୨୪ ଘଣ୍ଟା ଭିତରେ ୩ ଝିଅ ଓ ପୁଅଙ୍କୁ ଅନାଥ କରିଦେଲା କରୋନା

ଲକ୍ଷ୍ନୌ: ମହାମାରୀ କରୋନା ଭିତରେ ପୁଣି ଗୋଟିଏ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମାତ୍ର ୨୪ ଘଣ୍ଟା ଭିତରେ କରୋନା ଦମ୍ପତିଙ୍କ ଜୀବନ ନେଇଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବାପା ମରିଯିବା ପରେ ଏହା କିଛି ଘଣ୍ଟା ଭିତରରେ ମା’ ମଧ୍ୟ ଆରପାରିକୁ ଚାଲି ଯାଇଛନ୍ତି। ୨୪ ଘଣ୍ଟାରେ ବାପା ମା’ଙ୍କୁ ହରାଇ ଏବେ ୩ ଝିଅ ଓ ପୁଅ ଅନାଥ ହୋଇଯାଇଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଜୁଗାଉର ଗାଁରେ ଏପରି ଘଟଣା ଘଟିଛି।

୫୧ ବର୍ଷୀୟ ବାଦୁଲ ପ୍ରସାଦ ଲୋଧି ଅକ୍ସିଜେନ ଅଭାବରୁ ପ୍ରଥମେ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ଏହାର କିଛି ଘଣ୍ଟା ପରେ ତାଙ୍କ ପତ୍ନୀ ୪୫ ବର୍ଷୀୟ ଜୟାବତୀ ଲୋଧି ହଠାତ୍‌ ଘରେ ଆଖି ବୁଜି ଦେଇଥିଲେ। ଜୟାବତୀ କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ରହିଥିଲେ।

ଦମ୍ପତିଙ୍କୁ କରୋନା ନେଇଯିବାରୁ ଏବେ ୨୬ ବର୍ଷୀୟ ପୁଅ ରାଜକୁମାର, ୨୪ ବର୍ଷୀୟ ବୋହୂ ପିଙ୍କି, ୨୦ ବର୍ଷୀୟ ଝିଅ ସୁଶୀଲା, ୧୬ ଓ ୧୪ ବର୍ଷୀୟ ଆଉ ଦୁଇ ଝିଅ ଏକୁଟିଆ ହୋଇଯାଇଛନ୍ତି। ହଠାତ୍‌ ସେମାନଙ୍କ ସଂସରା ଉଜୁଡ଼ି ଯାଇଥିବାରୁ, ସେମାନେ ଏହାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।

ଦମ୍ପତିଙ୍କ ପୁଅ ରାଜ କୁମାର କହିଛନ୍ତି, ବାପାଙ୍କ ଚିକିତ୍ସାରେ ଆମେ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲୁ। କିନ୍ତୁ ଅକ୍ସିଜେନ ଅଭାବରୁ ତାଙ୍କ ଜୀବନ ଚାଲିଗଲା। ଅକ୍ସିଜେନ ସିଲିଣ୍ଡର ପାଇଁ ଗୋଟିଏ ପ୍ଲାଣ୍ଟ ଯାଇଥିବା ବେଳେ ମୋତେ ପୁଲିସ୍‌ ମାଡ଼ ମାରିଥିଲା। ପୂରା ବ୍ୟବସ୍ଥା ଉପରୁ ଆମର ବିଶ୍ୱାସ ତୁଟି ଯାଇଛି। ଏହାକୁ ଆମେ କେବେ ଭୁଲି ପାରିବୁ ନାହିଁ ବୋଲି ଲୁହ ଛଳଛଳ ଆଖିରେ ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ମୋ ବାପାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଥିଲା। ଆମେ ବହୁତ ଚେଷ୍ଟା କରିଥିଲୁ ହେଁ ତାଙ୍କୁ ପ୍ରାଥମିକ ଅବସ୍ଥାରେ ହସ୍ପିଟାଲରେ ଆଡମିଟ କରିପାରି ନଥିଲୁ। ଲମ୍ବା ଧାଡ଼ିରେ ଛିଡ଼ା ହେବା ପରେ ଶେଷରେ ଲକ୍ଷ୍ନୌର ଗୋଟିଏ ଘରୋଇ ହସ୍ପିଟାଲରେ ଆମକୁ ବେଡ୍‌ ମିଳିଥିଲା। ହେଲେ ରାତିରେ ଅକ୍ସିଜେନ ଅଭାବରୁ ସେ ଆଖି ବୁଜି ଥିଲେ।”

ବାପା ମା’ଙ୍କୁ ହରାଇ ଲୁହକୁ ଅଟକାଇ ପାରୁ ନଥିବା ଝିଅ ସୁଶୀଲା କହିଛନ୍ତି, “ସବୁ କିଛି ଠିକ୍‌ ହୋଇଯିବ ଓ ବାପା ଶୀଘ୍ର ଘରକୁ ଫେରିବେ ବୋଲି ମା’ କହୁଥିଲା। କିନ୍ତୁ ସେମାନେ ଆମକୁ ଏକା କରି ଚାଲିଗଲେ। ଏବେ ମୋ ମା’କୁ ମୁଁ ବହୁତ ମିସ କରୁଛି। ସେ ଆଉ କେବେ ବି ମୋ ପାଖକୁ ଆସିବନି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।