ସଂଯୁକ୍ତ କିଷାନ ମୋର୍ଚ୍ଚାରୁ ଅଲଗା ହେଲେ ୨୨ ସଂଗଠନ, ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଦୀର୍ଘ ଗୋଟିଏ ବର୍ଷର ସଂଘର୍ଷ କରୁଥିବା ସଂଯୁକ୍ତି କିଷାନ ମୋର୍ଚ୍ଚା ଦୁଇ ଭାଗ ହୋଇଯାଇଛି। ୩୨ ସଂଗଠନକୁ ନେଇ ଗଠିତ ଏହି ମୋର୍ଚ୍ଚାର ୨୨ଟି ଗ୍ରୁପ୍‌ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା କୌଣସି ପ୍ରକାରର ନିର୍ବାଚନ ଲଢ଼ିବ ନାହିଁ ବୋଲି କହିଥିଲା। ହେଲେ ମୋର୍ଚ୍ଚାରୁ ୨୨ଟି ସଂଗଠନ ଅଲଗା ହୋଇ ସଂଯୁକ୍ତ ସମାଜ ମୋର୍ଚ୍ଚା ନାଁରେ ଗୋଟିଏ ରାଜନୀତିକ ଦଳ ଗଠନ କରିଛନ୍ତି। ଏହି […]

Farmer

Farmer

Hemant Lenka
  • Published: Saturday, 25 December 2021
  • Updated: 25 December 2021, 06:28 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଦୀର୍ଘ ଗୋଟିଏ ବର୍ଷର ସଂଘର୍ଷ କରୁଥିବା ସଂଯୁକ୍ତି କିଷାନ ମୋର୍ଚ୍ଚା ଦୁଇ ଭାଗ ହୋଇଯାଇଛି। ୩୨ ସଂଗଠନକୁ ନେଇ ଗଠିତ ଏହି ମୋର୍ଚ୍ଚାର ୨୨ଟି ଗ୍ରୁପ୍‌ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା କୌଣସି ପ୍ରକାରର ନିର୍ବାଚନ ଲଢ଼ିବ ନାହିଁ ବୋଲି କହିଥିଲା।

ହେଲେ ମୋର୍ଚ୍ଚାରୁ ୨୨ଟି ସଂଗଠନ ଅଲଗା ହୋଇ ସଂଯୁକ୍ତ ସମାଜ ମୋର୍ଚ୍ଚା ନାଁରେ ଗୋଟିଏ ରାଜନୀତିକ ଦଳ ଗଠନ କରିଛନ୍ତି। ଏହି ନୂଆ ମୋର୍ଚ୍ଚା ଆସନ୍ତା ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢ଼ିବ ବୋଲି ଆଜି ଘୋଷଣା କରିଛି। ସଂଯୁକ୍ତ କିଷାନ ମୋର୍ଚ୍ଚାରେ ଥିବା ବାକି ୯ଟି ସଂଗଠନ ମଧ୍ୟରୁ ୩ଟି ଗ୍ରୁପ୍‌ ନିର୍ବାଚନ ଲଢ଼ିବାକୁ ରାଜି ଥିବା କହିଥିବା ବେଳେ ଅନ୍ୟ ୩ଟି ଦଳ ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି। ବଳକା ୩ ସଂଗଠନ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ନୂଆ କରି ଗଠନ ହୋଇଥିବା ସଂଯୁକ୍ତ ସମାଜ ମୋର୍ଚ୍ଚା(ଏସଏମଏମ) ନିର୍ବାଚନ ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ସହ ମେଣ୍ଟ କରିପାରେ। ତେବେ ଏ ସମ୍ପର୍କରେ ଏସଏମଏମ କିମ୍ବା ଆପ୍‌ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ।

ଚଣ୍ଡିଗଡ଼ରେ ନୂଆ ରାଜନୀତି ଦଳ ଗଠନ ସମ୍ପର୍କରେ ସୂଚନା ଦେଇ ଚାଷୀ ନେତା ବଲବୀର ସିଂହ ରାଜେୱାଲ କହିଛନ୍ତି, “ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବାକୁ ସଂଯୁକ୍ତ ସମାଜ ମୋର୍ଚ୍ଚା ନାଁରେ ଗୋଟିଏ ସଂଗଠନ ଗଠନ କରାଯାଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚାରେ ଥିବା ୨୨ଟି ସଂଗଠନ ଏପରି ନିଷ୍ପତ୍ତି ନେଇଛନ୍ତି। ଆମେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ ଓ ମୋର୍ଚ୍ଚା ପ୍ରତି ଲୋକଙ୍କ ସମର୍ଥନ ଆଶା କରୁଛୁ।”

ବିକେୟୁ(କାଡିଆନ)ର ନେତା ହରମୀତ ସିଂହ କାଡିଆନ କହିଛନ୍ତି, ସଂଯୁକ୍ତ କିଷାନ ମୋର୍ଚ୍ଚ ବିଭିନ୍ନ ସଂଗଠନକୁ ନେଇ ଗଠନ ହୋଇଥିବା ଗୋଟିଏ ବଡ଼ ଗ୍ରୁପ୍। ଆମେ ବିକ୍ଷୋଭ ଦ୍ୱାରା କୃଷି ଆଇନ ବିରୋଧୀ ଲଢ଼େଇ ଜିତିଛୁ। କିନ୍ତୁ ଆମେ ଆନ୍ଦୋଳନରୁ ଫେରିବା ପରେ ଆମ ଉପରେ ଚାପ ପଡ଼ିଥିଲା।

ଯଦି ଆମେ ସେହି ଯୁଦ୍ଧକୁ ଜିତିବ ପାରିଲୁ, ତା’ହେଲେ ନିର୍ବାଚନ ମଧ୍ୟ ଜିତି ପାରିବୁ ବୋଲି ପଞ୍ଜାବବାସୀ କହିଥିଲେ। ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଆମେ ସଂଯୁକ୍ତ ସାମଜ ମୋର୍ଚ୍ଚା ଗଠନ କରିଛୁ। ଏହା ଗୋଟିଏ ମୋର୍ଚ୍ଚା। ଏହା ରାଜନୀତିକ ଦଳ ନୁହେଁ। କାରଣ ଭିନ୍ନଭିନ୍ନ ଆଦର୍ଶର ଲୋକମାନେ ପୁଣି ଏକାଠି ହୋଇଛନ୍ତି। ଆମେ ଯଦି ପୂର୍ବରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥାଆନ୍ତୁ, ତା’ହେଲେ ଏବେ ଆମକୁ ଦଳୀୟ ଚିହ୍ନ ମିଳି ସାରନ୍ତାଣି। ଆମେ କେବଳ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବଲବୀର ସିଂହ ରାଜେୱାଲ ହିଁ ସଂଯୁକ୍ତ ସମାଜ ମୋର୍ଚ୍ଚାର ନେତୃତ୍ୱ ନେବେ। ପ୍ରଥମେ ମୋର୍ଚ୍ଚା ଗ୍ରାମାଞ୍ଚଳରେ ନିଜକୁ ସଶକ୍ତ କରିବ। ସାଧାରଣ ଲୋକ ହିଁ ଆମର ଫୋକସରେ ରହିବେ। ଆମେ ସାଧାରଣ ଲୋକଙ୍କ ଦଳ ହୋଇ କାମ କରିବୁ ବୋଲି ସେ କହିଛନ୍ତି।

ସଂଯୁକ୍ତ ସମାଜ ମୋର୍ଚ୍ଚା ଗଠନ ହେବାର କିଛି ଘଣ୍ଟା ପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ନିର୍ବାଚନ ଲଢ଼ିବ ନାହିଁ ବୋଲି ଘୋଷଣା କରିଥିଲା। ଏଥିସହ ସଂଗଠନର ନେତାମାନଙ୍କୁ ସଂଯୁକ୍ତ ମୋର୍ଚ୍ଚା କିମ୍ବା ଏହା ମଧ୍ୟରେ ଥିବା ୩୨ଟି ଯାକ ସଂଗଠନର ନାଁକୁ ବ୍ୟବହାର କରି ପ୍ରଚାର କରିବାକୁ ବାରଣ କରାଯାଇଥିଲା।

ସଂଯୁକ୍ତ କିଷାନ ମୋର୍ଚ୍ଚା କହିଥିଲା ଯେ ଏଠାରେ ୪୦୦ରୁ ଅଧିକ ବିଚାରଧାରାରେ ବିଶ୍ୱାସ ରଖୁଥିବା ଲୋକ ରହିଛନ୍ତି। ସମସ୍ତେ ଚାଷୀଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ଏକାଠି ହୋଇଥିଲେ। ବିଚାରଧାରା ଅଲଗା ହୋଇଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ନିର୍ବାଚନ ଲଢ଼ିବ ନାହିଁ ବୋଲି ନିଷ୍ପତ୍ତି ନେଇଛି।

ମୋର୍ଚ୍ଚା ସବୁବେଳେ ଚାଷୀଙ୍କ ଅଧିକାର ପାଇଁ ଲଢ଼େଇ କରିଛି। ରାଜନୀତିକ କରିବାକୁ କେବେ ହେଲେ ଇଚ୍ଛା ରଖିନି। ତେଣୁ ଚାଷୀନେତା ଓ ସଂଗଠନର ସଦସ୍ୟମାନେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନାଁ ବ୍ୟବହାର କରି ନିର୍ବାଚନ ପାଇଁ କୌଣସି ପ୍ରକାରର ପ୍ରଚାର କରିବେ ନାହିଁ।

ଯଦି କେହି ପଞ୍ଜାବରେ ମୋର୍ଚ୍ଚା କିମ୍ବା ୩୨ ସଂଗଠନର ନାଁ ନେଇ ନିର୍ବାଚନ ଲଢ଼ିବେ, ତା’ହେଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାଷୀନେତା କିମ୍ବା କୌଣସି ସଂଗଠନ ନିଜ ପ୍ରୟାସରେ ନିର୍ବାଚନ ଲଢ଼ିଲେ, ମୋର୍ଚ୍ଚାର କୌଣସି ଅସୁବିଧା ନାହିଁ।

ସରକାରଙ୍କ ଠାରୁ ଅଧିକାର ହାସଲ କରିବା ହିଁ ମୋର୍ଚ୍ଚାର ଏକମାତ୍ର ଲକ୍ଷ୍ୟ ଥିଲା। ସରକାର କୃଷି ଆଇନ ପ୍ରତ୍ୟାହାର କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଜାନୁଆରୀ ୧୫ରେ ମୋର୍ଚ୍ଚା ପକ୍ଷରୁ ବୈଠକ ବସିବ। ଏହି ସମୟରେ ଚାଷୀଙ୍କ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଥିଲା।


ସୂଚନାଯୋଗ୍ୟ, ସଂଯୁକ୍ତ ସମାଜ ମୋର୍ଚ୍ଚା ଗଠନ ହେବା ପୂର୍ବରୁ ବରିଷ୍ଠ ଚାଷୀ ନେତା ଗୁରନାମ ସିଂହ ଚଡୁନି ଡିସେମ୍ବର ୧୮ରେ ଗୋଟିଏ ରାଜନୀତିକ ଦଳ ଗଠନ କରିଛନ୍ତି। ସେ ଗଠନ କରିଥିବା ସଂଯୁକ୍ତ ସଂଘର୍ଷ ପାର୍ଟି ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନର ସମସ୍ତ ଆସନରେ ପ୍ରାର୍ଥୀ ଦେବ। କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦୀର୍ଘ ଗୋଟିଏ ବର୍ଷ ଧରି କରିଥିବା ଆନ୍ଦୋଳନ ବେଳେ ଗୁରନାମ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos