କେନ୍ଦ୍ର ସରକାରଙ୍କୁ ଟିକା ମାଗିଲେ ଟିକାୟତ

ନୂଆଦିଲ୍ଲୀ: ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ ନେତା। ଏବେ ଏହି ଆନ୍ଦୋଳନରତ ଚାଷୀଙ୍କୁ ଟିକା ଦିଆଯାଉ। ଏହା କହିଛନ୍ତି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ। ଏମିତିକି ନିଜେ ମଧ୍ୟ ଟିକା ନେବେ ବୋଲି କହିଛନ୍ତି। ଗାଜିପୁର ସୀମାରେ ଏହା କହିଛନ୍ତି ରାକେଶ ଟିକାୟତ।

ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନରେ ବସିଛନ୍ତି। ଏହି ତିନି ଆଇନ ରଦ୍ଦ ହେବା ଦରକାର ବୋଲି ସେମାନେ ଦାବି କରୁଛନ୍ତି। ଅନ୍ୟପଟେ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଟିକାକରଣ ଅଭିଯାନକୁ ସରକାର ଜୋରଦାର କରିଛନ୍ତି। ଏବେ 60 ବର୍ଷରୁ ଅଧିକ ବୟସ୍କ ଏବଂ ବହୁବୀଧ ରୋଗରେ ଆକ୍ରାନ୍ତ ଥିବା 45 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଟିକାକରଣରେ ସାମିଲ୍ ହେଉଛନ୍ତି।

ବିଜେପି ବିରୋଧରେ ପ୍ରଚାର ଦାୟିତ୍ୱରେ ରାକେଶ ଟିକାୟତ

ବିକେୟୁ ନେତା ରାକେଶ ଟିକାୟତ ଗତ ଶନିବାର କୋଲକାତା ବିମାନ ବନ୍ଦରରେ ଓହ୍ଲାଇଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ରାକେଶ ଟିକାୟତ ଏବଂ ଅନ୍ୟାନ୍ୟ ଚାଷୀ ନେତା ପଶ୍ଚିମବଙ୍ଗ ଯାଇ ନନ୍ଦିଗ୍ରାମରେ ବିଜେପି ବିରୋଧରେ ପ୍ରଚାର କରିଥିଲେ। ଏହି ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ। ଉଭୟ ମମତା ଏବଂ ଶୁଭେନ୍ଦୁ ପରସ୍ପରକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ଚାଷୀ ଆନ୍ଦୋଳନ ଦିଲ୍ଲୀ ସୀମାରେ ସୀମିତ ଥିଲା। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ପାଖାପାଖି ୪ ମାସ ହେବ ଭାରତୀୟ କିଷାନ ୟୁନିଅନ୍ ଏବଂ ଅନ୍ୟାନ୍ୟ ସଂଗଠନ ଆନ୍ଦୋଳନରେ ବସିଛନ୍ତି। ଏହାରି ଭିତରେ ନିର୍ବାଚନ ବେଳେ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧରେ ରାଲି କରିବେ ବୋଲି ରାକେଶ ଟିକାୟତ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।