ଆଭିମୁଖ୍ୟ ଆହୁରି ଶକ୍ତ କଲେ ଚାଷୀ, ବିଜେପିକୁ ହରାଇବା ନାରା ସହ ଲୋକଙ୍କ ପାଖକୁ ଯିବେ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଆଭିମୁଖ୍ୟକୁ ଆହୁରି ଶକ୍ତ କରିଛି ଚାଷୀ ସଂଗଠନ। ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏମଏସ୍‌ପିର ଆଇନଗତ ଗ୍ୟାରେଣ୍ଟି ଉପରେ ଏଯାଏ କୌଣସି ପଦକ୍ଷେପ ନେଇନାହାନ୍ତି। ଏଥିପାଇଁ ବିଜେପି ସରକାର ବିରୋଧରେ ପ୍ରଚାର କରିବାକୁ ଅଣ୍ଟା ଭିଡ଼ଛନ୍ତି ଚାଷୀ। ବିଜେପିକୁ ହରାଇବା ନାରା ସହ ଚାଷୀମାନେ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ଆଜି ଭାରତୀୟ କିଷାନ ୟୁନିୟନ ନେତା ରାକେଶ […]

Farmer

Farmer

Hemant Lenka
  • Published: Thursday, 25 November 2021
  • Updated: 25 November 2021, 06:35 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଆଭିମୁଖ୍ୟକୁ ଆହୁରି ଶକ୍ତ କରିଛି ଚାଷୀ ସଂଗଠନ। ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏମଏସ୍‌ପିର ଆଇନଗତ ଗ୍ୟାରେଣ୍ଟି ଉପରେ ଏଯାଏ କୌଣସି ପଦକ୍ଷେପ ନେଇନାହାନ୍ତି।

ଏଥିପାଇଁ ବିଜେପି ସରକାର ବିରୋଧରେ ପ୍ରଚାର କରିବାକୁ ଅଣ୍ଟା ଭିଡ଼ଛନ୍ତି ଚାଷୀ। ବିଜେପିକୁ ହରାଇବା ନାରା ସହ ଚାଷୀମାନେ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ଆଜି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ଘୋଷଣା କରିଛନ୍ତି।
ହାଇଦ୍ରାବାଦରେ ଆଜି ଆୟୋଜିତ ରାଲିରେ ରାକେଶ ଟିକାୟତ କହିଛନ୍ତି, ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି ଦୀର୍ଘ ଦିନରୁ ହୋଇ ଆସୁଛି।

ଏମଏସ୍‌ପି ଚାଷୀଙ୍କୁ ସହାୟତା କରିବ। ଆମେ ସରକାରଙ୍କ ସହ ୧୧ ରାଉଣ୍ଡ ଆଲୋଚନା କରିଥିଲୁ। ପ୍ରତିଥର ଆମେ ଏମଏସ୍‌ପି କଥା ଉଠାଇଛୁ। ଆମେ କେବେ ହେଲେ ଏମଏସ୍‌ପି ବିନା ପଛକୁ ହଟିବୁ ନାହିଁ। ସରକାର ସ୍ୱାମୀନାଥନ କମିଶନ ଦେଇଥିବା ପ୍ରସ୍ତାବକୁ ଲାଗୁ କରନ୍ତୁ। ଏଥିସହ ଆଲୋଚନା ମଧ୍ୟ ଆରମ୍ଭ କରନ୍ତୁ।

ଚାଷୀମାନେ ବିଜେପିକୁ ହରାଇବା ନାରା ସହ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ପ୍ରଚାର କରିବେ। ଲୋକଙ୍କ ପାଖରେ ପହଞ୍ଚି ସବୁ କଥା କହିବେ। ତେଣୁ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ବିଜେପି ସରକାର ଏମଏସ୍‌ପି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି। ଏଥିସହ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ଏବେ ସେଠାରୁ ଯିବା ମୁଡରେ ନଥିବା ମଧ୍ୟ ଟିକାୟତ ସ୍ପଷ୍ଟ କରିଛନ୍ତି।

ବିଜେପିକୁ ହରାଇବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା କରିଥିବା ଯୋଜନା ବିଷୟରେ ମଧ୍ୟ ଶ୍ରୀ ଟିକାୟତ କହିଛନ୍ତି। ସେ କହିଛନ୍ତି, “ବିଜେପି ନେତାମାନେ ଯେମିତି ଗାଁ ମାନଙ୍କରେ ବୟକଟର ଶିକାର ହେବେ, ତା’ର ବ୍ୟବସ୍ଥା ଆମେ କରିବୁ। ସେମାନଙ୍କୁ ନିର୍ବାଚନ ବେଳେ ପ୍ରଚାର କରିବାକୁ ଦିଆଯିବନି। ଏହି ପ୍ରକ୍ରିୟା ପଶ୍ଚିମ ଉତ୍ତର ପ୍ରଦେଶରେ ଏବେଠାରୁ ଆରମ୍ଭ ହୋଇ ସାରିଛି।”

ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନକୁ ବର୍ଷେ ପୂରିବାକୁ ଯାଉଥିବାରୁ ଆସନ୍ତାକାଲି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଟ୍ରାକ୍ଟର ଓ ବଳଦ ଗାଡ଼ି ରାଲି ହେବ। ଏଥିପାଇଁ ଉତ୍ତର ପ୍ରଦେଶ, ହରିଆଣା ଓ ପଞ୍ଜାବର ବିଭିନ୍ନ ସ୍ଥାନରୁ ଚାଷୀମାନେ ଟ୍ରାକ୍ଟର ସହ ଦିଲ୍ଲୀ ଅଭିମୁଖେ ଯାତ୍ରା ମଧ୍ୟ ଆରମ୍ଭ କରିଛନ୍ତି।

କାଲି ଚାଷୀମାନେ ଦିଲ୍ଲୀ ସୀମାରେ ବିଜୟ ଉତ୍ସବ ପାଳନ କରିବା ସହ ଟ୍ରାକ୍ଟର ରାଲି କରିବେ। ସେହିପରି ୨୯ ତାରିଖରେ ୬୦ ଟ୍ରାକ୍ଟର ଓ ହଜାରେ ଚାଷୀ ସଂସଦ ଅଭିମୁଖେ ଯାତ୍ରା କରିବେ।

ସୂଚନାଯୋଗ୍ୟ, ଶୁକ୍ରବାର ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ଘୋଷଣା କରିଥିଲେ। ଏହାପରେ ବୁଧବାର କେନ୍ଦ୍ର କ୍ୟାବିନେଟ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ମୋହର ମାରିଛି। ତଥାପି ଚାଷୀମାନେ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ନ ମିଳିବା ଯାଏ ଆନ୍ଦୋଳନ ବନ୍ଦ ହେବନି ବୋଲି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos