ସୋନାଲି ଫୋଗଟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକ

ଚଣ୍ଡିଗଡ଼: ହରିଆଣା ବିଜେପି ନେତ୍ରୀ ତଥା ବିଗବସ୍‌ ଫେମ ସୋନାଲି ଫୋଗଟଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକ। ଗୋଆରେ ହୃଦଘାତ ଯୋଗୁ ସୋନାଲିଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ହେଲେ ପରିବାର ଲୋକ ଏହାକୁ ଗ୍ରହଣ ନ କରି ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି। ଏଥିପାଇଁ ସେମାନେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

୪୨ ବର୍ଷୀୟ ସୋନାଲି ଗୋଆରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ସୋମବାର ରାତିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ୍‌ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି। ହେଲେ ସୋନାଲିଙ୍କ ଭଉଣୀ ଓ ପରିବାର ଲୋକ ହୃଦଘାତ ଜନିତ ମୃତ୍ୟୁକୁ ବିଶ୍ୱାସ କରୁ ନାହାନ୍ତି।

ସୋନାଲିଙ୍କ ଭଉଣୀ ରମାନ କହିଛନ୍ତି, “ମୋ ଭଉଣୀ କେବେ ହେଲେ ହୃଦଘାତର ସମ୍ମୁଖୀନ ହୋଇପାରିବ ନାହିଁ। ସେ ପୂରା ଫିଟ ଥିଲା। ଆମେ ଘଟଣାର ସଂପୂର୍ଣ୍ଣ ତଦନ୍ତ ସିବିଆଇ କରୁ ବୋଲି ଚାହୁଁଛୁ। ସେ ହୃଦଘାତରେ ପ୍ରାଣ ହରାଇବା ଖବରକୁ ଆମ ପରିବାର ଲୋକ ଗ୍ରହଣ କରି ପାରୁ ନାହାନ୍ତି। ହାର୍ଟ ସମ୍ପର୍କିତ କୌଣସି ମେଡିକାଲ ସମସ୍ୟା ତା’ର ନଥିଲା।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଫୋନ କରିଥିଲା। ସେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଥିବା ତା’ କଥାରୁ ଜଣାପଡ଼ୁଥିଲା। ତେଣୁ ସିବିଆଇ ପୂରା ଘଟଣା ଉପରକୁ ପରଦା ହଟାଇବା ଦରକାର। ସେ ସନ୍ଧ୍ୟା ବେଳେ ମୋତେ ଫୋନ କରିବା ସହ ହ୍ୱାଟସଆପରେ କିଛି କଥା ହେବ ବୋଲି କହିଥିଲା। କିଛି ଗୋଟେ ଅଘଟଣ ଘଟିବାକୁ ଯାଉଥିବା ଆଶଙ୍କା ମଧ୍ୟ କରିଥିଲା। ଏହି ସମୟରେ ସେ ଫୋନ କାଟି ଦେଇଥିଲା ଓ ଆଉ ଫୋନ ଉଠାଇ ନଥିଲା।”

ସୋନାଲି ଫୋଗଟ ବିଜେପି ନେତ୍ରୀ ସହ ଜଣେ ଟିକଟକ ଷ୍ଟାର ଥିଲେ। ସେ ନିଜର କିଛି ସହଯୋଗୀଙ୍କ ସହ ଗୋଆ ଯାଇଥିଲେ। ତେବେ ସୋମବାର ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଇଥିଲେ ହେଁ ଗୋଆ ପୁଲିସ୍‌ ମୁଖ୍ୟ ଯଶପାଲ ସିଂହ ଏଯାଏ କୌଣସି ପ୍ରକାରର ସନ୍ଦେହ କରିବା ଭଳି ଘଟଣା ସାମ୍ନାକୁ ଆସି ନଥିବା କହିଛନ୍ତି।

୨୦୦୬ ମସିହାରେ ସୋନାଲି ଟିଭି ଆଙ୍କର ଭାବେ ଡେବ୍ୟୁ କରିଥିଲା। ଏହାର ଦୁଇ ବର୍ଷ ପରେ ସେ ବିଜେପିରେ ସାମିଲ ହୋଇଥିଲା। ୨୦୧୬ରେ ସେ ଅଭିନୟ ଜଗତରେ ପ୍ରବେଶ କରିବା ସହ ୨୦୧୯ରେ ଗୋଟିଏ ୱେବ ସିରିଜରେ ନଜର ଆସିଥିଲେ। ୨୦୨୦ ବିଗ ବସ୍‌ ସିଜିନରେ ମଧ୍ୟ ତାଙ୍କୁ ଜଣେ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିଥିଲା।

୨୦୧୯ରେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ ବି କଂଗ୍ରେସ ପ୍ରାର୍ଥୀ କୁଲଦୀପ ବିଷ୍ଣୋଇଙ୍କ ପାଖରୁ ତାଙ୍କୁ ହାରିବାକୁ ପଡ଼ିଥିଲା। ତେବେ ଶ୍ରୀ ବିଷ୍ଣୋଇ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏଥିସହ ସେ ସୋନାଲିଙ୍କୁ ଭେଟି ଫଟୋ ମଧ୍ୟ ଉଠାଇଥିଲେ।

ସୋମବାର ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋନାଲି ପିଙ୍କ ପଗଡ଼ି ପିନ୍ଧି ନିଜର ଦୁଇଟି ଭିଡିଓ ଓ ୪ଟି ଫଟୋ ଇନଷ୍ଟାରେ ପୋଷ୍ଟ କରିଥିଲେ। ଏହାର କିଛି ସମୟରେ ସେ ରାତ୍ର ଭୋଜନ କରିଥିଲେ। ତେବେ ରାତ୍ର ଭୋଜନ ପରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରୁଥିବା ତାଙ୍କ ମା’ଙ୍କୁ ଫୋନ କରି ଜଣାଇଥିବା ତାଙ୍କ ଭଉଣୀ ସୂଚନା ଦେଇଛନ୍ତି। ସମ୍ଭବତଃ ତାଙ୍କ ଖାଦ୍ୟରେ କେହି ବିଷ ମିଶାଇ ଦେଇଥିବା ମଧ୍ୟ ପରିବାର ଲୋକ ସନ୍ଦେହ କରୁଛନ୍ତି।

ସୋନାଲି ଫୋଗଟଙ୍କ ସ୍ୱାମୀ ସଞ୍ଜୟ ଫୋଗଟ ମଧ୍ୟ ୨୦୧୬ରେ ପ୍ରାଣ ହରାଇଥିଲେ। ସେତେବେଳେ ତାଙ୍କ ବୟସ ୪୨ ବର୍ଷ ଥିଲା। ଏବେ ସୋନାଲି ମଧ୍ୟ ୪୨ ବର୍ଷ ବୟସରେ ଆଖି ବୁଜିଛନ୍ତି। ବାପା ମା’ଙ୍କୁ ହରାଇ ସେମାନଙ୍କ ଝିଅ ପୂରା ଏକା ହୋଇଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।