ବୈଷ୍ଣୋ ଦେବୀ ଦଳାଚକଟା: କେମିତି ଥିଲା ସେହି ଛାତିଥରା ଘଟଣା

ନୂଆଦିଲ୍ଲୀ: ବର୍ଷ ୨୦୨୨ର ପ୍ରଥମ ଦିନରେ ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ଭବନରେ ଭୟଙ୍କର ଦଳାଚକଟା ଘଟଣା ଘଟିଛି। ଏଥିରେ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଘଟଣା ବେଳେ ଭବନରେ ଉପସ୍ଥିତ ଥିବା ଲୋକମାନେ ଏବେ ଉକ୍ତ ଲୋମହର୍ଷକାରୀ ଘଟଣାର ଛାତିଥରା ଅନୁଭୁତି ବଖାଣିଛନ୍ତି। ପ୍ରବଳ ଭିଡ଼ ଓ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଏପରି ଘଟଣା ଘଟିଲା ବୋଲି ସେମାନେ କହିଛନ୍ତି। ଦଳାଚକଟା ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ହରିଆଣାର […]

Vaishno-Devi

Vaishno-Devi

Hemant Lenka
  • Published: Saturday, 01 January 2022
  • Updated: 01 January 2022, 01:10 PM IST

Sports

Latest News

ନୂଆଦିଲ୍ଲୀ: ବର୍ଷ ୨୦୨୨ର ପ୍ରଥମ ଦିନରେ ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ଭବନରେ ଭୟଙ୍କର ଦଳାଚକଟା ଘଟଣା ଘଟିଛି। ଏଥିରେ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଘଟଣା ବେଳେ ଭବନରେ ଉପସ୍ଥିତ ଥିବା ଲୋକମାନେ ଏବେ ଉକ୍ତ ଲୋମହର୍ଷକାରୀ ଘଟଣାର ଛାତିଥରା ଅନୁଭୁତି ବଖାଣିଛନ୍ତି। ପ୍ରବଳ ଭିଡ଼ ଓ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଏପରି ଘଟଣା ଘଟିଲା ବୋଲି ସେମାନେ କହିଛନ୍ତି।

ଦଳାଚକଟା ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ହରିଆଣାର ଜଣେ ଶ୍ରଦ୍ଧାଳୁ କହିଛନ୍ତି, ଧର୍ମପୀଠ ମଧ୍ୟରେ ଶହଶହ ଲୋକ ଏକାଠି ଯାଉଥିବାରୁ ବାହାରକୁ ବାହାରିବା ପାଇଁ କୌଣସି ରାସ୍ତା ନଥିଲା। ଲୋକମାନେ ପରସ୍ପରକୁ ଠେଲାପେଲା କରିବା ସହ ହଠାତ୍‌ ଧକ୍କା ମାରିବା ଆରମ୍ଭ କରିଥିଲେ। ଏହି ଠେଲା ପେଲାରେ କିଛି ଲୋକ ତଳେ ମଧ୍ୟ ପଡ଼ି ଯାଇଥିଲେ। ଫଳରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା।

ଭବନ ମଧ୍ୟରେ ଥିବା ଗଡ଼ାଣିଆ ରାସ୍ତାରେ ଶ୍ରଦ୍ଧାଳୁମାନେ ତଳକୁ ଯାଉଥିଲେ। ହଠାତ୍‌ ପଛପଟୁ କେହି ଠେଲିବା ଭଳି ଲାଗିଲା। କିଛି ଲୋକ ନିଜକୁ ସମ୍ଭାଳି ନପାରି ତଳେ ପଡ଼ିବା ଆରମ୍ଭ କରିଥିଲେ। ଏମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲା ମଧ୍ୟ ରହିଥିଲେ। ଲୋକମାନେ ଦୌଡ଼ାଦୌଡ଼ି ହେବାରୁ ଅନେକ ଲୋକ ଆତଙ୍କିତ ହୋଇ ଯାଇଥିଲେ। ମୁଁ ନିଜକୁ ରକ୍ଷା କରିବା ପାଇଁ ନିକଟରେ ଥିବା ଗୋଟିଏ ବିଲଡିଂର ଛାତ ଉପରେ ଚଢ଼ି ଯାଇଥିଲି ବୋଲି ଶ୍ରଦ୍ଧାଳୁ ଜଣଙ୍କ କହିଛନ୍ତି।

ଶ୍ରଦ୍ଧାଳୁ ଜଣଙ୍କ ଆହୁରି କହିଛନ୍ତି, “ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ କିମ୍ବା ମନ୍ଦିର ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଯାତ୍ରା ଟିକେଟ ନଥିବା ମଧ୍ୟ ଲୋକଙ୍କୁ ଗର୍ଭଗୃହକୁ ଛଡ଼ା ଯାଉଥିଲା। ଫଳରେ ଗେଟ୍‌ ନଂ ୩ରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲା। କାହାକୁ ବି ଇ-ଟିକେଟ କିମ୍ବା କୋଭିଡ ରିପୋର୍ଟ ମଗାଯାଉ ନଥିଲା। ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ମେଡିକାଲ ସୁବିଧାର ବ୍ୟବସ୍ଥା ବି କରାଯାଇ ନଥିଲା।”

ନୋଏଡାର ସେକ୍ଟର ୭୬ରେ ରହୁଥିବା ଯୋଗେଶ ବିଶ୍ୱକର୍ମା ଘଟଣା ବେଳେ ବୈଷ୍ଣୋ ଦେବୀ ଭବନରେ ଉପସ୍ଥିତ ଥିଲେ। ସେ କହିଛନ୍ତି, ଘଟଣା ଘଟିବାର କିଛି ସେକେଣ୍ଡ ପୂର୍ବରୁ ମୁଁ ଦୌଡ଼ି ତଳକୁ ଚାଲି ଆସିଥିଲି। ଫଳରେ ମୁଁ ଅଳ୍ପକେ ବର୍ତ୍ତି ଯାଇଛି। ଧର୍ମପୀଠର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏପରି ଦଳାଚକଟା ଘଟିଥିବା ସେ କହିଛନ୍ତି।

ଅମୃତସରର ସନ୍ଦୀପ କୁମାର ଘଟଣା ପରେ ନିଜ ପତ୍ନୀ ଓ ୯ ବର୍ଷର ପୁଅକୁ ଖୋଜୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି, “ପୂରା ଘଟଣା ବେଳେ ମୁଁ ଧର୍ମପୀଠ ମଧ୍ୟରେ ରହିଥିଲି। ମୋ ପତ୍ନୀ ଓ ପୁଅ ବାହାରେ ଅପେକ୍ଷା କରିଥିଲେ। କିନ୍ତୁ ସେଠାକୁ ଫେରିବା ପରେ ମୁଁ ସେମାନଙ୍କୁ ପାଉନି।

ମୋ ପତ୍ନୀଙ୍କ ଫୋନ ମଧ୍ୟ ଲାଗୁନି। ସେମାନେ ଧର୍ମପୀଠର ଉପର ଭାଗରେ ଏବେ ବି ରହିଥିବା ଅନୁମାନ କରୁଛି। କିନ୍ତୁ ମୁଁ ପୁଣି ୧୪ କିମି ଚାଲିଚାଲି ଉପରକୁ ନ ଯିବା ଯାଏ, ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ପାଇପାରିବି ନାହିଁ।” ସନ୍ଦୀପ କୁମାରଙ୍କ ଭଳି ଅନେକ ଲୋକ ସେମାନଙ୍କ ପରିବାର ଓ ବନ୍ଧୁମାନଙ୍କୁ ଭିଡ଼ ଭିତରେ ଖୋଜିବାରେ ଲାଗିଛନ୍ତି।

ସୂଚନାଯୋଗ୍ୟ, ନବବର୍ଷ ଉପଲକ୍ଷେ ଶହଶହ ଶ୍ରଦ୍ଧାଳୁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆସିଥିଲେ। ଏହି ସମୟରେ ଶ୍ରଦ୍ଧାଳୁମାନେ ପ୍ରବଳ ଭିଡ଼ କରି କାତ୍ରା ସ୍ଥିତ ମାତା ବୈଷ୍ଣୋ ଦେବୀ ଭବନରେ ପ୍ରବେଶ କରିଥିଲେ। ଭବନ ଭିତରେ ପ୍ରବେଶ ପାଇଁ ଅନେକଙ୍କ ପାଖରେ ଅନୁମତି ରସିଦ ନଥିଲା। ତଥାପି ସେମାନେ ଠେଲାପେଲା କରି ଭବନରେ ପ୍ରବେଶ କରିଥିଲେ।

ରାତି ପ୍ରାୟ ୨.୪୫ରେ ଏହି ଠେଲାପେଲାକୁ ନେଇ କିଛି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ମାରପିଟ୍‌ ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଇତି ମଧ୍ୟରେ କିଛି ଲୋକ ତଳେ ପଡ଼ିଯିବାରୁ ଦଳା ଚକଟା ଆରମ୍ଭ ହୋଇଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପୂର୍ବରୁ ୧୨ ଜଣ ପ୍ରାଣ ହରାଇ ସାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos