୋଧୀ ସ୍ୱରକୁ ଦମନ କରିବାକୁ ଉଦ୍ୟମ ଚାଲିଛି। ଏଭଳି କଥା କହି ୭୪ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଓ ପୁଲିସ୍‌ ଅଫିସର ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟଙ୍କୁ ଖୋଲା ଚିଠି ଲେଖିଛନ୍ତି। ଏହି ଚିଠି ସହ ୨୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ସହମତ ଥିବା କହିଛନ୍ତି।

ଯୋଗୀଙ୍କୁ ଲେଖାଯାଇଥିବା ୪ ପୃଷ୍ଠାର ଚିଠିରେ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫଏସ୍‌ ଅଧିକାରୀଙ୍କ ଦସ୍ତଖତ ରହିଛି। ସେମାନେ ଅଭିଯୋଗ କରିଛନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ୍‌ ବଳ ପ୍ରୟୋଗ କରୁଛି। ସେମାନଙ୍କ ସ୍ୱରକୁ ଚାପି ଦେବା ପାଇଁ ଜାଣିଶୁଣି ଅଟକ ରଖାଯାଉଛି। ସେମାନେ ନ୍ୟାୟିକ ହତ୍ୟା ଉପରେ ରୋକ ଲଗାଇବା ପାଇଁ ଦାବି କରିବା ସହ ରାଜ୍ୟରେ ଲଭ ଜିହାଦ ନାଁରେ ମୁସଲିମ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରାଯାଉଛି।

ଏଥିସହ ଗୋ-ହତ୍ୟା ଓ ସରକାର ବିରୋଧୀ ଲୋକଙ୍କୁ ଫସାଇବା ପାଇଁ ଜାତୀୟ ସୁରକ୍ଷା ଆକ୍ଟର ବ୍ୟବହାର କରାଯାଉଥିବା ସେମାନେ ଚିଠିରେ ଅଭିଯୋଗ କରିଛନ୍ତି।

ଚିଠିରେ ସେମାନେ କହିଛନ୍ତି ଯେ ବର୍ତ୍ତମାନ ୟୁପିରେ ଚାଲିଥିବା ଶାସନ ଆଦୌ ସମ୍ବିଧାନ ଦ୍ୱାରା ପରିଚାଳିତ ହେଉନାହିଁ। ପ୍ରଣୟନ ହୋଇଥିବା ଆଇନକୁ ମଧ୍ୟ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି। ପ୍ରଶାସନ ଠାରୁ ଆରମ୍ଭ କରି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଓ ପୁଲିସ୍‌ ପ୍ରଶାସନର ବିଧିବ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଯଦି ଏବେଠାରୁ ଏହାକୁ ଠିକ୍‌ ନ କରାଯିବ, ତା’ହେଲେ ଭବିଷ୍ୟତରେ ସାଂଘିତିକ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ଗଣତନ୍ତ୍ରକୁ ମଧ୍ୟ ପ୍ରଭାବିତ କରିପାରେ।

ସରକାର କେମିତି ତାଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଦମନ କରୁଛନ୍ତି, ତା’ର ଉଦାହରଣ ଚିଠିରେ ଦିଆଯାଇଛି। କେରଳ ସାମ୍ବାଦିକ ସିଦ୍ଦିକ କପ୍ପାନ ହାଥରସକୁ ରିପୋର୍ଟିଂ କରିବାକୁ ଆସୁଥିବା ବେଳେ ତାଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ଗିରଫ କରିଥିଲା। ସେ ୨୫୦ରୁ ଅଧିକ ଦିନ ହେଲା ଜେଲରେ ଅଛନ୍ତି। ତାଙ୍କ ନାଁରେ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରିବା ଭଳି ଦଫା ଲଗାଯାଇଛି। ଏବେ ୟୁପିର ସ୍ୱାସ୍ଥ୍ୟଭିତ୍ତିଭୂମି ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କୁ ମଧ୍ୟ ସେଭଳି ଢଙ୍ଗରେ ଦମନ କରାଯାଉଛି ବୋଲି ଅବସରପ୍ରାପ୍ତ ଅଧିକାରୀମାନେ ଚିଠିରେ ଅଭିଯୋଗ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।