ଦେଶଦ୍ରୋହ ମାମଲାକୁ ବିରୋଧ କରି ବ୍ୟାରିକେଡ୍‌ ଭାଙ୍ଗିଲେ ଚାଷୀ

ସିର୍ସା: ହରିଆଣାରେ ଚାଷୀ ଓ ପୁଲିସ୍‌ ମଧ୍ୟରେ ପୁଣିଥରେ ସଂଘର୍ଷ ଦେଖିବାକୁ ମିଳିଛି। କିଛି ଦିନ ତଳେ ବିଜେପି ନେତାଙ୍କ କାର୍‌କୁ ଚାଷୀମାନେ ଆକ୍ରମଣ କରିଥିଲେ। ଏଥିପାଇଁ ପୁଲିସ୍‌ ୧୦୦ରୁ ଅଧିକ ଚାଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି।

ଏହାକୁ ବିରୋଧ କରି ଆଜି ଚାଷୀମାନେ ବିକ୍ଷୋଭ କରିବା ସହ ସିର୍ସାରେ ପୁଲିସ୍‌ କରିଥିବା ବ୍ୟାରିକେଡ୍‌କୁ ଭାଙ୍ଗି ଦେଇଛନ୍ତି। ବ୍ୟାରିକେଡ ନିକଟରେ ବିପୁଳ ସଂଖ୍ୟାରେ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ମୁତୟନ ହୋଇଥିଲେ ହେଁ ଚାଷୀମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜୁଲାଇ ୧୧ରେ ଚାଷୀମାନେ ହରିଆଣାର ଉପ ବାଚସ୍ପତି ତଥା ବିଜେପି ନେତା ରଣବୀର ଗଙ୍ଗୱାଙ୍କ କାର ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଗୁରୁବାର ସକାଳେ ପୁଲିସ ୫ ଜଣ ଚାଷୀଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରିଥିଲା। ଏହାକୁ ବିରୋଧ କରି ଆଜି ସକାଳୁ ଚାଷୀମାନେ ସିର୍ସାରେ ଏକାଠି ହୋଇଥିଲେ। ସେମାନେ ଗିରଫ ଚାଷୀମାନଙ୍କୁ ଛାଡ଼ିବାକୁ ଦାବି କରି ନାବାଜି କରିଥିଲେ। ପୁଲିସ୍‌ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବ୍ୟାରିକେଡ କରିଥିଲା। ହେଲେ ଚାଷୀମାନେ ଏହାକୁ ଭାଙ୍ଗି ଦେଇଛନ୍ତି।

ମଧ୍ୟାହ୍ନରେ ୨୦ ଜଣିଆ ଚାଷୀ ପ୍ରତିନିଧି ଦଳ ସରକାରୀ ଅଧିକାରୀଙ୍କୁ ଭେଟି ଗିରଫ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ଅନୁରୋଧ କରିଥିଲେ। ତେବେ ଏଯାଏ କୌଣସି ସୁଫଳ ନ ମିଳିବାରୁ ଚାଷୀମାନେ ବ୍ୟାରିକେଡ୍‌ ଭାଙ୍ଗି ବିକ୍ଷୋଭ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।