ସରକାରଙ୍କ ପ୍ରସ୍ତାବ ଗ୍ରହଣ କଲେ ଚାଷୀ, କିନ୍ତୁ ଆନ୍ଦୋଳନ ଚାଲିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଇଥିବା ସଂଶୋଧିତ ଡ୍ରାଫ୍ଟକୁ ଆଜି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ଗ୍ରହଣ କରି ନେଇଛନ୍ତି। ତେବେ ବର୍ତ୍ତମାନ ଆନ୍ଦୋଳନ ପ୍ରତ୍ୟାହାର ହେବନି। ଆସନ୍ତାକାଲି ପୁଣି ବୈଠକ ବସିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। କୃଷି ଆଇନ ପ୍ରତ୍ୟାହାର ଠାରୁ ଆରମ୍ଭ କରି ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବିରେ ଶତାଧିକ ଚାଷୀ ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ କରୁଛନ୍ତି। କେନ୍ଦ୍ର ସରକାର […]

Farmer

Farmer

Hemant Lenka
  • Published: Wednesday, 08 December 2021
  • Updated: 08 December 2021, 06:43 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଇଥିବା ସଂଶୋଧିତ ଡ୍ରାଫ୍ଟକୁ ଆଜି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ଗ୍ରହଣ କରି ନେଇଛନ୍ତି। ତେବେ ବର୍ତ୍ତମାନ ଆନ୍ଦୋଳନ ପ୍ରତ୍ୟାହାର ହେବନି। ଆସନ୍ତାକାଲି ପୁଣି ବୈଠକ ବସିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

କୃଷି ଆଇନ ପ୍ରତ୍ୟାହାର ଠାରୁ ଆରମ୍ଭ କରି ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବିରେ ଶତାଧିକ ଚାଷୀ ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ କରୁଛନ୍ତି। କେନ୍ଦ୍ର ସରକାର ସେମାନଙ୍କ ଆନ୍ଦୋଳନକୁ ଦେଖି ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିଥିଲେ।

ତେବେ ଚାଷୀମାନେ ଏମଏସ୍‌ପିର ଗ୍ୟାରେଣ୍ଟି, ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଥିଲେ। ଦିନକୁ ଦିନ ଚାପ ବଢ଼ିବାରୁ କେନ୍ଦ୍ର ସରକାର ଚାଷୀଙ୍କ ସବୁ ଦାବି ମାନିବେ ବୋଲି କହିବା ସହ ଲଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ଉପରେ ମୋର୍ଚ୍ଚା ପକ୍ଷରୁ ଦୁଇ ଦିନ କାଳ ସିଙ୍ଘୁ ସୀମାରେ ବୈଠକ ବସିଥିଲା। ଆଜି ବୈଠକରେ ଚାଷୀମାନେ କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।

ବୈଠକ ପରେ ଚାଷୀ ନେତା ଗୁରୁନାମ ସିଂହ କହିଛନ୍ତି, ଆମ ଦାବିକୁ ଆଧାର କରି କେନ୍ଦ୍ର ସରକାର ଦେଇଥିବା ସଂଶୋଧିତ ଡ୍ରାଫ୍ଟକୁ ଆମେ ଗ୍ରହଣ କରି ନେଇଛୁ। ଆମେ କେନ୍ଦ୍ର ସରକାରଙ୍କ ପାଖରୁ ଏ ସମ୍ପର୍କରେ ଗୋଟିଏ ବିଧିବଦ୍ଧ ଚିଠି ପାଇଁ ଦାବି କରିଛୁ। ଏହା କାଲି ମିଳିବା ପରେ ପୁଣି ଆଲୋଚନା ହେବ। ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏବେ ଆନ୍ଦୋଳନ ଜାରି ରହିଥିବା ସେ କହିଛନ୍ତି।

ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ମଙ୍ଗଳବାର ସଂଶୋଧିତ ଡ୍ରାଫ ମୋର୍ଚ୍ଚା ପକ୍ଷରୁ ଗଠିତ ୫ ଜଣିଆ କମିଟି ନିକଟକୁ ପଠାଇଥିଲେ। ଏହାପରେ କମିଟି ଆନ୍ଦୋଳନରତ ଚାଷୀଙ୍କ ସହ ଏ ବିଷୟରେ ଗତକାଲି ଆଲୋଚନା କରିଥିଲା। ଡ୍ରାଫ୍ଟରେ ଥିବା କିଛି ପ୍ରସ୍ତାବ ଉପରେ ଚାଷୀମାନେ ଆଶଙ୍କା ପ୍ରକାଶ କରିଥିଲେ। ଏଥିପାଇଁ ଆଜି ପୁଣିଥରେ ସିଙ୍ଘୁ ସୀମାରେ ବୈଠକ ବସିଥିଲା।

ଏହି ସମୟରେ ବିସ୍ତୃତ ଆଲୋଚନା ହେବା ସହ ଚାଷୀମାନେ କେନ୍ଦ୍ରର ସଂଶୋଧିତ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଏବେ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ ବୋଲି ଗୋଟିଏ ଚିଠି ଚାଷୀଙ୍କ ପାଖକୁ ପଠାଇବେ। ଏହାପରେ ଦୀର୍ଘ ବର୍ଷେ ହେଲା ଜାରି ରହିଥିବା ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିବ।


ସରକାର ପ୍ରସ୍ତୁତ କରିଥିବା ଡ୍ରାଫ୍ଟରେ ଏମଏସପି ଉପରେ ଆଇନଗତ ମାନ୍ୟତା ମିଳିବ ବୋଲି କହିଛନ୍ତି। ମୋଟ ଉତ୍ପାଦନ ମୂଲ୍ୟ(ସି୨+୫୦%)କୁ ଆଧାର କରି ଏମଏସ୍‌ପି ଧାର୍ଯ୍ୟ ହେବ। ଏଥିପାଇଁ ଆଇନଗତ ପ୍ରାବଧାନ ରହିବ। ଏହାଦ୍ୱାରା ଦେଶର ସବୁ ଚାଷୀ ସରକାର ଘୋଷଣା କରୁଥିବା ଏମଏସ୍‌ପି ପାଇପାରିବେ।

ସେହିପରି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଇଲେକ୍ଟ୍ରିସିଟି ବିଲ୍ ୨୦୨୦କୁ ମଧ୍ୟ ଆଉ ସଂସଦରେ ଉପସ୍ଥାପନ କରିବେନି। ନଡ଼ା ଜାଳିବା ପାଇଁ ଚାଷୀଙ୍କ ଉପରେ ଲାଗୁ ହେଉଥିବା ଜୋରିମାନା ପ୍ରାବଧାନକୁ ସରକାର ହଟାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ, ହରିଆଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟଗୁଡ଼ିକରେ ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା।ଏହାକୁ ତତ୍କାଳ ଭାବେ ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ସରକାର ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାକୁ କହିଛନ୍ତି।

ଅନ୍ୟପକ୍ଷରେ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର କହିଥିବା ଜଣାପଡ଼ିଛି। ପଞ୍ଜାବ ସରକାର ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ଦେବେ ବୋଲି କହିଛନ୍ତି। ଏବେ ଉତ୍ତର ପ୍ରଦେଶ ଓ ହରିଆଣା ସରକାର ମଧ୍ୟ ସମାନ ପଦକ୍ଷେପ ନେବେ ବୋଲି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଡ୍ରାଫ୍ଟରେ ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos