ସୁପ୍ରିମକୋର୍ଟରେ ପହଞ୍ଚିଲା ପରମବୀର ଓ ଅନୀଲ ଦେଶମୁଖ କଳି

ନୂଆଦିଲ୍ଲୀ: ତେଜିଲା ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଓ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ମଧ୍ୟରେ କଳି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପରମବୀର ସେ ଅନୀଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ଦାବି କରିଛନ୍ତି। ଏମିତିକି ଏହି ମାମଲାର ତଦନ୍ତ ସିବିଆଇ କରିବା ଦରକାର ବୋଲି ସେ କୋର୍ଟରେ ଆବେଦନ ବେଳେ କହିଛନ୍ତି।

ଆଇନଜୀବୀ ରଶ୍ମୀ ଶୁକ୍ଳାଙ୍କ ଦ୍ୱାରା ସେ ତାଙ୍କ ଆବେଦନ କୋର୍ଟରେ କରିଛନ୍ତି। ପରମବୀର ଉଲ୍ଲେଖ କରିଛନ୍ତି, ତାଙ୍କୁ ପୁଲିସ କମିଶନର ପଦବୀରୁ ହୋମଗାର୍ଡ ଡିଜିକୁ ବଦଳି କରାଯାଇଛି। ହେଲେ ବଦଳିର କାରଣ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଯାହା କହିଛନ୍ତି ତାର ସତ୍ୟତା କିଛି ନାହିଁ। ଏଥିପାଇଁ ତାଙ୍କ ବଦଳି ଉପରେ ରୋକ୍ ଲଗାଯିବା ଦରକାର। ସେହିପରି ଅନୀଲ ଦେଶମୁଖଙ୍କ ଘରେ ଥିବା ସିସିଟିଭି ଫୁଟେଜକୁ ଜବତ କରିବାକୁ ସେ ଦାବି କରିଛନ୍ତି। ନହେଲେ ସେ ଲଗାଇଥିବା ପ୍ରମାଣ ନଷ୍ଟ ହୋଇଯିବ ବୋଲି କହିଛନ୍ତି। ଏହି ଆବେଦନ ତାଲିକାଭୁକ୍ତ ହେବା ପରେ ପରମବୀର ସିଂହଙ୍କ ପାଇଁ ମୁକୁଲ ରୋହତଗୀ କୋର୍ଟରେ ପକ୍ଷ ରଖିବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ପରମବୀର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅସତ୍ୟ। କୌଣସି ପ୍ରମାଣ ନାହିଁ। ବଦଳି ହେବାରୁ ଏଭଳି ଚିଠି ଲେଖି ନିଜ ଉପରେ ଆସିଥିବା ଅଭିଯୋଗରୁ ବର୍ତ୍ତିବାକୁ ପରମବୀର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି। ସେ ଏବେ ପରମବୀରଙ୍କ ବିରୋଧରେ ମାନହାନୀ ଅଭିଯୋଗ କରିବେ ବୋଲି କହିଛନ୍ତି।

ସେହିପରି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି ଫେବୃଆରୀ ମାସରେ କରୋନା ପାଇଁ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଫେବୃଆରୀ ୧୫ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଫେବୃଆରୀ ୧୫ ରୁ ୨୭ ପର୍ଯ୍ୟନ୍ତ ନାଗପୁରରେ ଥିଲେ। ବାଜେ ଓ ଦେଶମୁଖଙ୍କ ଭେଟଘାଟ ତାରିଖ ପରମବୀର ତାଙ୍କ ଚିଠିରେ ଯାହା ଉଲ୍ଲେଖ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ଅର୍ଥାତ୍,ବାଜେ ଦେଶମୁଖଙ୍କୁ ଭେଟିଥିଲେ, ଏହି ଦାବି ମିଛ। ପ୍ରସଙ୍ଗଗୁଡ଼ିକରୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ପରମବୀର ଏହି ଚିଠି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।