ବିପଦ ଆଶଙ୍କା କଲେ ଜ୍ଞାନବାପି ମସଜିଦରେ ସର୍ଭେ ପାଇଁ ରାୟ ଦେଇଥିବା ଜଜ୍‌

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପି ମସଜିଦରେ ଭିଡିଓଗ୍ରାଫି ପାଇଁ ରାୟ ଦେଇଥିବା ସ୍ଥାନୀୟ କୋର୍ଟର ବିଚାରପତି ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି। ଏଥିସହ ତାଙ୍କ ସୁରକ୍ଷା ପାଇଁ ପରିବାର ଲୋକ ଚିନ୍ତିତ ଥିବା ମଧ୍ୟ କହିଛନ୍ତି। ଗୋଟିଏ ସାଧାରଣ ଦେୱାନି ମାମଲା ଏବେ ଗୋଟିଏ ଅସାଧାରଣ ପ୍ରସଙ୍ଗରେ ପରିଣତ ହୋଇଥିବାରୁ ବିଚାରପତିଙ୍କ ପରିବାର ଲୋକ ସୁରକ୍ଷାକୁ ନେଇ ନେଇ ଚିନ୍ତା ପ୍ରକଟ କରୁଥିବା ଜଣାପଡ଼ିଛି।

ବାରାଣସୀ ତଳ କୋର୍ଟର ସିନିୟର ଡିଭିଜନରେ ଥିବା ସିଭିଲ ଜଜ୍ ରବି କୁମାର ଦିୱାରକର ଜ୍ଞାନବାପି ମସଜିଦରେ ଭିଡିଓଗ୍ରାଫି ପାଇଁ ଆବେଦନକାରୀଙ୍କୁ ଅନୁମତି ଦେଇଛନ୍ତି। ଆବେଦନକାରୀ କରିଥିବା ସମସ୍ତ ଅନୁରୋଧକୁ ସେ ଗ୍ରହଣ କରିବା ସହ ୧୭ ତାରିଖ ସୁଦ୍ଧା ସର୍ଭେ କାମ ସାରିବାକୁ କହିଛନ୍ତି।

ଏହି ରାୟରେ ସେ ଲେଖିଛନ୍ତି, “ବର୍ତ୍ତମାନ ଗୋଟିଏ ଭୟର ପରିବେଶ ସୃଷ୍ଟି କରାଯାଇଛି। ସ୍ଥିତି ଏପରି ହୋଇଛି ଯେ ମୋ ପରିବାର ସେମାନଙ୍କର ଓ ମୋର ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଯେତେବେଳେ ବି ମୁଁ ଘରୁ ଗୋଡ଼ କାଢ଼ୁଛି, ମୋ ପତ୍ନୀ ମୋ ସୁରକ୍ଷାକୁ ନେଇ ବ୍ୟସ୍ତ ହେଉଛନ୍ତି। ମିଡିଆରେ କିଛି ରିପୋର୍ଟ ପ୍ରକାଶ ପାଇଥିଲା ଯେ ମୁଁ ସର୍ଭେସ୍ଥଳକୁ ଯିବି। ହେଲେ ମୋ ମା’ ଏଥିପାଇଁ ମୋତେ ମନା କରୁଛନ୍ତି। କାରଣ ସେ ମୋ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।”

ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଏହି ଜ୍ଞାନବାପି ମସଜିଦଟି ରହିଛି। ଗତବର୍ଷ ୫ ଜଣ ମହିଳା ସ୍ଥାନୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ମସଜିଦର ପଶ୍ଚିମ କାନ୍ଥର ପଛ ପଟେ ଥିବା ମା’ ଶ୍ରୀଗଙ୍ଗା ଗୌରୀଙ୍କ ଦର୍ଶନ ପାଇଁ କଟକଣା ମୁକ୍ତ ଓ ସବୁ ସମୟରେ ଯାତାୟାତ ସୁବିଧା ପ୍ରଦାନ କରିବାକୁ ଦାବି କରିଥିଲେ। ବର୍ତ୍ତମାନ ବର୍ଷକୁ ଗୋଟିଏ ଥର ଉକ୍ତ ଧର୍ମପୀଠକୁ ଦର୍ଶନ ଓ ପୂଜାପାଠ ପାଇଁ ଖୋଲା ଯାଉଛି।

ଆବେଦନକାରୀ ମହିଳାମାନେ ପୁରୁଣା ମନ୍ଦିର ଭିତରେ ଥିବା ଅନ୍ୟ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବାକୁ ମଧ୍ୟ ଅନୁମତି ଦେବାକୁ କୋର୍ଟରେ ନିବେଦନ କରିଥିଲେ। ଏପ୍ରିଲ ମାସରେ କୋର୍ଟ ଜ୍ଞାନବାପି ମସଜିଦରେ ସର୍ଭେ ପାଇଁ ଅନୁମତି ଦେଇଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଛି। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।