ଦୁଷ୍କର୍ମକାରୀଙ୍କୁ ଫୁଲ ଓ ମିଠା ଦେଇ ସ୍ୱାଗତ କରିବା ଘଟଣାକୁ ସମାଲୋଚନା କଲେ ଫଡ଼ନାଭିସ

ମୁମ୍ବାଇ: ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀ କ୍ଷମା ନୀତି ବଳରେ ଜେଲରୁ ଖଲାସ ହେବା ପରେ ତାଙ୍କୁ ଯେଉଁଭଳି ଭବ୍ୟ ସ୍ୱାଗତ କରାଗଲା, ତା’କୁ ଖୋଦ ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ସମାଲୋଚନା କରିଛନ୍ତି। ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମା ନୀତି ବଳରେ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଖଲାସ କରିଥିଲେ। ସେମାନେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ଜେଲରୁ ବାହାରିବା ପରେ ସମସ୍ତଙ୍କୁ […]

BJP

BJP

Hemant Lenka
  • Published: Wednesday, 24 August 2022
  • Updated: 24 August 2022, 08:43 AM IST

Sports

Latest News

ମୁମ୍ବାଇ: ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀ କ୍ଷମା ନୀତି ବଳରେ ଜେଲରୁ ଖଲାସ ହେବା ପରେ ତାଙ୍କୁ ଯେଉଁଭଳି ଭବ୍ୟ ସ୍ୱାଗତ କରାଗଲା, ତା’କୁ ଖୋଦ ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ସମାଲୋଚନା କରିଛନ୍ତି। ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମା ନୀତି ବଳରେ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଖଲାସ କରିଥିଲେ। ସେମାନେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ଜେଲରୁ ବାହାରିବା ପରେ ସମସ୍ତଙ୍କୁ ଫୁଲ ମାଳ ଓ ମିଠା ଦେଇ ସ୍ୱାଗତ କରାଯାଇଥିଲା। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ସେହିପରି ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରିବା ନେଇ ବିବାଦ ଚାଲିଥିବା ବେଳେ ମଙ୍ଗଳବାର ଫଡନାଭିସ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ମହାରାଷ୍ଟ୍ର ବିଧାନସଭାରେ ବାନ୍ଦ୍ରାରେ ଘଟିଥିବା ଦୁଷ୍କର୍ମ ଘଟଣାର ବିତର୍କ ଚାଲିଥିବା ବେଳେ ବିଲକିସ୍‌ ବାନୋ ମାମଲା ଉଠିଥିଲା। ଏହା ଉପରେ ମତ ରଖି ଫଡନାଭିସ କହିଥିଲେ ଯେ ଗୃହରେ ବିଲକିସ ବାନୋଙ୍କ ଘଟଣା ଉଠାଇବାର କୌଣସି କାରଣ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୦୨ ମସିହା ଗୁଜରାଟର ବିଲକିସ ବାନୋ ଘଟଣାରେ ଦୋଷୀମାନଙ୍କୁ ରିଲଜ୍‌ କରାଯାଇଛି। ସେମାନେ ପ୍ରାୟ ୨୦ ବର୍ଷ ଜେଲରେ ରହିଥିଲେ। କିନ୍ତୁ ଅପରାଧିକ ମାମଲାରେ ଅଭିଯୁକ୍ତଙ୍କୁ ଭବ୍ୟ ସ୍ୱାଗତ କରିବା ସଂପୂର୍ଣ୍ଣ ଭୁଲ। ଏପରି ଆଚରଣ ପାଇଁ କୌଣସି ପ୍ରକାରର ସ୍ପଷ୍ଟୀକରଣ ଠିକ ନୁହେଁ। ଜଣେ ଅଭିଯୁକ୍ତ ସବୁବେଳେ ଅଭିଯୁକ୍ତ। ସେଭଳି ଲୋକଙ୍କୁ ସ୍ୱାଗତ କରିବାର କାରଣ କିଛି ବି ନାହିଁ। ଏହା ସଂପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି।

ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ୧୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଏବେ ଜେଲରୁ ବାହାରି ମୁକ୍ତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାନେଲର ପରାମର୍ଶକ୍ରମେ ସେମାନଙ୍କୁ କ୍ଷମା ନୀତି ଅନୁସାରେ ଜେଲରୁ ଖଲାସ କରି ଦିଆଯାଇଛି।

୨୧ ବର୍ଷୀୟ ବିଲକିସ୍‌ ବାନୋ ସେତେବେଳେ ୫ ମାସର ଗର୍ଭବତୀ ଥିଲେ। ୨୦୦୨ ମସିହା ମାର୍ଚ୍ଚ ୩ରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ବାନୋଙ୍କ ଛୋଟ ଝିଅଙ୍କ ସମେତ ପରିବାରର ଅନ୍ୟ ୧୩ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଦଙ୍ଗା ଯୋଗୁ ପରିବାର ଲୋକଙ୍କ ସହ ବିଲକିସ୍‌ ଅହମଦାବାଦରେ ଥିବା ଗୋଟିଏ କ୍ଷେତରେ ଲୁଚିଥିଲେ। ହେଲେ ତାଙ୍କୁ ଦଙ୍ଗାକାରୀମାନେ ଠାବ କରି ନେଇଥିଲେ।

୨୦୦୯ରେ ମୁମ୍ବାଇରେ ଥିବା ସ୍ୱତନ୍ତ୍ର କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ। କିନ୍ତୁ ଏବେ ଗୁଜରାଟ ସରକାର ସମସ୍ତଙ୍କୁ ସ୍ୱତନ୍ତ୍ର ଗାଇଡଲାଇନ ବଳରେ ଜେଲରୁ ମୁକ୍ତି ଦେଇଛନ୍ତି। ଗତ ସୋମବାର ୧୧ ଜଣ ଯାକ ବ୍ୟକ୍ତି ଗୋଧ୍ରା ଜେଲରୁ ବାହାରିବା ପରେ ତାଙ୍କୁ ମିଠା ଓ ଫୁଲ ଦେଇ ସମର୍ଥକମାନେ ସ୍ୱାଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos